ଓଡିଶା

odisha

କାଶୀପୁରର କଳା କାହାଣୀ: କାଗଜ କଲମରେ ମେଗା ଜଳଯୋଗାଣ ପ୍ରକଳ୍ପ, ହଇଜାରେ ଗଡୁଛି ମୁଣ୍ଡ

By

Published : Aug 4, 2022, 8:07 PM IST

ଖତ ଖାଉଛି କୋଟି କୋଟି ଟଙ୍କାର ପାଣି ପାଇପ । ଦୂଷିତ ପାଣି ପିଇ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ତଥାପି ଚେତୁ ନାହାନ୍ତି ସରକାର । ଫଳରେ କାଗଜ କଲମରେ ଚାଲିଛି ରାୟଗଡ଼ା କାଶୀପୁରର ମେଗା ଜଳଯୋଗାଣ ପ୍ରକଳ୍ପ । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

କାଗଜ କଲମରେ କାଶୀପୁର ମେଗା ଜଳଯୋଗାଣ ପ୍ରକଳ୍ପ
କାଗଜ କଲମରେ କାଶୀପୁର ମେଗା ଜଳଯୋଗାଣ ପ୍ରକଳ୍ପ

ରାୟଗଡ଼ା: କାଶୀପୁର ବ୍ଲକର ହଇଜା ରୋଗ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଜଣକ ପରେ ଜଣଙ୍କ ମୃତ୍ୟୁ ଘଟି ମୋଟ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଲାଣି । ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ଝାଡାବାନ୍ତି ରୋଗ ବ୍ୟାପୁଥିବା ବେଳେ ସରକାରଙ୍କ ଜଳ ଜୀବିକା ମିଶନ ଫେଲ ମାରିଛି । ସରକାର ୨୦୧୮ରୁ ଆରମ୍ଭ କରିଥିବା ୩୩୮ କୋଟି ବ୍ୟୟର ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିବା ବେଳେ ଖତ ଖାଉଛି ଗଦା ଗଦା ପାଇପ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଦାସୀନତା କାରଣରୁ ନିର୍ମାଣ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ।

କାଗଜ କଲମରେ କାଶୀପୁର ମେଗା ଜଳଯୋଗାଣ ପ୍ରକଳ୍ପ

ଏହି ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଲା ଦୂଷିତ ଜଳ । ଦଶନ୍ଧି ଧରି ଏହି ବ୍ଲକର ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟନ୍ୟ ଜଳଉତ୍ସର ପାଣିକୁ ଜୀବନ ଧାରଣ ପାଇଁ ସିଧାସଳଖ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ କଳାହାଣ୍ଡି ଜିଲ୍ଲା ଅଧିନରେ ଥିବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାଣିଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସମସ୍ୟାର ସମାଧାନ ପାଇଁ ଯୋଜନା ହୋଇଛି ତାହା କେବଳ ନାଲିଫିତା ତଳେ ସୀମିତ ରହିଛି । କାରଣ ଗତ ୧ ବର୍ଷ ତଳେ କାଶୀପୁର ବ୍ଲକର ୨୪ ପଞ୍ଚାୟତ ଅନ୍ତର୍ଗତ ୪୨୫ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଏକ ବୃହତ ପ୍ରକଳ୍ପ ରାଜ୍ୟ ସରକାର ଠିକାଦାରଙ୍କ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ ।

ଏଥିସହ କାଶୀପୁର ବ୍ଲକକୁ ସଂଲଗ୍ନ ଥିବା ରାୟଗଡା ବ୍ଲକର ୪ଟି ପଞ୍ଚାୟତ ଅନ୍ତର୍ଗତ ୪୯ଟି ଗ୍ରାମକୁ ମଧ୍ୟ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବ ବୋଲି ଘୋଷଣା ହୋଇଥିଲା । ଏପରିକି ୨୦୧୮-୧୯ ମସିହାରେ ୨୯୮ କୋଟି ୬୯ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟରେ ମଧ୍ୟ ମଞ୍ଜୁରୀ ମିଳିଥିଲା । ଏତଦ ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଧିକ ୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ମଧ୍ୟ ମଞ୍ଜୁର ହୋଇଥିଲା । ମୋଟ ୩୩୮ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଜଳ ଜୀବିକା ମିଶନ ଜରିଆରେ ଏହି ପ୍ରକଳ୍ପ ୩ ନଭେମ୍ବର ୨୦୨୩ରେ ସାରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା

ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିବା ବେଳେ ମାଟି ତଳେ ପାଇପ ଖଣ୍ଡିଏ ମଧ୍ୟ ପୋତା ଯାଇ ନାହିଁ । ଏଭଳିକି ଏକ ବର୍ଷ ପରେ ଏହି ପ୍ରକଳ୍ପର ସ୍ଥିତି ଯଥା ପୂର୍ବମ ତଥା ପରମରେ ରହିଯାଇଛି । ଏହି ପ୍ରସ୍ତାବିତ ମେଗା ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀରୁ ଜଳ ଉଠାଯାଇ ପାଇପ ମାଧ୍ୟମରେ କାଶୀପୁର ବ୍ଲକର ୯୦ ପ୍ରତିଶତ ଗ୍ରାମକୁ ଜଳ ଯୋଗାଣ ଲକ୍ଷ୍ୟ ସରକାର ହାତକୁ ନେଇଛନ୍ତି । ଏହାଦ୍ଵାରା କାଶୀପୁର ବ୍ଲକ ଅଞ୍ଚଳରୁ ସବୁଦିନ ପାଇଁ ପାନୀୟ ଜଳ ସମସ୍ୟା ଦୂର ହେବା ସହ କଲେରା, ହଇଜା ଭଳି ମହାମାରୀରୁ କାଶୀପୁରବାସୀଙ୍କୁ ନିସ୍ତାର ମିଳିବ । ହେଲେ ପ୍ରକଳ୍ପ କାର୍ଯ୍ୟର କଚ୍ଛପ ଗତି ଦେଖିଲେ ବିଶ୍ବାସ ହେଉନି ସମୟ ସୀମା ଭିତରେ ଲୋକଙ୍କୁ ବିଶୁଦ୍ଧ ପାଇପ ଜଳ ମିଳିପାରିବ ।

