ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଟିମ ଭେଟିପାରିନଥିବା ଜଣାପଡ଼ିଛି । ନିକଟରେ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ଆପ୍ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ କରୁଛି । ଏନେଇ ସେ ଅଭିଯୋଗ କରିବା ପରେ ଏହି ମାମଲାରେ କେଜ୍ରିୱାଲଙ୍କୁ ଏକ ନୋଟିସ ଦେବା ଲାଗି ଦିଲ୍ଲୀ କ୍ରାଇମବ୍ରାଞ୍ଚ ତାଙ୍କ ବାସଭବନରେ ପହଞ୍ଚିଥିବା ଜଣାପଡିଛି ।
ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟିମ ଭେଟିପାରିନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଏହି ନୋଟିସକୁ ଗ୍ରହଣ କରିନଥିଲା । କେଜ୍ରିୱାଲଙ୍କ ବାସଭବନକୁ ଆସିବା ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ ପ୍ରଥମେ ଆତିଶି ମାର୍ଲେନାଙ୍କ ବାସଭବନକୁ ମଧ୍ୟ ଯାଇଥିଲେ । ହେଲେ ଆତିଶିଙ୍କ ସହ ମଧ୍ୟ ଭେଟ ହୋଇପାରିନଥିବା ବେଳେ ତାଙ୍କ ବାସଭବନ ମଧ୍ୟ ନୋଟିସ ଗ୍ରହଣ କରିନଥିଲା ।
ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ବଡ଼ ଅଭିଯୋଗ; 7 ଆପ୍ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେଇ କିଣିବାକୁ ଚାହୁଁଛି ବିଜେପି
ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିକଟରେ ଅଭିଯୋଗ କରିଥିଲେ ଯେ ଆପ୍ ବିଧାୟକଙ୍କୁ କିଣିବା ଲାଗି ବିଜେପି ଷଡ଼ଯନ୍ତ୍ର କରୁଛି । ଏପରିକି ୭ ଜଣ ଆପ୍ ବିଧାୟକଙ୍କୁ ଯୋଗାଯୋଗ ମଧ୍ୟ କରିଛି ବିଜେପି । ସେପଟେ ମନ୍ତ୍ରୀ ଆତିଶି ମଧ୍ୟ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସମାନ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ବିଜେପି ଆମ ଆଦମି ପାର୍ଟିର ବିଧାୟକଙ୍କୁ ୨୫-୨୫ କୋଟି ଟଙ୍କାରେ କିଣିବା ଲାଗି ଉଦ୍ୟମ କରୁଛି । ଏଥିଲାଗି ଆପ୍ ବିଧାୟକଙ୍କୁ ଅଫର ମଧ୍ୟ ଦିଆଯାଇଛି । ସାତ ଜଣ ବିଧାୟକଙ୍କୁ ଏ ନେଇ ଅଫର ମଧ୍ୟ ମିଳିଛି । ହେଲେ ସଠିକ ସମୟ ଆସିଲେ ଏ ନେଇ ଆପ୍ ପକ୍ଷରୁ ଏକ ଭିଡ଼ିଓ ଜାରି କରାଯିବ ବୋଲି କହିଥିଲେ ଆତିଶି ।
ଏହା ବି ପଢନ୍ତୁ-ଏଥର ବି ଇଡିରେ ହାଜର ହେଲେନି କ୍ରେଜିୱାଲ, ବିକ୍ଷୋଭରେ ହେବେ ସାମିଲ୍
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏଭଳି ଅଭିଯୋଗ ପରେ ଜାନୁଆରୀ ୩୦ ତାରିଖରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏକ ପ୍ରତିନିଧି ମଣ୍ଡଳୀ ସହିତ ଦିଲ୍ଲୀ ପୋଲିସ କମିଶନରଙ୍କୁ ଭେଟିଥିଲେ । ଏହାପରେ ଆପ୍ ଆଣିଥିବା ଏହି ଅଭିଯୋଗ ବିରୋଧରେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ଲାଗି ଅପିଲ୍ ମଧ୍ୟ କରିଥିଲେ । ସେପଟେ କେଜ୍ରିୱାଲ ଏହି ଅଭିଯୋଗ ଆଣିବା ପରେ ଏନେଇ ପ୍ରମାଣ ଦେବାକୁ ଦିଲ୍ଲୀ ପୋଲିସ କେଜ୍ରିୱାଲଙ୍କୁ କହିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