ବାରିପଦା: ଲକଡାଉନରେ କୋରୋନା ଛଡା ଅନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ଦେଖାଦେଇଛି ବିଭିନ୍ନ ସମସ୍ୟା । କିଏ ଚିକିତ୍ସା ପାଇଁ ହସ୍ପିଟାଲ ଯାଇପାରୁନି ତ କାହାକୁ ରକ୍ତ ମିଳୁନି । କିଏ ନିଜ ରୋଗର ଔଷଧ ପାଉନି ତ କିଏ ଡାକ୍ତରଙ୍କୁ ଦେଖାଇପାରୁନି । ସେହିପରି ଏକ କାହାଣୀ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ଗାଁର । ଲକଡାଉନ 2ଟି କଅଁଳ କଢିଙ୍କ ଜୀବନରେ ଆଣିଦେଇଛି ଦୁଃଖର ପାହାଡ । ରକ୍ତଭାବ ଯୋଗୁଁ ଉଭୟଙ୍କ ଚିକିତ୍ସା ନେଇ ଚିନ୍ତାରେ ବାପା ବାବୁଲି ମହାନ୍ତ ।
ଏହା ହେଉଛି ଭାଇ ଭଉଣୀ ତ୍ରିନାଥ ଓ ତୃପ୍ତିଙ୍କ କାହାଣୀ । ସାଧାରଣ ପିଲାଙ୍କ ପରି ଦେଖାଯାଉଛନ୍ତି, କିନ୍ତୁ ବଞ୍ଚିବାକୁ କରୁଛନ୍ତି ଅନେକ ସଙ୍ଘର୍ଷ । ପାଠପଢା ସହ ଖେଳକୁଦ ବୟସରେ ଥମି ଯାଇଛନ୍ତି ଉଭୟ । ଜୀବନର ଅର୍ଥ କଣ ବୁଝିବା ଆଗରୁ ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ । ମାସକୁ ଥରେ କିମ୍ବା ଦୁଇ ଥର ରକ୍ତ ନନେଲେ ଏ ଦୁଇ ଶିଶୁଙ୍କ ବଞ୍ଚିବା ଅସମ୍ଭବ । କାରଣ ଉଭୟେ ଥାଲାସେମିଆ ରୋଗରେ ପୀଡିତ । 2 ସନ୍ତାନ ଜନ୍ମ ନେବା ପରେ ଶିଶୁଙ୍କ ବାପା ମାଆ ଥିଲେ ଅନେକ ଖୁସି । ହେଲେ କ୍ଷଣିକରେ ମିଳାଇଯ।ଇଥିଲା ସମସ୍ତ ଆନନ୍ଦ । ଜନ୍ମ ନେବାର ବର୍ଷକ ପରେ ପିଲାଙ୍କୁ ହୋଇଥିଲା ଥାଲାସେମିଆ ।