ଏ ନେଇ ରାୟଗଡ଼ା ଆଦିବାସୀ ମଞ୍ଚର ଆବାହକ ବିଦୁଳତା ହୁଇକା କହିଛନ୍ତି ଯେ, " ଝାଡ଼ାବାନ୍ତି ରୋଗ ପାଇଁ କେବଳ ପ୍ରଶାସନ ଦାୟୀ । ପାଣି ଅଭାବରୁ ଲୋକେ ବାଧ୍ୟ ହୋଇ ନଦୀ, ନାଳର ଦୂଷିତ ପାଣି ପିଉଛନ୍ତି । ସେପଟେ ସରକାର ଆରମ୍ଭ କରିଥିବା ଜଳ ପ୍ରକଳ୍ପକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ । ଝାଡାବାନ୍ତି ରୋଗରେ ଲୋକଙ୍କ ମୃତ୍ୟୁ ପ୍ରଶାସନ ପାଇଁ ସାଧାରଣ କଥା ପାଲଟି ଯାଇଛି । "

ଇନ୍ଦ୍ରାବତୀରୁ ଜଳଉଠାଣ କରାଯାଇ ଲଦିଗୁଡା, କେ.ପଞ୍ଜରା ଗ୍ରାମର ବାଟ ଦେଇ ଆସିବ ଡଙ୍ଗାସିଲକୁ । ଡଙ୍ଗାସିଲ ଠାରେ ପ୍ରାୟ ୫ଟି ବୃହତ ଟାଙ୍କିରେ ଜଳ ସଂରକ୍ଷଣ ହେବ । ସଂରକ୍ଷଣ ପରେ ତାହା ବିଶୋଧନ କରାଯାଇ ସେଠାରୁ ପାଇପ ମାଧ୍ୟମରେ ସମସ୍ତ ଗାଁ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ପଠାଯିବ । ଏଥିପାଇଁ ୧୦୦୦ କିଲୋମିଟର ବାଟ ପାଇପ ବିଛାଯାଇ ଜଳ ଯୋଗାଣ କରିବାର ଯୋଜନା ରହିଛି । ତେବେ ଠିକାଦାର ପାଇପ ନ ପକାଇ କେବଳ ରାସ୍ତାକଡରେ ପାଇପ ଗୁଡିକ ଗଚ୍ଛିତ ଥିବା ପ୍ରଦର୍ଶନୀ କରୁଥିବା ଅଭିଯୋଗ ହୋଇଛି । ଏଭଳିକି ଡଙ୍ଗାସିଲ ଠାରେ ଟ୍ୟାଙ୍କ ନିର୍ମାଣକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ଏଭଳି ସ୍ଥିତି ଯଦି ଲାଗିରହେ ତେବେ ଆଉ ବର୍ଷକ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ବର୍ତ୍ତମାନ ପରିସ୍ଥିତିରେ କଲେରା ମୃତ୍ୟୁର ତାଣ୍ଡବ ଲୀଳାକୁ ଦେଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବା ନ୍ୟାୟରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେବଳ ମିଥ୍ୟା ତଥ୍ୟ ପ୍ରଦାନ କରିବାରେ ଲାଗିଛି । ଗୋଟିଏ ପଟେ ସ୍ୱଚ୍ଛ ପାନୀୟ ଜଳ ପାଇନପାରି ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ସ୍ୱଚ୍ଛ ଜଳ ପ୍ରଦାନ ପାଇଁ ସରକାର ଅନୁଦାନ ପ୍ରଦାନ କରିବା ପରେ ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଦାସୀନତା କାରଣରୁ ନିର୍ମାଣ ବିଳମ୍ବ ହେଉଛି । ତେବେ କିଛି ସ୍ଥାନରେ ଫରେଷ୍ଟ କ୍ଲିୟରାନ୍ସ ମିଳିନଥିବା କାରଣରୁ ନିର୍ମାଣ ଆଗେଇ ପାରୁନଥିବା ସୂଚନା ମଧ୍ୟ ହସ୍ତଗତ ହୋଇଛି ।

ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା କହିଛନ୍ତି ଯେ, "ନିର୍ମାଣ କାର୍ଯ୍ୟ ଜାରି ରହିଛି । ବହୁତ ଦୂରରୁ ଜଳ ଅଣାଯିବ, ତେଣୁ ଅଧିକ ଜ୍ଞାନକୌଶଳ ଅବଲମ୍ବନ କରାଯାଉଛି । ତେବେ ଦେଖିବାର କଥା କେବେ ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।"


ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details