ହାଇଦ୍ରାବାଦ: ପଡୋଶୀ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ଓ ଗୃହଯୁଦ୍ଧ ସ୍ଥିତିର ସିଧା ପ୍ରଭାବ ଭାରତରେ ସ୍ପଷ୍ଟ ଅନୁଭୂତ ହେଉଛି । ଦିଲ୍ଲୀରେ ରାଜନୈତିକ ବିଚାର ବିମର୍ଷ ଜାରି ରହିଥିବା ବେଳେ ପୂର୍ବ-ସୀମାରେ ହାଇଆଲର୍ଟ ଜାରି ହୋଇଛି । କାରଣ ବାଂଲାଦେଶ ସହ ଭାରତ ସର୍ବାଧିକ 4 ହଜାର କି.ମିରୁ ଅଧିକ ଅନ୍ତର୍ଜାତୀୟ ସୀମା ସେୟାର କରୁଛି । ବର୍ତ୍ତମାନ ସ୍ଥିତିରେ ହିଂସା ଓ ଉତ୍ପୀଡନର ଶିକାର ହୋଇ ଶରଣାର୍ଥୀ ଜଳପଥରେ ଭାରତମୁହାଁ ହେବାର ଯଥେଷ୍ଟ ଆଶଙ୍କା ରହିଛି ।
ପୂର୍ବ ଉପକୂଳରେ ସୀମା ସୁରକ୍ଷା ବଳ, ଭାରତୀୟ ତଟରକ୍ଷୀ ବାହିନୀ ଓ ରାଜ୍ୟ ପୋଲିସର ସାମୁଦ୍ରିକ ଥାନା ପୋଲିସକୁ ଆଲର୍ଟ ମୋଡରେ ରଖାଯାଇଛି । ତେବେ 6ଟି ଦେଶ ସହ ସ୍ଥଳସୀମା ଓ ଗୋଟିଏ ଦେଶ ସହ ଜଳସୀମା ସେୟାର କରୁଥିବା ଭାରତରେ ଶରଣାର୍ଥୀ ସଙ୍କଟ ଏକ ବଡ ସମସ୍ୟା ଭାବେ ସ୍ବାଧୀନତା ପୂର୍ବରୁ ରହିଆସିଛି । ଏହି ସମସ୍ୟା ଭାରତୀୟ ବ୍ୟବସ୍ଥାରେ ମଧ୍ୟ ସମାଧାନର କାରଣ ଖୋଜିଛି । ମାନବୀୟ ଦୃଷ୍ଟିକୋଣ ବଜାୟ ସହ ଦେଶର ସୁରକ୍ଷା ଓ ନିରାପତ୍ତାକୁ ରଖି ଭାରତ ଏହାର ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟା କରିଆସିଛି । ଏହାରି ମଧ୍ୟରେ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ଏବେ ଏହି ସଙ୍କଟର ଇତିହାସକୁ ସ୍ମରଣ କରିବା ପାଇଁ ବାଧ୍ୟ କରିଛି । ନଜର ପକାନ୍ତ ଭାରତ ଇତିହାସରେ ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ...
