ରାଇରଙ୍ଗପୁର: ଦୁବୁଲବେଡା ସ୍କୁଲ ନିକଟରୁ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟାକାଣ୍ଡର ହୋଇଛି ଖୁଲାସା । ତେବେ ଏହା ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମେ ୧୮ରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଦୁବୁଲବେଡା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ ଆରମ୍ଭ କରିଥିଲା । ପରେ ସେ ଜଣେ ବିଧବା ମହିଳା ଓ କଣ୍ଟାବଣୀ ଗ୍ରାମର ସୁବାସିନୀ ମାଝୀ ବୋଲି ଜଣାପଡ଼ିଥିଲା । ବିଧବା ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ୱାମୀଙ୍କ ସାଙ୍ଗ ବାଇଦାପୋଷିର ଦାସମାତ ମାଝୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ, ମହିଳା ଜଣକ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ଗତ ମେ ୧୪ ତାରିଖ ଦିନ ସ୍କୁଲ ନିକଟରେ ମହିଳାଙ୍କ ସହ ଅନ୍ୟ ଏକ ଯୁବକର ପ୍ରେମାଳାପ ଚାଲିଥିବା ଦାସମାତ ଜାଣିବାକୁ ପାଇଥିଲେ ।