ଓଡିଶା

odisha

By

Published : Jan 26, 2023, 8:01 AM IST

ETV Bharat / state

ଆତଙ୍କବାଦ ବିରୋଧରେ ସ୍ବାଭିମାନ ଅଞ୍ଚଳବାସୀଙ୍କ ବିଜୟ, ଜନ୍ତୁରାଇରେ ବିଜୟ ଦିବସ ପାଳିତ

ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ ପ୍ରଥମ ଥର ପାଇଁ ଗତ ୨୦୨୦ ମସିହାରେ ଜାନୁଆରୀ ୨୫ ତାରିଖରେ ଲାଲ ଆତଙ୍କବାଦ ବିରୋଧରେ ବିଦ୍ରୋହ ଆରମ୍ଭ କରି ବିଜୟ ଲାଭ କରିଥିଲେ । ଏନେଇ ବୁଧବାର ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ବିଜୟ ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

ସ୍ବାଭିମାନ ଅଞ୍ଚଳରେ ବିଜୟ ଦିବସ ପାଳିତ
ସ୍ବାଭିମାନ ଅଞ୍ଚଳରେ ବିଜୟ ଦିବସ ପାଳିତ

ସ୍ବାଭିମାନ ଅଞ୍ଚଳରେ ବିଜୟ ଦିବସ ପାଳିତ

ମାଲକାନଗିରି: ଗତ ୨୦୨୦ ମସିହାରେ ୨୫ ଜାନୁଆରୀ ମଧ୍ୟରାତ୍ରୀରେ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ ପ୍ରଥମ ଥର ପାଇଁ ଲାଲ ଆତଙ୍କବାଦ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ଜାନୁଆରୀ ୨୫ ମଧ୍ୟରାତିରେ ଜୋଡମ୍ବୋ, ଜନ୍ତୁରାୟ ଏବଂ ସିନ୍ଧିବାଡିର ସ୍ଥାନୀୟ ଗ୍ରାମବାସୀ ମାଓବାଦୀଙ୍କ ପ୍ରତି ଭୟ ଛାଡି ଏକ ମାଓବାଦୀ ଦଳ ଉପରେ ଆକ୍ରମଣ କରିଥିଲେ । ନକ୍ସଲ ଏବଂ ଗ୍ରାମବାସୀଙ୍କ ଯୁଦ୍ଧରେ ନକ୍ସଲ ପରାସ୍ତ ହୋଇଥିଲେ । ଏନେଇ ବୁଧବାର ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ବିଜୟ ଦିବସ ପାଳିତ ହୋଇଛି ।

ସୂଚନାଯୋଗ୍ୟ ଯେ, ମାଓବାଦୀମାନେ ଗ୍ରାମବାସୀଙ୍କୁ ବନ୍ଧୁକ ମୁନରେ ଆତଙ୍କିତ କରିବାକୁ ଚେଷ୍ଟା କରୁଥିଲେ । ଗ୍ରାମବାସୀ ଏବଂ ମାଓବାଦୀଙ୍କ ଲଢେଇରେ କୁଡୁମୁଲୁଗୁମ୍ମା ଏରିଆ କମିଟିର ସଦସ୍ୟ ତଥା ମାଓବାଦୀ କ୍ୟାଡର ଆଡମା ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଜଣେ ମାଓ ସଂଗଠନରର ଏସିଏମ କ୍ୟାଡର ଜିପ୍ରୋକୁ ଗ୍ରାମବାସୀମାନେ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାର ପ୍ରତିଶୋଧ ନେଇ ମାଓ ସଂଗଠନର ସିସିଏମ ଉଦୟ ଏବଂ ଏସଜେଡସିଏମ କୃଷ୍ଣ ସାରଥିଙ୍କ ନେତୃତ୍ୱରେ ଆନ୍ଧ୍ର-ଓଡିଶା ସ୍ବତନ୍ତ୍ର ବଡର ଜୋନାଲ କମିଟି ଓ ମାଲକାନଗିରି-କୋରାପୁଟ ବଡର ଡିଭିଜନର ମାଓବାଦୀମାନେ ଉପରୋକ୍ତ ତିନୋଟି ଗାଁର ଲୋକଙ୍କୁ ଆକ୍ରମଣ କରି ସେମାନଙ୍କ ଘର ଏବଂ ମୋଟର ସାଇକେଲଗୁଡିକରେ ନିଆଁ ଲଗାଇ ଦେଇଥିଲେ ।

କିନ୍ତୁ ଗ୍ରାମବାସୀମାନେ ବିନା ଭୟରେ ମାଓବାଦୀଙ୍କ ପ୍ରତିରୋଧ ଜାରି ରଖିଥିଲେ । ଏହି ଘଟଣା ସ୍ବାଭିମାନ ଅଞ୍ଚଳର ବାକି ଗାଁର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା । ଧୀରେଧୀରେ ସେମାନେ ସିପିଆଇ ମାଓବାଦୀ ବିରୋଧରେ ସ୍ୱର ଉତ୍ତୋଳନ କଲେ । ମୂଳ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା କରି ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବକୁ ଦୂର କରିବା ପାଇଁ ଓଡିଶା ପୋଲିସ୍ ଏବଂ ପାରା-ସାମରିକ ବାହିନୀର ନିରନ୍ତର ପ୍ରୟାସର ଫଳାଫଳ ଏହା ଥିଲା । ସ୍ଥାନୀୟ ଲୋକଙ୍କ ଉନ୍ନତି ପାଇଁ ଓଡିଶା ସରକାର ଲଗାତାର ବିକାଶ ଧାରା ଜାରି ରଖିଛନ୍ତି । ଆଜିର ଦିନରେ ଅସତ୍ୟକୁ ହରାଇ ସତ୍ୟର ଜୟ ହୋଇଥିବାରୁ ଏହି ଗ୍ରାମର ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରି ବିଜୟ ଦିବସ ପାଳନ କରିଛନ୍ତି ।

ଏହି ବିଜୟ ଦିବସ ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଗ୍ରମବାସୀ କହିଥିଲେ । ନକ୍ସଲଙ୍କୁ ଧରାଶାୟୀ କରିବା ସହ ଜଣେ ଲୋକଙ୍କୁ ବି ନକ୍ସଲ ହତ୍ୟା କରିପାରିନଥିଲେ । ରାଗରେ ଘର ଜାଳିଲେ, କିନ୍ତୁ ଲୋକଙ୍କୁ ଟାର୍ଗେଟ କରିପାରିନଥିଲେ । ତେବେ ଏହି ମାଓବାଦୀ ବିରୋଧୀ ସଂଗଠନ ଆଗକୁ ମଧ୍ୟ ସୁଦୃଢ ହୋଇ ମାଓବାଦୀ ବିରୋଧରେ ଲଢେଇ ଜାରି ରଖିବ ବୋଲି କୁହାଯାଇଛି । ଦୀର୍ଘ ବର୍ଷ ପରେ ମାଓବାଦୀ ବିରୋଧରେ ସେମାନଙ୍କ ଗଡରେ ତାଙ୍କୁ ହରାଇବା ଏତେ ସହଜ ନଥିଲା ବୋଲି ଗ୍ରାମବାସୀ ଆଜି ପତାକା ତଳେ କହିଥିଲେ । ଏହି ବିଜୟ ସମସ୍ତ ସ୍ବାଭିମାନ ଅଞ୍ଚଳବାସୀଙ୍କର ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପେପରମେଟଲା ଓ ଯଡାମ୍ବ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

For All Latest Updates

ABOUT THE AUTHOR

...view details