- ୟୁରୋପରୁ ଭାରତକୁ ପଳାୟନ କରିଥିଲେ ଇହୁଦୀ ଶରଣାର୍ଥୀ:-
ପରାଧୀନ ଭାରତରେ 1930-40 ମସିହାରେ ଭାରତ ଶରଣାର୍ଥୀ ସମସ୍ୟାର ସମ୍ମୁଖୀନ ହୋଇଥିଲା । ୟୁରୋପରୁ ଭାରତକୁ ପଳାୟନ କରିଥିଲେ ‘ଇହୁଦୀ’ ସମ୍ପ୍ରଦାୟର ଲୋକେ । ଜର୍ମାନୀରେ ତତ୍କାଳୀନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଦ୍ବାରା ଗଣହତ୍ୟାର ଶିକାର ହୋଇଥିବା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭାରତ ପଳାୟନ କରିଥିଲେ । ପରେ ଇଟାଲୀ, ଅଷ୍ଟ୍ରିଆ ଓ ଆଫଗାନିସ୍ତାନ, ଉତ୍ତର-ଆଫ୍ରିକା, ପୋଲାଣ୍ଡ ଓ ଇରାକ ପରି ଦେଶରୁ ମଧ୍ୟ ଶରଣାର୍ଥୀ ଭାରତ ଆସିଥିଲେ । ସେତେବେଳେ ଏହି ପଳାୟନର ମୁଖ୍ୟ କାରଣ ଥିଲା ଧାର୍ମିକ ଉତ୍ପୀଡନ ଓ ବିଶ୍ବଯୁଦ୍ଧର ପ୍ରଭାବ । ଏହି ଶରଣାର୍ଥୀଙ୍କର ବଂଶଜ ଏବେ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ନଜର ଆସନ୍ତି ।
- ଭାରତ-ପାକିସ୍ତାନ ବିଭାଜନ:
1947ରେ ସ୍ବାଧୀନ ଭାବେ ବିଶ୍ବ ରାଜନୈତିକ ମାନଚିତ୍ରରେ ଆତ୍ମପ୍ରକାଶ କରିଥିବା ଭାରତ ଦେଖିଥିଲା ଶରଣାର୍ଥୀ ସଙ୍କଟର ଚରମ ଦୁର୍ଦ୍ଦଶା । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ବିଶାଳ ଭାରତ ଧର୍ମ ଆଧାରେ ବିଭାଜିତ ହୋଇଥିଲା । ପାକିସ୍ତାନ ନୂଆ ଦେଶ ଭାବେ ଆତ୍ମପ୍ରକାଶ କଲା । ସେତେବେଳେ ଉଭୟ ପାର୍ଶ୍ବରୁ ପ୍ରାୟ 12ରୁ 15 ମିଲିୟନ ଶରଣାର୍ଥୀ ସେମାନଙ୍କ ପୈତୃକ ଭିଟ୍ଟାମାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଐତିହାସିକଙ୍କ ତଥ୍ୟ ଅନୁସାରେ, ପ୍ରାୟ 7.5 ମିଲିୟନ ହିନ୍ଦୁ ଓ ଶିଖ୍ ପାକିସ୍ତାନରୁ ଭାରତ ଆସିଥିଲେ । ସେତେବେଳେ ଏହି ବିଭାଜନ ପ୍ରକ୍ରିୟା ଉତ୍କଟ ମାନବୀୟ ସଙ୍କଟ ସୃଷ୍ଟି କରିଥିଲା । ଭୋକ, ବ୍ୟାଧି କାରଣରୁ ଲକ୍ଷାଧିକ ଶରଣାର୍ଥୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । 1947 ରେ ସେମାନଙ୍କ ପାଇଁ ରିଲିଫ ଓ ପୁନଃଥଇଥାନ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ ଖୋଲିବାକୁ ପଡିଥିଲା । ଧର୍ମ ନାମରେ ବିଶାଳ ଦେଶ ବିଭାଜିତ କରିବା ନିଷ୍ପତ୍ତି କେତେ ଯେ ଦୁର୍ଦ୍ଦଶାପୂର୍ଣ୍ଣ ହୋଇପାରେ ତାହା ସମଗ୍ର ବିଶ୍ବକୁ ସେତେବେଳେ ଏହି ଘଟଣା ଅନୁଭବ କରିବାକୁ ବାଧ୍ୟ କରିଥିଲା ।
