ଓଡିଶା

odisha

By ETV Bharat Odisha Team

Published : Aug 22, 2023, 8:51 PM IST

Updated : Aug 23, 2023, 3:27 PM IST

ETV Bharat / state

ଅଟକାଇପାରିଲାନି ଦାରିଦ୍ରତା, ଦୁଇ ଦୁଇ ଥର NEET ପରୀକ୍ଷାରେ କୃତକାର୍ଯ୍ୟ ଦାଦନ ଶ୍ରମିକ

ସେ ଜଣେ ଅଭାବୀ ଚାଷୀ ପରିବାରର ପୁଅ, ଜଣେ ଦାଦନ ଶ୍ରମିକ ଓ ୨ଟି ସନ୍ତାନର ପିତା । ଅଦ୍ୟମ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଛି । ଦୀର୍ଘ ୧୩ ବର୍ଷର ସଂଘର୍ଷ ପରେ ଆଜି NEET ପରୀକ୍ଷାରେ କୃତକାର୍ଯ୍ୟ ରାୟଗଡ଼ାର ଆଦିବାସୀ ଯୁବକ କୃଷ୍ଣଚନ୍ଦ୍ର ଅଟକା । ଜାଣନ୍ତୁ ତାଙ୍କର ସଂଘର୍ଷ କାହାଣୀ

Etv Bharat
Etv Bharat

ଦୁଇ ଦୁଇ ଥର NEET ପରୀକ୍ଷାରେ କୃତକାର୍ଯ୍ୟ ଦାଦନ ଶ୍ରମିକ

ରାୟଗଡ଼ା:ଦୃଢ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଛି । ନା ଅଭାବ ଅନଟନ ନା ସାଂସାରିକ ଜଞ୍ଜାଳ । ସେ ଜଣେ ଅଭାବୀ ଚାଷୀ ପରିବାରର ପୁଅ, ଜଣେ ଦାଦନ ଶ୍ରମିକ ଓ ୨ଟି ସନ୍ତାନର ପିତା । କଠିନ ପରିଶ୍ରମ କରି ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ (NEET)ରେ ଦୁଇ ଦୁଇ ଥର ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ ବାଃ ବାଃ ସାଉଣ୍ଟିଛନ୍ତି ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ଥୁଆପାଡ଼ି ପଞ୍ଚାୟତ ଥୁଆପଡି ଗାଁର ଅଧିବାସୀ କୃଷ୍ଣଚନ୍ଦ୍ର ଅଟକ । ୨୦୨୦ ମସିହା କୋଭିଡ ସମୟରେ ମନ ଦେଇ ପାଠ ପଢିବା ପରେ ସେ ଆଜି ହୋଇପାରିଛନ୍ତି ଡାକ୍ତରୀ ଛାତ୍ର ।



ବୟସ ସାମାନ୍ୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା କୃଷ୍ଣଙ୍କ ଇଚ୍ଛାଶକ୍ତି ଆଗରେ ସମସ୍ତ ଦାରିଦ୍ରତା ଯେପରି ଫେଲ୍ ମାରିଛି । ଆଉ କିଛି ବର୍ଷ ପରେ ସେ ଜଣେ ସଫଳ ଡାକ୍ତର ହୋଇ ଆଦିବାସୀ ଅଞ୍ଚଳକୁ ଫେରିବା ପାଇଁ ଆଶା ରଖିଛନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିବା ଦାଦନ ଶ୍ରମିକ କୋଭିଡ ସମୟରେ ଘରେ ରହି ଅନଲାଇନ ପଢି ନିଟ ପାସ୍ କରି ଡାକ୍ତରୀ ପଢିବାକୁ ସକ୍ଷମ ହୋଇଛନ୍ତି ଅଭାବୀ ଆଦିବାସୀ ଯୁବକ କୃଷ୍ଣଚନ୍ଦ୍ର । ପିଲାଟି ବେଳୁ ଆର୍ଥିକ ଅଭାବ ଅନଟନର ଶିକାର ହୋଇ ମଧ୍ୟ ପାଠପଢ଼ାରେ ରୁଚି ରଖିଥିବା କୃଷ୍ଣ ଶେଷରେ ଆଜି ସଫଳ ହୋଇଛନ୍ତି ।

କୃଷ୍ଣଙ୍କ ସଂଘର୍ଷମୟ ଜୀବନ:-୨୦୦୬ ମସିହାରେ ଆମ୍ବଦୋଲାରେ ଏକ ଆଦିବାସୀ ଆବାସିକ ବିଦ୍ୟାଳୟର ମ୍ୟାଟ୍ରିକ ପାସ୍ କରିବା ପରେ ୨୦୦୮ ମସିହାରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଖଲିକୋଟ କଲେଜରେ ଯୁକ୍ତ ଦୁଇ ପଢିବା ପରେ ପୁଣି ପାଠପଢ଼ାରେ ଡୋରି ଲାଗିଥିଲା । ପିତାମାତାଙ୍କ ସହିତ କୃଷି କାର୍ଯ୍ୟରେ ନିୟୋଜିତ ହେଲେ । କିନ୍ତୁ ଅଧିକା ପାଠ ପଢ଼ିବା ପାଇଁ କୃଷି କାର୍ଯ୍ୟରେ ସମର୍ଥ ନହେବା ଜାଣି ସେ ୨୦୧୦ ମସିହାରେ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଚାଲି ଯାଇଥିଲେ । ସେଠାରେ ୨ ବର୍ଷ ରହିବା ପରେ ସୁଧିରିଲାନି ଆର୍ଥିକ ସ୍ଥିତି । ପୁଣି ଘରକୁ ଫେରି କୃଷି କାର୍ଯ୍ୟରେ ନିୟୋଜିତ ରହି ପାଠପଢାରେ ଧ୍ୟାନ ଦେଲେ । ୨୦୧୮ ମସିହାରେ ତାଙ୍କର ବାହାଘର ହୋଇଥିଲା ଓ ସେ ଏବେ ୨ଟି ସନ୍ତାନର ଜନକ ।

୨୦୨୦ରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି:-ପାଠ ପଢ଼ିବାର ଅଦମ୍ୟ ଇଛାଶକ୍ତି ଯୋଗୁଁ ପ୍ରାୟ ୧୩ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ କୋଭିଡ ପାଇଁ ବାହାରକୁ ନ ବାହାରି ଘରେ ରହି ଅନଲାଇନରେ ନିଟ୍ ପାଇଁ ପ୍ରସ୍ତୁତ ହୋଇଥିଲେ । ଏହାପରେ ଗତ ବର୍ଷ ୨୦୨୨ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ହେଲେ ପୁଣି ପ୍ରତିବନ୍ଧକ ସାଜିଥିଲା ଅର୍ଥ ସାଙ୍ଗକୁ ଆବଶ୍ୟକ କାଗଜପତ୍ର । ହାର ନମାନି ପୁଣି ଚେଷ୍ଟା କରି ଚଳିତ ନିଟ ପରୀକ୍ଷାରେ ପାସ୍ କରି କଳାହାଣ୍ଡି ଭବାନୀପାଟଣା ମେଡିକାଲ କଲେଜର ଆଡିମିସନ୍ ନେଇଛନ୍ତି । ପିତା ବଇଦ ଅଟକାଙ୍କ ସରକାରଙ୍କଠାରୁ ପାଇଥିବା ଏକର,୭୧ ସେଣ୍ଟ ଜମିରେ ଚାଷକରି ୪ ପୁଅ ଓ ଜଣେ ଝିଅଙ୍କ ସହିତ ପରିବାର ପୋଷଣ କଷ୍ଟକର ହୋଇଥିଲେ ସୁଧା ପୁଅକୁ ଡାକ୍ତର କରାଇ ବହୁତ ଖୁସି ଅନୁଭବ କରୁଛନ୍ତି ପିତା, ପରିବାର ବର୍ଗ ଓ ଗ୍ରାମବାସୀ ।

ଏହା ବି ପଢନ୍ତୁ- ପଙ୍କରୁ ପଦ୍ମ, OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋଟିଆର କୃତି ଛାତ୍ର ସୌରଭ

ଏ ନେଇ କୃଷ୍ଣଚନ୍ଦ୍ରଙ୍କ ପିତା ବଇଦ କହିଛନ୍ତି, " ଯାହା ହେଉ ମୋ ପୁଅ ଡାକ୍ତର ହେଲା । ଆମ ଘର ଲୋକ ସମସ୍ତେ ଖୁସି ଅଛନ୍ତି ।"

ସେପଟେ କୃଷ୍ଣଚନ୍ଦ୍ର ପରିବାର ଓ ନିଜ ପତ୍ନୀଙ୍କୁ ସଫଳତାର ଶ୍ରେୟ ଦେଇ କହିଛନ୍ତି, "ବାହାଘର ପରେ ପତ୍ନୀ ଓ ପରିବାର ପୁଣି ପାଠ ପଢିବା ଲାଗି କହିଥିଲେ । ଏହାପରେ ମୁଁ ପାଠପଢା ଆରମ୍ଭ କରିଥିଲି । କୋଭିଡ ସମୟରେ ବିଭିନ୍ନ ପ୍ରକାର ପୁସ୍ତକ କିଣି ପାଠ ପଢିଥିଲି । ଅନଲାଇନର ସହାୟତାରେ ପାଠ ପଢୁଥିଲି । ୨୦୨୨ ଓ ୨୦୨୩ରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଛି ।"

ତେବେ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା କୃଷ୍ଣ ଆଜି ବି ଆର୍ଥିକ ସ୍ତରରେ ଅସୁବିଧାରେ ରହିଛନ୍ତି । ଏଭଳି ଜଣେ ମେଧାବୀ ଛାତ୍ରଙ୍କୁ ସରକାରୀ ସାହାଯ୍ୟ ମିଳିଲେ ସେ ତାଙ୍କର ଡାକ୍ତରୀ ଶିକ୍ଷା ସହଜରେ ଶେଷ କରିପାରନ୍ତେ ବୋଲି କୁହନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 23, 2023, 3:27 PM IST

ABOUT THE AUTHOR

...view details