ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସେ ଆଜି ବିଳମ୍ବିତ ସଂଧ୍ୟାରେ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ରିଟ୍ ପିଟିସନ ଦାଏର କରିଛନ୍ତି । ଯାହାର ଶୁଣାଣି ଆସନ୍ତାକାଲି ପୂର୍ବାହ୍ନରେ ହେବାକୁ ଯାଉଛି । ତେବେ ଆସନ୍ତାକାଲି ଇଡି ତାଙ୍କୁ କୋର୍ଟରେ ମଧ୍ୟ ହାଜର କରିବ । ତେଣୁ ଆସନ୍ତାକାଲିର ସୋରେନଙ୍କ ଆବେଦନର ଶୁଣାଣି ନିର୍ଣ୍ଣାୟକ ହୋଇପାରେ । କୋର୍ଟରୁ ଆଶ୍ବସ୍ତି ପାଇଲେ ସେ ବେଲ ପାଇପାରନ୍ତି । ନଚେତ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ହାଜର କରିବା ସହ ଅଧିକ ଜେରା ପାଇଁ ରିମାଣ୍ଡ ମଧ୍ୟ ଆବେଦନ କରିବ ।
ଆଜି ତାଙ୍କ ଗିରଫଦାରୀ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ସେ ବିଳମ୍ବିତ ସଂଧ୍ୟାରେ ରାଜଭବନରେ ପହଞ୍ଚି ପ୍ରଥମେ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ଇସ୍ତଫା ଗ୍ରହଣ ମଧ୍ୟ କରିଥିଲେ । ଏହା ପରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ତାଙ୍କୁ ଆଜି ତଦନ୍ତକାରୀ ସଂସ୍ଥା ହେପାଜତରେ ରଖିବ । ଆସନ୍ତାକାଲି ପୂର୍ବାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ମାମଲାର ଗମ୍ଭୀରତାକୁ ବିଚାର କରି ଇଡି ନିଶ୍ଚୟ ଏକ ଲମ୍ବା ଅବଧିର ରିମାଣ୍ଡ ଆବେଦନ କରିବା ନେଇ ଅନୁମାନ କରାଯାଉଛି । ହେମନ୍ତ ଗିରଫ ହେବା ପରେ ପତ୍ନୀ କଳ୍ପନା ମଧ୍ୟ ଇଡି ଅଫିସରେ ପହଞ୍ଚିଥିବା ସୂଚନା ମିଳିଛି ।
ତେବେ ଗତକାଲି ଠାରୁ ଦଳ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଥିଲା । ଦୀର୍ଘ 2 ଦିନରୁ ଅଧିକ ସମୟ ଧରି ନିରୁଦ୍ଦିଷ୍ଟ ଥିବା ହେମନ୍ତ ଗତକାଲି ଅପରାହ୍ନରେ ହଠାତ ରାଞ୍ଚିରେ ପହଞ୍ଚିଥିଲେ । ଦଳୀୟ ନେତା ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ହେମନ୍ତଙ୍କ ଗିରଫଦାରୀ ନେଇ ଦଳ ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ମଧ୍ୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇସାରିଥିଲା । ହେଲେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ ସମୟ ଥିବା ବେଳେ କଳ୍ପନାଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ କିଛି ସାମ୍ବିଧାନିକ ସମସ୍ୟା ଦେଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପେଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ
ତେଣୁ ତୁରନ୍ତ ସଂଧ୍ୟାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସୋରେନ ପରିବାର ଘନିଷ୍ଠ କୁହାଯାଉଥିବା ଚମ୍ପେଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଏହା ପରେ ବିଧାୟକମାନେ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ହେମନ୍ତ ମଧ୍ୟ ଇଡି ଅଧିକାରୀଙ୍କ ହେପାଜତରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେ ପଦରୁ ଇସ୍ତଫା ଦେବା ପରେ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