ଓଡିଶା

odisha

By

Published : Mar 2, 2023, 9:30 AM IST

ETV Bharat / state

କୋରାପୁଟରେ ୟୋଲେ ବ୍ରାଜିଲିଆନ ବର୍ବନ, ବିଶ୍ବ ଚାଖିବ ହଳଦିଆ କଫିର ସ୍ବାଦ

କୋରାପୁଟରେ ଫଳିଲା ୟୋଲେ ବ୍ରାଜିଲିଆନ ବର୍ବନ । ବିଶ୍ବ ଦରବାରରେ ପୁଣି ମହକିବ କୋରାପୁଟ କଫି ।

yellow Brazilian Bourbon in koraput
yellow Brazilian Bourbon in koraput

କୋରାପୁଟରେ ୟୋଲେ ବ୍ରାଜିଲିଆନ ବର୍ବନ

କୋରାପୁଟ:ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଗତ କିଛିଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ କଫି ବଗିଚାରେ ଫଳୁଥିବା ହଳଦିଆ କଫିର ଚର୍ଚ୍ଚା ଜୋର ଧରିଥିବା ବେଳେ କଫି ଉତ୍ପାଦନକାରୀଙ୍କ ମନରେ ନୂଆ ଉତ୍କଣ୍ଠା ଭରିଛି ।

କୋରାପୁଟ ଜିଲ୍ଲାର ରାଜୁଗୁଡ଼ାର ସପ୍ତଗିରି କଫି ବଗିଚା ଓ ଛୋଟାଗୁଡ଼ାର ବ୍ରାଉନ ଭେଲି କଫି ବଗିଚାରେ ହଳଦିଐ ରଙ୍ଗର କଫି ଦେଖିବାକୁ ମିଳିଥିଲା । ହଳଦିଆ ରଙ୍ଗର ପାଚିଲା କଫି ଫଳକୁ ପ୍ରକ୍ରିୟାକରଣ କରାଯିବା ପରେ ତାର ମଞ୍ଜିକୁ ଶୁଖାଇ ଭାଜି ଗୁଣ୍ଡ କରାଯାଇଥିଲା । ବର୍ତ୍ତମାନ ସେହି ଗୁଣ୍ଡରୁ ପ୍ରସ୍ତୁତ କଫିର ସ୍ବାଦ ପରୀକ୍ଷା କରାଯାଇଛି । ରାଜୁଗୁଡାର ସପ୍ତଗିରି କଫି ବଗିଚାରେ ଏକ ଅଂଶରେ ପରୀକ୍ଷା ମୂଳକ ଭାବେ ଉତ୍ପାଦନ କରାଯାଇଥିବା ଏହି କଫିର ଏକ ନିଆରା ସ୍ବାଦ ରହିଥିବା ବଗିଚାର ସଫଳ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି ।

ଏନେଇ ସେ କହିଛନ୍ତି, "କୋରାପୁଟ ଅଞ୍ଚଳରେ ଲାଲ ରଙ୍ଗର ପାଚୁଥିବା ଫଳରୁ ପ୍ରସ୍ତୁତ କଫି ଠାରୁ ଏହା ଅଧିକ ମଧୁର । ସାଧାରଣ କଫିର ସ୍ବାଦ ସହିତ ଏକ ନିଆରା ଢଙ୍ଗରେ ମିଠା ଓ ଖଟାର ମିଶ୍ରଣରେ ସେବନକାରୀଙ୍କୁ ଏକ ନୂତନ ଅନୁଭୂତି ଦେବ । ଅନ୍ୟ କଫି ଅପେକ୍ଷା ଏହି କଫିର ଉତ୍ପାଦନ କ୍ଷମତା ବର୍ତ୍ତମାନ ପର୍ଯ୍ୟନ୍ତ କମ ରହିଛି ।" କଫି ବଗିଚାରେ ଏକ ସ୍ବତନ୍ତ୍ର ନେଉଳ ଭକ୍ଷଣ କରିବା ପରେ ବାହାରୁଥିବା କଫି ବିନରୁ ପ୍ରସ୍ତୁତ କେଭିଟ କଫି ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ବିଶ୍ବର ସବୁଠାରୁ ଦାମୀ କଫି ହୋଇପାରିଛି । ସେହିଭଳି ହଳଦିଆ ହୋଇ ପାଚୁଥିବା କଫି ଫଳରୁ ଉତ୍ପାଦିତ ହୋଇଥିବା କଫିକୁ ନେଇ ଗ୍ରାହକଙ୍କ ଚାହିଦା ରହିଲେ ଆଗାମୀ ଦିନରେ ହଳଦିଆ ବର୍ବନ କଫି ନେଇ ପୁଣିଥରେ କୋରାପୁଟ ବିଶ୍ବ ଦରବାରରେ ଏକ ନୂଆ ସ୍ବାଦ ଦେବ ବୋଲି ସୁଶାନ୍ତ ପଣ୍ଡା କହିଛନ୍ତି ।

