ନୟାଗଡ଼: ପଦାରେ ପଡ଼ିଲା ସିଡିଏମଓଙ୍କ ମିଛ । ନୟାଗଡ ଚାନ୍ଦପୁର କୋଭିଡ ହସ୍ପିଟାଲରେ କୋଭିଡ ମୃତକଙ୍କ ସଂଖ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ସତ ଚାପାଇବା ଉଦ୍ୟମ ଏବେ ପଦାରେ ପଡ଼ିଛି । ନୟାଗଡ଼ରେ 117 କୋଭିଡ ମୃତକଙ୍କ ତଥ୍ୟକୁ ନେଇ 'ଇଟିଭି ଭାରତ' ହାତରେ ଲାଗିଛି exclusive ଦସ୍ତାବିଜ ।
କୋଭିଡ ମୃତ୍ୟୁକୁ ନେଇ ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ମିଛ ଏବଂ ଜିଲ୍ଲା ପ୍ରଶାସନର ଚାପାଇବା ଉଦ୍ୟମ l ଇଟିଭି ଭାରତ ହାତରେ ଲାଗିଛି exclusive ଦସ୍ତାବିଜ । ନୟାଗଡ଼ରେ କୋଭିଡ ମୃତ୍ୟୁର ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଥିବା ବେଳେ ବିବାଦରେ ନୟାଗଡ଼ ସିଡିଏମଓ ଶକ୍ତିପ୍ରସାଦ ମିଶ୍ର l ତାଙ୍କ ଅସଲ ମୁଖା ଏବେ ସାମ୍ନାକୁ ଆସିଛି l ଗତ ଜୁନ 10ତାରିଖରେ ନୟାଗଡ଼ ଜିଲ୍ଲାରେ ଦ୍ବିତୀୟ ଲହରୀରେ କୋଭିଡ ମୃତକଙ୍କ ସଂଖ୍ୟା 117 ଜଣ ହୋଇଥିବା ନେଇ ସିଡିଏମଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି । ସେପଟେ ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସବୋର୍ଡ ଓ ଜିଲ୍ଲା ପ୍ରଶାସନର ତଥ୍ୟ ଭିତରେ ତାଳମେଳ ନାହିଁ ।
ଏହି ବିବାଦରେ ଫସି ଜିଲ୍ଲାରେ କୋଭିଡ ମୃତକଙ୍କ କୌଣସି ତଥ୍ୟ ଦେଇନଥିବା ନେଇ ଗଣମାଧ୍ୟମରେ ସଫେଇ ଦେଇଥିଲେ ନୟାଗଡ଼ ସିଡିଏମ ଶକ୍ତିପ୍ରସାଦ ମିଶ୍ର l ଏପରିକି ଇଟିଭି ଭାରତ ପ୍ରତିନିଧିଙ୍କୁ କଲ ଯୋଗେ 'କିଛି ଜାଣିନଥିବା ଏବଂ ଆପଣଙ୍କୁ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବା କହିଥିଲେ l’
ତେବେ ପ୍ରଶ୍ନ ଉଠୁଛି ଯଦି ଏହି ତଥ୍ୟ ଉପରେ ସେ କିଛି ଜାଣିନଥିଲେ ତାହାଲେ ତଥ୍ୟ ତାଲିକାରେ ତାଙ୍କର ଦସ୍ତଖତ ରହିଲା କିପରି ? ସିଡ଼ିଏମଓ ଜାଣି କାହିଁକି ଅଜଣା ଥିଲେ ? କୋଭିଡ଼ ମୃତ୍ୟୁ ସଂଖ୍ୟା ପ୍ରଘଟ ହେବା ପରେ ଉପରୁ କିଛି ଚାପ ପଡ଼ିଲା କି ? ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ସିଡିଏମଓ ଏହି ବିବାଦରୁ ସରକାରଙ୍କୁ ସୁରକ୍ଷା ଦେବାକୁ ଚାଁହୁଛନ୍ତି l ଆମ ପ୍ରତନିଧିଙ୍କୁ ଜାଣିନଥିବା କହି, କାହିଁକି ମିଛ କହିଥିଲେ ତାହା ଏବେ ସନ୍ଦେହ ଘେରରେ l ହେଲେ, ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦସ୍ତଗତ ଓ ଷ୍ଟାମ୍ପ ସିଲ ଥାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦିଆଯାଇଥିବା ଏହି ଚିଠିରେ ଜିଲ୍ଲାରେ କୋଭିଡ ମୃତକଙ୍କ ସଂଖ୍ୟା 117 ରହିଥିବା ଉଲ୍ଲେଖ ରହିଛି l ଯାହା ନୟାଗଡ଼ରେ କୋଭିଡ ମୃତ୍ୟୁର ମିଛ ପ୍ରଚାରକୁ ସାମ୍ନାକୁ ଆଣିଛି l