ଓଡିଶା

odisha

By

Published : Jun 11, 2023, 7:28 PM IST

ETV Bharat / state

ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା, ପ୍ରେସ୍ ରିଲିଜ ଜାରି କଲା ପୁରୀ ପୋଲିସ

ସୁରକ୍ଷା ଦୃଷ୍ଟି କୋଣରୁ ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରେସ୍ ରିଲିଜ ଜାରି କରାଯାଇଛି। ଅଧିକ ପଢନ୍ତୁ

ଡ୍ରୋନ ଉଡାଣ ଉପରେ କଟକଣା
ଡ୍ରୋନ ଉଡାଣ ଉପରେ କଟକଣା

ପୁରୀ:ରଥଯାତ୍ରାରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ରଥଯାତ୍ରାକୁ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ରଥ ଯାତ୍ରା ଦିନ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି । ତେବେ ଶ୍ରୀମନ୍ଦିର ଉପରେ, ତିନି ରଥ ନିକଟରେ ଏବଂ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋନ ଉଡାଣ ପାଇଁ ବାରଣ କରାଯାଇଛି । ଏହି ନିୟମ ରଥଯାତ୍ରାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ଡ୍ରୋନ ଉଡାଣ ଉପରେ କଟକଣା

ଏହି ଡ୍ରୋନ ଉଡାଣ କଟକଣା ବାବଦରେ ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି ହୋଇଛି । ଏହି ପ୍ରେସ୍ ରିଲିଜରେ ଡ୍ରୋନ ଉଡାଣ କଟକଣା ନେଇ ସମସ୍ତ ଗାଇଡଲାଇନ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ନିୟମ ଉଲଘଂନ କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦେଇଛି ପୁରୀ ପୋଲିସ ।

ଏହାସହ DGCAର ଗାଇଡଲାଇନ ଅନୁଯାୟୀ ରେଡ୍ ଜୋନରେ ରହିଛି ଶ୍ରୀମନ୍ଦିର। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଣ ବେଆଇନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ନିୟମ ଉଲଘଂନ ପାଇଁ ଜଣେ ୟୁ ଟ୍ୟୁବରକୁ ଗିରଫ କରିଥିଲା ପୁରୀ ପୋଲିସ । ରଥଯାତ୍ରା ସମୟରେ ଫଟୋ ଓ ଭିଡିଓ ଆଦି ଉତ୍ତୋଳନ କରାଯିବା ପାଇଁ ପୂର୍ବରୁ ଏପରି କରାଯିବାର ନଜିର ରହିଛି ।

ଅପରପକ୍ଷେ ବଡ଼ ଦାଣ୍ଡ, ସମୁଦ୍ର କୂଳ ଏବଂ ପୁରୀ ସହରର ବିଭିନ୍ନ ସ୍ଥାନରେ ନଜର ରଖିବା ପାଇଁ ଡ୍ରୋନ୍‌ ଉଡାଣ କରି ସୁରକ୍ଷା ଉପରେ ନଜର ରଖିବ ପୁରୀ ପୋଲିସ । ଆସନ୍ତା 20 ତାରିଖରେ ପଡୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଯାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ପ୍ରବଳ ସମାଗମ ହେବାକୁ ଥିବାରୁ ରଥଯାତ୍ରାରେ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚଳିତ ବର୍ଷ 180 ପ୍ଲାଟୁନ୍‌ ପୋଲିସ ଫୋର୍ସ ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷାରେ ନିୟୋଜିତ ରହିବେ ।

ରଥଯାତ୍ରା କିଭଳି ସୁରୁଖୁରରେ ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାର୍କିଂରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ପଦକ୍ଷେପ ନିଆଯାଇଛି । ଏହାସହ ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଛି । ଅପରାଧ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୁରୀ ଏସପି ଏବଂ ଜିଲ୍ଲାପାଳ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details