ଓଡିଶା

odisha

By

Published : Oct 17, 2020, 8:09 PM IST

ETV Bharat / state

ଅସୁସ୍ଥ ସ୍ବାସ୍ଥ୍ୟ ବିଭାଗ: 100 ଡାକ୍ତରଙ୍କ ଭରସାରେ 12 ଲକ୍ଷ ଲୋକଙ୍କ ଜୀବନ !

ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରାୟଗଡାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା । ଜିଲ୍ଲାର 12 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାର ସୃଷ୍ଟି କରିଛନ୍ତି ମାତ୍ର 249 ଡାକ୍ତର ପଦବୀ, ହେଲେ ବିଡମ୍ବନାର କଥା ମୋଟ ପଦବୀର ମାତ୍ର 40 ଭାଗ ଅର୍ଥାତ୍ ମାତ୍ର 100 ଜଣ ଡାକ୍ତର ନିଯୁକ୍ତ ଅଛନ୍ତି । ଅଧିକ ପଢନ୍ତୁ...

ରାୟଗଡାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ନିଯୁକ୍ତ 100 ଡାକ୍ତର
ରାୟଗଡାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ନିଯୁକ୍ତ 100 ଡାକ୍ତର

ରାୟଗଡା:ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ରାୟଗଡା । 11ଟି ବ୍ଲକ, 2ଟି ମୁନସିପାଲିଟି ଓ ଗୋଟିଏ ଏନଏସିକୁ ନେଇ ଗଠିତ ଏହି ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ସବ୍ ଡିଭିଜନାଲ ଡାକ୍ତରଖାନା ସହ 11ଟି ପିଏଚସି ଏବଂ 30ରୁ ଅଧିକ ସିଏଚସି ରହିଛି । ହେଲେ ରୋଗୀ ସ୍ବାସ୍ଥ୍ୟ ସେବା କଥା ନକହିବା ଭଲ ।

ରାୟଗଡାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ନିଯୁକ୍ତ 100 ଡାକ୍ତର

2011 ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ୯ ଲକ୍ଷ ୬୭ ହଜାର ୯୧୧ ରହିଥିବା ବେଳେ ବେସରକାରୀ ସୂତ୍ର ଅନୁସାରେ ଏହା ଏବେ 12 ଲକ୍ଷରେ ପହଞ୍ଚିଛି । ଆଉ 12 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାର ସୃଷ୍ଟି କରିଛନ୍ତି ମାତ୍ର 249 ଡାକ୍ତର ପଦବୀ, ହେଲେ ବିଡମ୍ବନାର କଥା ମୋଟ ପଦବୀର ମାତ୍ର 40 ଭାଗ ଅର୍ଥାତ୍ ମାତ୍ର 100 ଜଣ ଡାକ୍ତର ନିଯୁକ୍ତ ଅଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଗତ 2 ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାରୁ 50ରୁ ଊର୍ଦ୍ଧ୍ବ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଇଥିବା ବେଳେ ଅଧାରୁ ଅଧିକ ଡାକ୍ତର ଗ୍ରାମାଞ୍ଚଳରେ ଗମନାଗମନ, ବିଦ୍ୟୁତ ସେବା, ରହଣୀ ଭଳି ମୌଳିକ ସୁବିଧା ନଥିବା ଅଭିଯୋଗ ଆଣି ଏବଂ କେତେକ ଉଚ୍ଚ ଶିକ୍ଷା ନାଁରେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ।

ତେବେ ସହରାଞ୍ଚଳରୁ ଡାକ୍ତର ଏଇ ଦୁର୍ଗମ ଜିଲ୍ଲାକୁ ଯିବାପାଇଁ ଇଚ୍ଛା କରୁନଥିବା ବେଳେ ଯେଉଁମାନେ ଏଠାରେ ରୋଗୀ ସେବା ପାଇଁ ଆସନ୍ତି ସେଇ ଡାକ୍ତରମାନଙ୍କ ପାଖରେ ପରିସ୍ଥିତି ସହିତ ଖାପ ଖୁଆଇବା ଛଡା ଅନ୍ୟ ଉପାୟ ନଥାଏ । ଆଉ ସେମିତି ଜଣେ ଯୁବ ମହିଳା ଡାକ୍ତରାଣୀ ସୁଭଦ୍ରା ବେହେରାଙ୍କୁ ଆମେ ଭେଟିଥିଲୁ କେ. ମାଲିଗାଁରେ...

2019ରେ ଏମବିବିଏସ ପାସ କରିବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ସେ ଏଠାରେ ନିଯୁକ୍ତ ହୋଇଥିଲେ । ଗତ ମାର୍ଚ୍ଚରୁ ସେ କାର୍ଯ୍ୟରେ ଯୋଗ ଦେବା ପରେ ବିଗତ 8 ମାସ ଧରି ସେ ଘରକୁ ଯାଇନାହାନ୍ତି । ବରଂ ନିଜ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି ଘଞ୍ଚ ଜଙ୍ଗଲ ଭିତରେ ମିଳିଥିବା ସରକାରୀ କ୍ବାଟରକୁ ରହଣୀ ଯୋଗ୍ୟ କରିବା ସହ ଦୁର୍ଗମ ଅଞ୍ଚଳରେ ରୋଗୀ ସେବା କରି ନିଜ ରାଜଧର୍ମ ପ୍ରତିପାଦନ କରୁଛନ୍ତି ।

ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଡାକ୍ତରଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନକରିବା ବାସ୍ତବରେ ଦୁର୍ଭାଗ୍ୟଜନକ । ଆଉ ସରକାର ମଧ୍ୟ ଏହି ମାମଲାରେ କୌଣସି ସଠିକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ବାହାନା ଦେଇ ନିଜ କର୍ତ୍ତବ୍ୟରୁ ମୁହଁ ମୋଡି ନେଇଉଛନ୍ତି ଯୁବ ଡାକ୍ତର । ତେଣୁ ବେଳେ ଥାଉ ଥାଉ ସରକାର ଏଥିପ୍ରତି ସଜାଗ ନହେଲେ ଆଗକୁ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଷୁଡିଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details