ଓଡିଶା

odisha

By

Published : Feb 16, 2019, 11:00 AM IST

ETV Bharat / state

ଶିବରାତ୍ରୀ ପାଇଁ ଗୁପ୍ତେଶ୍ଵରରେ ପ୍ରସ୍ତୁତି ଆରମ୍ଭ

ଶାବର ଶ୍ରୀକ୍ଷେତ୍ର କୋରପୁଟରେ ଆରମ୍ଭ ହୋଇଛି ଶିବ୍ରରାତ୍ରୀ ପ୍ରସ୍ତୁତି । ଶ୍ରୀଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ଗୁପ୍ତେଶ୍ଵରଙ୍କଠାରେ ଆଜି (ଶନିବାର) ପତିତପାବନ ଶ୍ରୀଜଗନ୍ନାଥଙ୍କ ଏକକ ମୂର୍ତ୍ତି ସ୍ଥାପନ ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟର ଶୁଭାରମ୍ଭ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରପୁଟରେ ଆରମ୍ଭ ହୋଇଛି ଶିବରାତ୍ରୀ ପ୍ରସ୍ତୁତି । ଶ୍ରୀଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ଗୁପ୍ତେଶ୍ଵରଙ୍କଠାରେ ଆଜି (ଶନିବାର) ପତିତପାବନ ଶ୍ରୀଜଗନ୍ନାଥଙ୍କ ଏକକ ମୂର୍ତ୍ତି ସ୍ଥାପନ ସହ ଏକ ମନ୍ଦିର ପ୍ରତିଷ୍ଠା କରିବା କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗତବର୍ଷ ଦେଖା ଦେଇଥିବା ସମସ୍ୟାକୁ ଆଖିରେ ରଖି ଚଳିତ ବର୍ଷ ଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କୁ ଯେପରି କୌଣସି ଅସୁବିଧାରେ ସାମ୍ନା କରିବା ପାଇଁ ପଡିବ ନାହିଁ ତାର ବ୍ୟବସ୍ଥା କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

ଅନେକ ବର୍ଷ ଧରି ଗୁମ୍ଫା ମନ୍ଦିରକୁ ଯାଇଥିବା ଅନେକ ପାହାଚ ଭାଙ୍ଗିରୁଜି ଯାଇଥିବା ବେଳେ ସେଗୁଡିକର ରଙ୍ଗ ଛାଡି ଯାଇଛି। ପାହାଚ ପାଖ କାନ୍ଥରେ ରଙ୍ଗ ଦେବା ଓ ଆବଶ୍ୟକ ସ୍ଥଳେ ପାହାଚର ମରାମତି କରାଯିବା ଆରମ୍ଭ କରାଯାଇଛି । ଗତବର୍ଷ ଭକ୍ତ ପାଇଥିବା ଜଳକଷ୍ଟକୁ ଦେଖି ଚଳିତ ବର୍ଷ ସିରିବେଡା ନିକଟରୁ ପମ୍ପ ଲଗାଇ ଗୁପ୍ତେଶ୍ଵରକୁ ପ୍ରଶାସନ ପକ୍ଷରୁ ଜଳଯୋଗାଣ କରାଯାଉଥିଲେ ହେଁ ସବୁଦିନ ଜଳ ଯୋଗାଣ କରାଯାଇପାରିଲେ ଅଧିକ ସୁବିଧା ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।

ଅନେକ ଦିନର ଆବଶ୍ୟକତାକୁ ପୂରଣ କରି ନଦୀ ପାଖରେ ସୁଲଭ ଶୌଚାଳୟ ଖୋଲା ଯାଇଛି । କିନ୍ତୁ ଶୌଚ କରିବା ପାଇଁ ୧୦ ଟଙ୍କା ଦେବାକୁ ପଡିଥାଏ । ତେଣୁ ଟଙ୍କା ଖର୍ଚ୍ଚ କରିବାକୁ ଅମଙ୍ଗ ଶ୍ରଦ୍ଧାଳୁ ନଦୀପଠାରେ ହିଁ ଶୌଚ କରୁଥିବା କହିଛନ୍ତି ଶୌଚାଳୟରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଯୁବକ । ବୈପାରିଗୁଡାରୁ ଗୁପ୍ତେଶ୍ଵର ପର୍ଯ୍ୟନ୍ତ ରାସ୍ତାର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଡକରୀ ଘାଟି ମରାମତି ହୋଇନଥିବା ଯୋଗୁଁ ଦୁର୍ଘଟଣା ଘଟିବା ନେଇ ଗାଡି ଚାଳକ ଆଜି ମଧ୍ୟ ଆତଙ୍କିତ ଅଛନ୍ତି । ଶିବରାତ୍ରୀ ପୂର୍ବରୁ ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଅନେକ ବର୍ଷ ଧରି ପ୍ରତି ଶିବରାତ୍ରୀ ଦିନ କୋରାପୁଟରୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କୁ ଗୁପ୍ତେଶ୍ଵରକୁ ଅଣାଯାଇ ହରିହର ଭେଟର ଉତ୍ସବ ପ୍ରବଳ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ବୈପାରିଗୁଡା ତହସିଲଦାରଙ୍କ ଅନୁମତି କ୍ରମେ ଗୁପ୍ତେଶ୍ଵରରେ ଶିବଲିଙ୍ଗ ଥିବା ଗୁମ୍ଫାର ପାଦଦେଶର ପ୍ରବେଶଦ୍ବାର ନିକଟରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରାଯାଉଥିବା ଜଣାଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡା।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details