- 1959 ତିବ୍ଦତୀୟ ଶରଣାର୍ଥୀ ସଙ୍କଟ:-
ସ୍ବାଧୀନତା ପରବର୍ତ୍ତୀ ସ୍ଥିତିରେ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ଥିଲା 1959 ମସିହାର ଚୀନ ଅଧିକୃତ ତିବ୍ବତୀୟଙ୍କ ଭାରତରେ ଅନୁପ୍ରବେଶ । ଚୀନ ସେନାର ଉତ୍ପୀଡନରେ ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ପ୍ରାୟ ଏକ ଲକ୍ଷ (100,000) ରୁ ଅଧିକ ଅନୁଗାମୀଙ୍କ ସହ ରାଜନୈତିକ ଆଶ୍ରୟ ନେବାକୁ ତିବ୍ଦତ ଛାଡି ଭାରତରେ ପ୍ରବେଶ କରିଥିଲେ । ଭାରତ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲା । ତିବ୍ଦତୀୟ ଶରଣାର୍ଥୀମାନେ ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ବସବାସ କରିଥିଲେ । ତିବ୍ଦତୀୟ ସମ୍ପ୍ରଦାୟର ଆଧ୍ୟାତ୍ମିକ ମୁଖ୍ୟ ଦଲାଇଲାମାଙ୍କ ହିମାଚଳ ପ୍ରଦେଶର ଧର୍ମଶାଳାରେ ଥଇଥାନ କରିବାର ବ୍ୟବସ୍ଥା କରିଥିଲେ ତତ୍କାଳୀନ ସରକାର । ଗୃହ ମନ୍ତ୍ରଣାଳୟର 2022-23 ବାର୍ଷିକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ତିବ୍ଦତୀୟ ରିଲିଫ କମିଟି (CTRC) ଦ୍ୱାରା ହୋଇଥିବା ଶେଷ ଜନଗଣନା ଅନୁଯାୟୀ, ଭାରତରେ ତିବ୍ଦତୀୟ ଶରଣାର୍ଥୀଙ୍କ ସଂଖ୍ୟା ଏବେ 73,404 ରହିଛି । ଏବେ ମଧ୍ୟ ଦଲାଇଲାମା ଭାରତରେ ରହିଛନ୍ତି ।
- 1960 ବାଂଲାଦେଶର ଚିତାଗଙ୍ଗ ଶରଣାର୍ଥୀ ସଙ୍କଟ:-
ବର୍ତ୍ତମାନ ବାଂଲାଦେଶ ସେତେବେଳେ ପୂର୍ବ-ପାକିସ୍ତାନ ଥିଲା । ଧାର୍ମିକ ଉତ୍ପୀଡନ, ହିଂସା ପ୍ରଭାବରେ ଚିତାଗଙ୍ଗ ଏରିଆରୁ ‘ଚକମା’ ଏବଂ ‘ହାଜୋଙ୍ଗ’ ସମ୍ପ୍ରଦାୟର ଶରଣାର୍ଥୀ ହଜାର ହଜାର ସଂଖ୍ୟାରେ ଭାରତୀୟ ସୀମାରେ ଅନୁପ୍ରବେଶ କଲେ । ସେମାନେ ଆଜି ମଧ୍ୟ 6 ଦଶନ୍ଧିରୁ ଅଧିକ ହେଲା ଭାରତରେ ବସବାସ କରୁଛନ୍ତି । ଅଧିକାଂଶ ଉତ୍ତର-ପୂର୍ବ ଏବଂ ପଶ୍ଚିମବଙ୍ଗରେ ଦେଖାଯାଉଥିବା ଏହି ସମ୍ପ୍ରଦାୟର ଲୋକେ ବାଂଲାଦେଶ ତିତାଗଙ୍ଗର ମୂଳ ବାସିନ୍ଦା । 2011 ଜନଗଣନା ଅନୁଯାୟୀ, କେବଳ ଅରୁଣାଚଳ ପ୍ରଦେଶରେ 47,471 ଚକମା ସମ୍ପ୍ରଦାୟର ଲୋକେ ବାସ କରନ୍ତି । 2015 ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ 2016ରେ ଏମାନଙ୍କୁ ଭାରତୀୟ ନାଗରକିତା ମଧ୍ୟ ପ୍ରଦାନ କରାଯାଇସାରିଛି ।
- 1971 ବାଂଲାଦେଶ ମୁକ୍ତି ସଂଗ୍ରାମ ଓ ଉତ୍କଟ ଶରଣାର୍ଥୀ ସମସ୍ୟା :-
1971ରେ ତତ୍କାଳୀନ ପୂର୍ବ-ପାକିସ୍ତାନରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହେଲା । ଏହାକୁ ଦମନ କରିବାକୁ ପାକିସ୍ତାନ ସେନା ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା । ବାଂଲାଦେଶର ଗରିଲା ସେନା ‘ମୁକ୍ତି ବାହିନୀ’ ଓ ପାକିସ୍ତାନ ଆର୍ମି ମଧ୍ୟରେ ଗରିଲା ଯୁଦ୍ଧ ଆରମ୍ଭ ହେଲା । ପାକିସ୍ତାନ ସେନା ସେଠାରେ ନରସଂହାର ଓ ଅମାନବୀୟ ଦମନଲୀଳା ଚଳାଇଲା । ଫଳରେ ଲକ୍ଷାଧିକ ସଂଖ୍ୟାରେ ବାଂଲା ଭାଷାଭାଷୀ ବଙ୍ଗୀୟ ମୁସଲିମ ପ୍ରାଣ ଭୟରେ ଦେଶ ଛାଡି ଭାରତୀୟ ସୀମାରେ ଅନୁପ୍ରବେଶ କଲେ । ପରେ ଉତ୍କଟ ସରଣାର୍ଥୀ ସଙ୍କଟ ପାଇଁ ଭାରତୀୟ ସେନା ଏହି ମାମଲାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲା । 1971ରେ ପାକିସ୍ତାନ ସେନା ଭାରତ ନିକଟରେ ଆତ୍ମସମର୍ପଣ କରିବା ସହ ପୂର୍ବ-ପାକିସ୍ତାନ ସ୍ବାଧୀନ ବାଂଲାଦେଶ ଭାବେ ଆତ୍ମପ୍ରକାଶ କଲା । ସେତେବେଳେ ପ୍ରାୟ 10 ମିଲିୟନ ବଙ୍ଗୀୟ ଶରଣାର୍ଥୀ ବିଭିନ୍ନ ଉତ୍ତର ଭାରତୀୟ ରାଜ୍ୟରେ ଅନୁପ୍ରବେଶ କରିଥିଲେ । ଲକ୍ଷାଧିକ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିଲା ।
- ଶ୍ରୀଲଙ୍କା:-
ସେହିପରି ଦକ୍ଷିଣରେ ଜଳସୀମା ସଲଗ୍ନ ପଡୋଶୀ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କା ଦ୍ବାରା ମଧ୍ୟ ଭାରତ ଶରଣାର୍ଥୀ ସଙ୍କଟର ସମ୍ମୁଖୀନ ହୋଇଛି । 80 ଦଶକରେ ସ୍ବତନ୍ତ୍ର ‘ଇଲମ ଦେଶ’ ଦାବି କରୁଥିବା ବିଛିନ୍ନତାବାଦୀ ସଂଗଠନ ‘ଏଲଟିଟିଆଇ’ ଓ ଶ୍ରୀଲଙ୍କା ସେନା ମଧ୍ୟରେ ଲଢେଇରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟରେ ଏକାଧିକ ଥର ସିଂହଳୀ ଶରଣାର୍ଥୀମାନେ ଜଳସୀମା ଅତିକ୍ରମ କରି ତାମିଲନାଡୁରେ ପ୍ରବେଶ କରିବାକୁ ବାଧ୍ୟ ହୋଇଛନ୍ତି । ବର୍ଷ 1964, 1983 ଓ 2009 ଏମାନେ ବହୁସଂଖ୍ୟାରେ ଭାରତ ପଳାୟନ କରିଥିଲେ । ଗୃହ ମନ୍ତ୍ରଣାଳୟର 2021-2022 ତଥ୍ୟ ଅନୁସାରେ, ଭାରତରେ ସିଂହଳୀ ଶରଣାର୍ଥୀଙ୍କ ସଂଖ୍ୟା ପ୍ରାୟ 3,04,269 ରହିଛି । ଗତବର୍ଷ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାରେ ମଧ୍ୟ ଭାରତରେ ହାଇଆଲର୍ଟ ଜାରି ହୋଇଥିଲା ।
