ବେଙ୍ଗାଲୁରୁ: ନିଜ ଦଳୀୟ କର୍ମୀଙ୍କୁ ମାଡ ମାରିଲେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ପ୍ରଚାରବେଳେ କାନ୍ଧରେ ହାତ ପକାଇ ଦେବାରୁ ଦଳୀୟ ନେତାଙ୍କ ଉପରେ ହାତ ଉଠାଇବାକୁ ପଛାଇ ନାହାନ୍ତି ଶିବକୁମାର । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କର୍ଣ୍ଣାଟକ ବିଜେପି ଏକ୍ସ ଆକାଉଣ୍ଟରେ ମଧ୍ୟ ଏହି ଭିଡିଓ ସେୟାର କରିବା ସହ ଘଟଣାକୁ କଡା ସମାଲୋଚନା କରିଛି । ଏହି ଭିଡିଓଟି କର୍ଣ୍ଣାଟକ ରାଜ୍ୟର ହାଭେରୀର ସାଭାନୋର ସହରରେ ଏକ ରୋଡ୍ ସୋ ସମୟର ହୋଇଥିବା ଜଣାପଡ଼ିଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିଜ କାରରୁ ଓହ୍ଲାଉଛନ୍ତି । ଏହି ସମୟରେ ଦଳୀୟ କର୍ମୀମାନଙ୍କ ପ୍ରବଳ ଭିଡ ମଧ୍ୟ ରହିଛି । ପୋଲିସ ଫୋର୍ସ ମଧ୍ୟ ସେଠାରେ ମୁତୟନ ରହିଛନ୍ତି । ଶିବକୁମାର କାରରୁ ଓହ୍ଲାଇବା ସମୟରେ ହଠାତ ଜଣେ ଦଳୀୟ କର୍ମୀ ତାଙ୍କ କାନ୍ଧ ଉପରେ ହାତ ପକାଇ ଏକ ଫୋଟ ଉଠାଇବା ପାଇଁ ପୋଜ ଦେଉଥିଲେ । ଏହି ସମୟରେ ବିରକ୍ତି ପ୍ରକାଶ କରିବା ସହ ସାଙ୍ଗେ ସାଙ୍ଗେ କର୍ମୀଙ୍କ ହାତ ଛାଟି ଦେଇ ତାଙ୍କୁ ମାଡ ମାରିଥିଲେ ଶିବକୁମାର ।
ଅନ୍ୟପଟେ ମାଡ ଖାଇଥିବା କଂଗ୍ରେସ କର୍ମୀ ଜଣକ ମ୍ୟୁନିସିପାଲ ମେମ୍ବର ଆଲ୍ଲାଉଦ୍ଦିନ ମନିୟାର ବୋଲି ଜଣାପଡିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆ ଏକ୍ସରେ କର୍ଣ୍ଣାଟକ ବିଜେପି ଆଇଡିିରୁ ମଧ୍ୟ ସେୟାର କରାଯାଇଛି ।ଏଥିସହ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଲେଖିଛନ୍ତି, 'କର୍ଣ୍ଣାଟକ ଡିସିଏମ୍, ଡିକେ ଶିବକୁମାର ହାଭେରୀର ସାଭାନୋରଠାରେ ପ୍ରଚାର କରୁଥିବା ସମୟରେ କଂଗ୍ରେସର ମ୍ୟୁନିସିପାଲ ମେମ୍ବର ଆଲ୍ଲାଉଦ୍ଦିନ ମନିୟାରଙ୍କୁ ଚାପୁଡା ମାରିଛନ୍ତି । ତେବେ କଂଗ୍ରେସ କର୍ମୀଙ୍କୁ ଏଭଳି ଦୁର୍ବ୍ୟବହାର କରିବା ଡିକେଙ୍କ ପାଇଁ ପ୍ରଥମ ଥର ନୁହେଁ । ତାଙ୍କ ଅପରାଧ କଣ ? ଶିବକୁମାର କାରରୁ ବାହାରିବା ପରେ ତାଙ୍କ କାନ୍ଧ ଉପରେ ହାତ ରଖିବା ପାଇଁ ଏହା ଘଟିଛି କି ?'
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ହେଉଛି କଂଗ୍ରେସ କର୍ମୀମାନେ କାହିଁକି କଂଗ୍ରେସ ପାଇଁ କାମ କରିବାକୁ ଚାହାଁନ୍ତି ? ସେମାନଙ୍କର ନେତାମାନେ ସେମାନଙ୍କୁ ଚାପୁଡ଼ା ମାରନ୍ତି, ଅପମାନିତ କରନ୍ତି, ନିର୍ବାଚନ ପାଇଁ ଟିକେଟ୍ ଦିଅନ୍ତି ନାହିଁ... କଣ ଦୁର୍ନୀତି ଟଙ୍କା ପାଇଁ ସେମାନେ ଦଳରେ ରହୁଛନ୍ତି ? କଣ କିଛି ଆତ୍ମସମ୍ମାନ ନାହିଁ ?" ଅନ୍ୟପଟେ ଏହି ଭିଡିଓ ନେଇ ଡିକେ ଶିବକୁମାର ଏବେସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