ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ । ଶନିବାର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ।
ଏଥିସହ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ସମ୍ଭାବ୍ୟ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିବା ସହ ସବୁ ପ୍ରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାଇକ ଯୋଗେ ବିଭିନ୍ନ ମତ୍ସ୍ୟଜୀବୀ ବସ୍ତିରେ ପ୍ରଚାର କରାଯାଇଛି । ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ଡଙ୍ଗା ଓ ଟ୍ରଲର ଗୁଡିକ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ନିମନ୍ତେ ଜରୁରୀକାଳୀନ ବିଭାଗ, ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ କଟକଣା ଓ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯିବ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି, ପାନୀୟ ଓ ଜଳଯୋଗାଣ, ପରିବହନ ବ୍ୟବସ୍ଥା, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଆଦି ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