- ରୋହିଙ୍ଗ୍ୟା:-
ପାକିସ୍ତାନ ଓ ବାଂଲାଦେଶକୁ ବାଦ ଦେଲେ ଭାରତ ପ୍ରତି ସର୍ବାଧିକ ନିରାପତ୍ତା ଆହ୍ବାନ ସୃଷ୍ଟି କରିଛନ୍ତି ମିଆଁମାରର ରୋହିଙ୍ଗ୍ୟା ଶରଣାର୍ଥୀ । 1970 1990, 2012 ଓ 2016-17ରେ ଏମାନେ ହଜାର ହଜାର ସଂଖ୍ୟାରେ ଭାରତରେ ଅନୁପ୍ରବେଶ କରିଥିଲେ । ତେବେ ଏହି ସମ୍ପ୍ରଦାୟ ମିଆଁମାରରେ ଆର୍ଥିକ ସଙ୍କଟ ମଧ୍ୟରେ ସୀମାବର୍ତ୍ତୀ ଭାରତ ଓ ବାଂଲାଦେଶରେ ଅନୁପ୍ରବେଶ କରୁଛନ୍ତି । ଜାତିସଂଘ ଶରଣାର୍ଥୀ ଆୟୋଗ (UNHCR)ର ତଥ୍ୟ ଅନୁସାରେ, ଏବେ ଭାରତରେ ପ୍ରାୟ 22,000 ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି ।
- ନେପାଳ ଭୂକମ୍ପ ପରେ ଶରଣାର୍ଥୀ ସମସ୍ୟା :-
2015 ରେ ନେପାଳରେ ହୋଇଥିବା ସର୍ବଗ୍ରାସୀ ଭୂକମ୍ପ ପରେ ଶରଣାର୍ଥୀ ସମସ୍ୟା ବଢିଥିଲା । ବିହାର ଓ ଉତ୍ତର ପ୍ରଦେଶ ପରି ଉତ୍ତର ଭାରତୀୟ ସୀମାନ୍ତ ରାଜ୍ୟରେ ଏମାନେ ଅନୁପ୍ରବେଶ କରିଥିଲେ । ଭାରତୀୟ ସୀମା ବଳ ସେତେବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ଭାରତ ପକ୍ଷରୁ ଏପରି କଠିନ ସମୟରେ ନେପାଳକୁ ସହୟତା ସାମଗ୍ରୀ ମଧ୍ୟ ପ୍ରେରଣ କରାଯାଇଥିଲା ।
ତେବେ ମାନବାଧିକାର ଓ ମାନବୀୟ ବିକାଶ କୈନ୍ଦ୍ରିକ ଏକବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଶରଣାର୍ଥୀ ସଙ୍କଟ ବିଶ୍ବ ସମୂଦାୟକୁ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରିଛି । ସେ ୟୁରୋପ ହେଉକି, ମଧ୍ୟପ୍ରାଚ୍ୟ କିମ୍ବା ପୂର୍ବ ଏସିସା । ଜାତି, ଧର୍ମ, ରଙ୍ଗ, ଆର୍ଥିକ ଓ ରାଜନୈତିକ କ୍ଷମତା ଯୁଦ୍ଧ ମଧ୍ୟରେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନ । ନିଜ ଦେଶ, ଭିଟ୍ଟାମାଟି, ପରିଚୟ, ପରିବାର ସବୁ ଛାଡି ଏମାନେ ବଞ୍ଚିବାକୁ ସଂଘର୍ଷ କରିବାକୁ ବାଧ୍ୟ ହୋଇଛନ୍ତି । ଏପରି ସ୍ଥିତିରେ ବିକାଶିତ ଦେଶମାନେ ଏହାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