ପୁରୀ: ସାତପଡ଼ା ନାଥପୁରରେ ଗୋଷ୍ଠୀ ସଂଘର୍ଷ ପରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ନାଥପୁରରେ ଗତକାଲି(ରବିବାର) ବୋମାମାଡ଼ ଘଟଣା ପରେ ଦୁଇଟି ଗାଁ ପ୍ରାୟ ପୁରୁଷଶୂନ୍ୟ ହୋଇପଡ଼ିଛି । ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କଥା କହିଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ନେଇ ୩୫ ମୌଜା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଛି ।
ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ଅଧିନ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଦଳିତ ଲୋକେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ । ଏହାପରେ ସେମାନେ ସାତପଡ଼ା ନାଥପୁର ଗାଁସ୍ଥିତ ଏକ ସରକାରୀ ଜମିକୁ ଜବରଦଖଲ କରି ଘର ତିଆରି କରି ରହିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସାତପଡ଼ା ଅଞ୍ଚଳର ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ ।