ସମ୍ବଲପୁର: ଦେବରିଗଡ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଏକମାତ୍ର ହାତୀ 'ଖର୍ସେଲ' କୁ ନେଇ ଚିନ୍ତାରେ ସମ୍ବଲପୁର ବନବିଭାଗ । ଖର୍ସେଲର ଗୋଟିଏ ଆଖିକୁ କିଛି ଦେଖାଯାଉନାହିଁ । ଅନ୍ୟ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଛି। ତେବେ ଦୃଷ୍ଟିଶକ୍ତି କମିଥିଲେ ବି ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାର ବନ ବିଭାଗ ସୂଚନା ଦେଇଛି ।
ପ୍ରାୟ 2ଦଶନ୍ଧି ଧରି ଦେବରିଗଡ ଅଭୟାରଣ୍ୟକୁ ସୁରକ୍ଷା ଦେଇ ଆସିଥିବା ହାତୀ 'ଖର୍ସେଲ'ଏବେ ବୟସର ଅପରାହ୍ନରେ ପହଁଚିଛି। ଏହି ହାତୀଟି ଏବେ ଦେବରିଗଡ ଅଭୟାରଣ୍ୟର କମାଗାଁ ରେଞ୍ଜ ନିକଟରେ ରହୁଛି। ତେବେ ପରିଣତ ବୟସ କାରଣରୁ 'ଖର୍ସେଲ' କୁ ଆଉ ପେଟ୍ରୋଲିଂ କାମରେ ଲଗାଯାଉନି । ବନବିଭାଗ ପକ୍ଷରୁ ତା' ନିକଟକୁ ଖାଦ୍ୟ ପାନୀୟ ପହଞ୍ଚାଇବା ସହ ତା'ର ଯତ୍ନ ନିଆଯାଉଛି।
ଦିନଥିଲା ଖର୍ସେଲ ନାଁ ଶୁଣିଲେ ଲୋକଙ୍କ ନିଦ ଉଡି ଯାଉଥିଲା । ବଲାଙ୍ଗୀର ଜିଲ୍ଲାରେ 1975 ମସିହାରୁ 1995 ମସିହା ମଧ୍ୟରେ 7 ଜଣକୁ ମାରିଥିଲା ଖର୍ସେଲ। ଏହାପରେ 1995 ମସିହାରେ ଖର୍ସେଲକୁ ତୁରନ୍ତ ମାରିବା ପାଇଁ ବନବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଖର୍ସେଲକୁ ଧରିବାକୁ ବଲାଙ୍ଗିରବାସୀ ଆମରଣ ଅନଶନ କରିଥିଲେ । ଶେଷରେ ବନ ବିଭାଗ 25 ଜୁଲାଇ 1995 ରେ ଖର୍ସେଲକୁ ପ୍ରଥମେ ଟ୍ରାଙ୍କୁଲାଇଜର କରି ବନ୍ଦୀ କରିଥିଲା । କିନ୍ତୁ କିଛିଦିନ ପରେ ଏହି ହାତୀଟି ଚେନ ଛିଣ୍ଡାଇ ପୁଣି ଜଙ୍ଗଲକୁ ପଳାଇଥିଲା । ଏହା ପରେ ଅଗଷ୍ଟ 10ରେ ପୁଣି ତାକୁ ଟ୍ରାଙ୍କୁଲାଇଜ କରି ବନ୍ଦୀ କରାଯାଇଥିଲା ।