ଭୁବନେଶ୍ବର:ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଉପେକ୍ଷା । ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ୨୦୨୧ ଅକ୍ଟୋବର ୨୮ ରେ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ବେଖାତିର କରି ସରକାର ଏ ପର୍ଯ୍ୟନ୍ତ କୌଣସି ବିଦ୍ୟାଳୟରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତ କରିନାହାନ୍ତି ।
ରାଜ୍ୟରେ ଏବେ ବି ବିନା ସ୍ବତନ୍ତ୍ର ଶିକ୍ଷକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଅନେକ ସ୍ଥାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଛି ସତ, ହେଲେ ସେମାନେ ବିଦ୍ୟାଳୟକୁ ଆସୁ ନଥିବା ଜଣାପଡ଼ିଛି । ରାଜ୍ୟରେ ୬୪ ହଜାରରୁ ଅଧିକ ବିଦ୍ୟାଳୟରେ ୮୨ ହଜାରରୁ ଅଧିକ ଦିବ୍ୟାଙ୍ଗ ପିଲା ରହିଛନ୍ତି । ସ୍ବତନ୍ତ୍ର ଶିକ୍ଷକ ନ ଥିବାରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଛି । ସରକାରୀ ବିଦ୍ୟାଳୟଠୁ ନେଇ ଘରୋଇ ଯାଏଁ ସବୁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ସ୍ବତନ୍ତ୍ର ଶିକ୍ଷକ ବା ଦିବ୍ୟାଙ୍ଗ ଲାଗି ତାଲିମପ୍ରାପ୍ତ ଶିକ୍ଷକ ନ ଥିବାରୁ ସାଧାରଣ ପିଲାଙ୍କ ସହ କ୍ଲାସରେ ଏମାନେ ଶିକ୍ଷା ଗ୍ରହଣ କରିପାରୁ ନାହାନ୍ତି । ନୂଆ ଶିକ୍ଷା ନୀତି ଅନୁଯାୟୀ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥାର ପ୍ରାବଧାନ ରହିଛି ।
ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ଅନୁପାତ ସ୍ଥିର କରିଛନ୍ତି । ଏପରିକି ଯଦି ଗୋଟିଏ ବିଦ୍ୟାଳୟରେ ଜଣେ ବି ଭିନ୍ନକ୍ଷମ ପିଲା ଅଛି ସେଠି ମଧ୍ୟ ଜଣେ ସ୍ବତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ରହିଛି ।