ବିଶ୍ବ ଦରବାରରେ କୋରାପୁଟ କଫି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ପାଦନ କରୁଥିବା କଫି ଚାଷୀ ଏହି ସ୍ତରରେ ପହଞ୍ଚିବା ପାଇଁ ନିରନ୍ତର ଭାବେ ପ୍ରଚେଷ୍ଟା କରି ଆସିଛନ୍ତି । କୋରାପୁଟ ଜିଲ୍ଲାର ସାତଟି ବ୍ଲକର ୩୦୦୦ ହେକ୍ଟର ଜମିରେ କଫି ଗଛକୁ ନୁଆଁଇ ଫଳିଥିବା ଲାଲ ରଙ୍ଗର ଟିକି ଟିକି ଫଳ କୋରାପୁଟ ଜିଲ୍ଲାର ଅର୍ଥନୈତିକ ପ୍ରଗତିର ସମ୍ଭାବନାକୁ ବହନ କରିଥିବା ବେଳେ ରାଜୁଗୁଡାର ସପ୍ତଗିରି କଫି ବଗିଚାରେ ହଳଦିଆ ରଙ୍ଗର କଫି ଫଳ ଏକ ନୂତନ ସମ୍ଭାବନା ଆଣିଦେଇଛି । ସବୁଜ ରଙ୍ଗର କଫି ଫଳ ପାଚିଗଲେ ଲାଲ ଦେଖାଯାଏ । କିନ୍ତୁ ଗତ କିଛି ବର୍ଷ ପୂର୍ବେ କିଛି ଗଛରେ କଫି ଫଳ ପାଚି ହଳଦିଆ ଦେଖାଯାଇଥିଲା ।

ପ୍ରଥମେ କଫି ଫଳ ଖରାପ ହୋଇଯାଇ ଏପରି ହଳଦିଆ ହୋଇଯାଇ ଥାଇପାରେ ବୋଲି ଭାବିଥିଲେ ହେଁ ତାହାଯେ ବ୍ରାଜିଲିଆନ ୟେଲୋ ବର୍ବନ ରକମର କଫି ବୋଲି ଜାଣିବାକୁ ପାଇଥିଲେ । ଏହି ପ୍ରକାରର ଫଳ କୋରାପୁଟର କଫି ବଗିଚା ମଧ୍ୟକୁ କିପରି ଆସିଲା ସେନେଇ ଆଗ୍ରହ ବୃଦ୍ଧି ପାଇଥଲା । ତେବେ ସେହି ହଳଦିଆ ଫଳକୁ ଏକାଠି କରି ନିଜ ବାଡ଼ିରେ ଶହେଟି ମଞ୍ଜି ପୋତିଥିଲେ। ସେଦିନର ମଞ୍ଜି ଆଜି କଫି ଗଛରେ ପରିଣତ ହୋଇ ହଳଦିଆ ରଙ୍ଗର ପାଚିଲା କଫି ଫଳରେ ବଗିଚାକୁ ଭରି ଦେଇଛି । ୟେଲୋ ବର୍ବନ କିସମର କଫି ମୂଖ୍ୟତଃ ବ୍ରାଜିଲରେ ଦେଖାଯାଇଥାଏ । ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ବାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିବା ବେଳେ ଏହି ନୂତନ କିସମଟି ମଧ୍ୟ ବେଶ ଆଦୃତ ହେବ ସେଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details