ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ପୁରୀ, କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିଛନ୍ତି । ଏହା ସହ ମା' ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଜଗନ୍ନାଥ ସଂସ୍କୃତିରେ ମା' ମଙ୍ଗଳାଙ୍କ ପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ବିଶେଷକରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ବାସ ରହିଛି । ଏତଦବ୍ୟତୀତ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ଭାବରେ ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା'ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ 5T ଉପକ୍ରମରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗସ୍ତ ଅବସରରେ 5T ସଚିବ ମଙ୍ଗଳା ପୀଠର(Kakatpur Mangala Temple) ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି । ମନ୍ଦିର ଜଳ ନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟର ଉନ୍ନତିକରଣ ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ । ସେବାୟତ, ସ୍ଥାନୀୟ ଲୋକ ଓ ଟ୍ରଷ୍ଟିମାନଙ୍କ ସହ ଆଲୋଚନା କରି ବିସ୍ତୃତ ଯୋଜନା ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବା ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି 5T ସଚିବ (5T Secretary VK Pandian) ସୂଚନା ଦେଇଛନ୍ତି । OBCC ଏହି ଯୋଜନା ପ୍ରସ୍ତୁତ କରିବ ।
ଏହାମଧ୍ୟ ପଢନ୍ତୁ: କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର