ଓଡିଶା

odisha

By

Published : Sep 25, 2022, 5:33 PM IST

ETV Bharat / state

ବାପା ମାଆଙ୍କ ମୃତ୍ୟୁ ପରେ ଅସହାୟ ଦୀପା, ସରକାର ସାହାହେବାକୁ ଗ୍ରାମବାସୀଙ୍କ ଗୁହାରୀ

ମାଲକାନଗିରି ଜିଲ୍ଲାର ଏମପିଭି-୧ ଗ୍ରାମର ଦୀପା ମଣ୍ଡଳଙ୍କର ପିଲାବେଳୁ ମାଆଙ୍କର ମୃତ୍ୟୁ ହୋଇଯାଇଥିବାବେଳେ, ଗତ ୧୦ ଦିନ ହେଲା ବାପାଙ୍କର ମୃତ୍ୟୁ ହୋଇଛି । ପଳରେ ଜଙ୍ଗଲ ଭିତରେ ସେ ଜୀବନ କାଟୁଛନ୍ତି । ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ ରହିଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଠିକ ନଥିବା ଯୋଗୁଁ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ଦୀପା । ଦେଖନ୍ତୁ ରିପୋର୍ଟ

ବାପା ମାଆଙ୍କ ମୃତ୍ୟୁ ପରେ ଅସହାୟ ଦୀପା
ବାପା ମାଆଙ୍କ ମୃତ୍ୟୁ ପରେ ଅସହାୟ ଦୀପା

ମାଲକାନଗିରି:ଆଖିରେ ଅସୁମାରୀ ସ୍ବପ୍ନ । ପାଠ ପଢିବାକୁ ମନରେ ପ୍ରବଳ ଆଗ୍ରହ । ହେଲେ ଦଇବ ଦାଉ ସାଧିବା ଯୋଗୁଁ କଟୁଛି ଜର୍ଜରିତ ଜୀବନ । ଏଭଳି ଦୁଃଖଦ ପରିସ୍ଥିତି ଦେଇ ଗତି କରୁଛନ୍ତି ମାଲକାନଗିରି ଜିଲ୍ଲାର ଏମପିଭି-୧ ଗ୍ରାମର ଦୀପା ମଣ୍ଡଳ । ଗାଁ ନିକଟ ଜଙ୍ଗଲ ଭିତରେ ଝାଟିମାଟି କୁଡିଆ ଭିତରେ ଏକା ପଡି ରହିଛି ଅନାଥ ଯୁକ୍ତ ଦୁଇ ଛାତ୍ରୀ ଦୀପା । ଦୀପାକୁ ତିନି ମାସ ହୋଇଥିବାବେଳେ ମାଆ ଛାଡି ଆରପାରିକୁ ଚାଲିଯାଇଥିଲେ ଓ ୧୦ ଦିନ ହେବ ବାପାଙ୍କର ମୃତ୍ୟୁ ହୋଇଯାଇଛି । ଦୀପାର କେହି ସଂପର୍କୀୟ ନଥିବାବେଳେ ସଂପତ୍ତି କହିଲେ ଝାଟିମାଟି ଭଙ୍ଗା କୁଡିଆ ।

ଏହା ମଧ୍ୟ ପଢନ୍ତୁ: ସୁଭଦ୍ରାଙ୍କ ସ୍ୱପ୍ନ ଆଗରେ ବାଧକ ଅର୍ଥ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ତୁଣ୍ଡରେ ମା’ ଡାକ ଉଚ୍ଚାରଣ କରିବା ଆଗରୁ ଆଖି ଆଗରୁ ମାଆକୁ ଛଡାଇ ନେଇଛି ଦଇବ । ବାପାଙ୍କ କୋଳରେ ମୁଣ୍ଡ ରଖି ସୁନେଲି ଭବିଷ୍ୟତ ଗଢିବାକୁ ସ୍ବପ୍ନ ଦେଖୁଥିଲେ । ହେଲେ ଦଇବ ସେତକ ଖୁସି ବି ଛଡାଇ ନେଲା । ଝିଅର ହାତ ଛାଡି ଆରପାରିକୁ ଚାଲିଗଲେ ବାପା । ଏବେ ଭଙ୍ଗା କୁଡିଆ ଘରେ ବିତୁଛି ଜୀବନ । କଅଁଳ ବୟସରେ ମାଆ ଆରପାରିକୁ ଚାଲିଯିବା ପରେ ବାପାଙ୍କ ସହ ଜଙ୍ଗଲରେ ଏକ ଛୋଟ କୁଡିଆ କରି ଚାଲୁଥିଲା ତେଲ ଲୁଣର ସଂସାର । ହେଲେ ଗତ ୧୦ ଦିନ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ଦୀପାଙ୍କ ଅସୁମାରୀ ସ୍ବପ୍ନ ଭାଙ୍ଗିରୁଜି ଯାଇଛି । ଦଇବର ଦାଉ ସାଙ୍ଗକୁ ପ୍ରଶାସନର ଅବ୍ୟବସ୍ଥା ଭିତରେ ଘାଣ୍ଟି ହେଉଛନ୍ତି ଦୀପା । ଜଙ୍ଗଲ ଭିତରେ ଝାଟିମାଟି ଘର ଆଉ ମାସକୁ ଚାଉଳ ୫କିଲୋ ଛାଡିଦେଲେ ଆଉ କିଛି ସହାୟତା ମିଳୁନି । ୧୦ ଦିନ ହେବ କାନ୍ଦି କାନ୍ଦି ବାପାଙ୍କୁ ଝୁରି ଝୁରି ଭଙ୍ଗା କୁଡିଆରେ ରହି ଜୀବନ ବିତାଉଛନ୍ତି ।

ଏନେଇ ଦୀପୀ କହିଛନ୍ତି ଯେ, "ପିଲାବେଳଠାରୁ ମାଆକୁ ହରାଇଥିବାବେଳେ ଏବେ ରୋଗରେ ବାପାଙ୍କର ମୃତ୍ୟୁ ହୋଇଛି । ମୁଁ ଏବେ ଏକା ରହୁଛି । ରହିବା ପାଇଁ ଘର ଖଣ୍ଡେ ନଥିବାରୁ ଜଙ୍ଗଲ ଭିତରେ ଏକ କୁଡିଆରେ ରହୁଛି । ମୋତେ ଭାରି ଡର ଲାଗୁଛି ସେଠାରେ ରହିବା ପାଇଁ । ମୁଁ ଆଗକୁ ପାଠ ପଢିବାକୁ ଚାହୁଁଛି । ସରକାର ସାହାଯ୍ୟ ଯୋଗାଇ ଦେଇଥିଲେ ମୁଁ ପାଠ ପଢିଥାନ୍ତି ।"

ଦୀପାଙ୍କର ବାପା ଦୀପକ ମଣ୍ଡଳର ମୃତ୍ୟୁ ପରେ ଗାଁର ସହୃଦୟ ଲୋକେ ଆଗେଇ ଆସିଛନ୍ତି । ଗାଁରେ ବୈଠକ କରି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଦୀପକଙ୍କର କ୍ରିୟାକର୍ମ କରୁଛନ୍ତି । ଏହାସହ ଖାଇବାକୁ ମଧ୍ୟ ଯୋଗାଇଦେଉଛନ୍ତି ସ୍ଥାନୀୟ ଆଶାକର୍ମୀ । ଭଳି ପରିସ୍ଥିତିରେ ସରକାରୀ ସହାୟତା ଯୋଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ଶାସନ ତୁରନ୍ତ ପଦକ୍ଷେପ ନେବା ସହ ଦୀପାର ରହଣୀ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ଦେଲେ ଦୀପାର ଭବିଷ୍ୟତ ଉଜ୍ବଳ ହୋଇପାରେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details