ଓଡିଶା

odisha

By

Published : Jul 18, 2023, 4:13 PM IST

Updated : Jul 18, 2023, 6:57 PM IST

ETV Bharat / state

ଦିନରେ ଖେଳନା ବିକ୍ରି ରାତିରେ ଲୁଟପାଟ, ଧରାପଡ଼ିଲେ ବଞ୍ଜାରା ଗ୍ୟାଙ୍ଗ

ରାଜଧାନୀରେ ଲୁଟପାଟ ଘଟଣାର ପର୍ଦ୍ଦାଫାସ । ଧଉଳି ଥାନା ଅଞ୍ଚଳରୁ ୧୧ ଜଣିଆ ବଞ୍ଜାରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ବିପୁଳମାତ୍ରାରେ ଚୋରି ସାମଗ୍ରୀ ସହ ଲୁଟ ପାଇଁ ବ୍ୟବହୃତ ଜିନିଷ ଜବତ । ଅଧିକ ପଢ଼ନ୍ତୁ

lootera gang arrested in bhubaneswar
ରାଜଧାନୀରୁ ଧରାପଡିଲେ ବଞ୍ଜାରା ଗ୍ୟାଙ୍ଗ

ରାଜଧାନୀରୁ ଧରାପଡିଲେ ବଞ୍ଜାରା ଗ୍ୟାଙ୍ଗ

ଭୁବନେଶ୍ବର:କମିଶନରେଟ ପୋଲିସ ହାତରେ ବଞ୍ଜାରା ଗ୍ୟାଙ୍ଗ । ଧଉଳି ଥାନା ଅଞ୍ଚଳରୁ ଧରାପଡିଲେ ୧୧ ଜଣିଆ ଲୁଟେରା ଗ୍ୟଙ୍ଗ । ଭୁବନେଶ୍ବରର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି । ଅଭିଯୁକ୍ତମାନେ ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନର ହୋଇଥିବା ଜଣାପଡ଼ିଛି । ସେମାନଙ୍କଠୁ ସୁନା ଗହଣା ସହ ଦାମୀ ଜିନିଷ ଜବତ କରିଛି ପୋଲିସ ।

ଦିନରେ ଖେଳନା ବିକ୍ରି ଆଳରେ ବିଭିନ୍ନ ଅଞ୍ଚଳରେ ପଇନ୍ତରା ମାରୁଥିଲେ । ରାତିରେ ବୁଲି ବୁଲି କଳା କନା ବୁଲାଉଥିଲେ ଏହି ଦୁର୍ବୃତ୍ତ । ଧଉଳି ଥାନା ଅଞ୍ଚଳରେ କିଛିଦିନ ଧରି ଆଡ୍ଡା ଜମାଇଥିଲେ ପରେ ପୁରୀ ମାଳତିପାଟପୁର ଷ୍ଟେସନରେ ମଧ୍ୟ ରହୁଥିଲେ । ଦୀର୍ଘଦିନ ଧରି ରାଜଧାନୀରେ ଲୁଟପାଟ୍ ଆତଙ୍କ ଖେଳାଇଥିବା ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ ପୋଲିସ ଅପରେସନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଓ ହ୍ୟୁମାନ ଇଣ୍ଟେଲିଜେନସରେ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ଦୁର୍ବୃତ୍ତମାନେ ଲୁଟ ପରେ ସିଧା ଟ୍ରେନରେ ମହାରାଷ୍ଟ୍ର ଓ ରାଜସ୍ଥାନ ପଳାଉଥିଲେ । ତେଣୁ ଏମାନଙ୍କୁ ଧରିବା ସହଜ ନଥିଲା । ଏକ ସ୍ପେଶାଲ ଡ୍ରାଇଭ ଜରିଆରେ ମୋଟ ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି, "ଲୁଟ ପାଇଁ ଏମାନେ ସହର ଉପକଣ୍ଠ ଅଞ୍ଚଳକୁ ଟାର୍ଗେଟ କରୁଥିଲେ। କ୍ଷେତ ପାଖ ଘର ବା କଲୋନୀ, ନଦୀ ପଠା ପାଖ ଅଞ୍ଚଳ ବା ଘର, ହାଇଓ୍ବେ କିମ୍ବା ଷ୍ଟେସନ ପାଖାପାଖି ଅଞ୍ଚଳରେ ଏମାନେ ବେସ ସକ୍ରିୟ ଥିଲେ। ଦିନରେ ଖେଳନା ବିକିବା ଆଳରେ ବୁଲାବୁଲି କରି ରେକି କରୁଥିଲେ । ପରେ ରାତିରେ ଲୁଟରେ ବ୍ୟବହୃତ ସାମଗ୍ରୀ ସହ ମାରଣାସ୍ତ୍ର ଧରି ପଶୁଥିଲେ । ଲୁଟପାଟ ପୂର୍ବରୁ ଦେହରୁ କପଡା କାଢି ଅନ୍ତଃବସ୍ତ୍ରରେ ଘରେ ପଶୁଥିଲେ । ମୁହଁରେ କପଡା ଘୋଡାଇ ସିସିଟିଭି ଦେଖିଲେ ଛିଣ୍ଡାଇ ଦେଉଥିଲେ । ଏହିପରି ଢଙ୍ଗରେ ଘରେ ପଶି ସୁନା ଗହଣାଠୁ ଆରମ୍ଭ କରି ଠାକୁରଙ୍କ ଜିନିଷ ବା ମୂର୍ତ୍ତି ଧରି ଛୁ ମାରୁଥିଲେ । ଏମାନେ ବିଶେଷ କରି ବଡ଼ ଜିନିଷ କିଛି ଚୋରି କରୁନଥିଲେ ଯାହାକି ଏମାନଙ୍କୁ ନେବା ଆଣିବା କରିବାରେ ସମସ୍ୟା ହେବ । ତେବେ ଥରେ ଲୁଟପାଟ କଲେ ଜିନିଷ ନେଇ ଟ୍ରେନରେ ନଚେତ ହାଇଓ୍ବେ ଗାଡିରେ ଅନ୍ୟତ୍ର ଛୁ ମାରୁଥିଲେ । କେତେବେଳେ କେଉଁ ଅଞ୍ଚଳରେ କେହି ଲୋକ ଦେଖିଦେଲେ ଅଥବା ପାଟି ତୁଣ୍ଡ କଲେ କ୍ଷେତ, ନଦୀ ପଠା ବା ରାସ୍ତା କଡ଼ରେ ଶୋଇପଡୁଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ:ଲକ୍ଷ୍ମୀସାଗର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୬ ଗିରଫ

ତେବେ ସହର ଭିତରେ ଚେକିଂ ଚାଲିଥିବାରୁ ଭିତରେ ପଶିବାକୁ ଦୁର୍ବୃତ୍ତମାନେ ସାହାସ କରୁନଥିଲେ । ସେହପରି ଚୋରି ଜିନିଷ ବିକ୍ରି ପାଇଁ ମଧ୍ୟ ସେମାନଙ୍କର ଏକ ନେଟୱର୍କ ତିଆରି କରିଥିଲେ । ଏହିପରି ଢଙ୍ଗରେ ଲୁଟପାଟ କରି ଭୁବନେଶ୍ବରର ଲକ୍ଷ୍ମୀସାଗର, ବଡଗଡ ଥାନା, ଧଉଳି ଥାନା, ଏୟାର‌ଫିଲଡ, ଏୟାରପୋର୍ଟ ଥାନା ଅଞ୍ଚଳରେ ୧୬ଟି ମାମଲାରେ ସମ୍ପୃକ୍ତ ଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅନ୍ୟପଟେ ଲୁଟପାଟ ପରେ ଏମାନଙ୍କ କୌଣସି ପତ୍ତା ମିଳୁନଥିଲା । ଶେଷରେ ପୋଲିସ ଓ ଇନଫର୍ମର ରାତିରେ ଜଗି ରହି ଧଉଳି ଥାନା ଅଞ୍ଚଳର ନଦୀପଠା ଏକ ମନ୍ଦିର ପାଖରେ ଲୁଟ ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରିଥିଲା । ଏମାନଙ୍କ ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟ ପୁରୀ ମାଳତିପାଟପୁର ଷ୍ଟେସନ ପାଖରେ ଥିବା ବେଳେ ଚୋରି ସାମଗ୍ରୀ ସହ ଏମାନଙ୍କୁ ମଧ୍ୟ କାବୁ କରିଛି ପୋଲିସ । ମୋଟ ୧୧ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ଚୋରି ହୋଇଥିବା ଠାକୁର ମୂର୍ତ୍ତି, ପୂଜା ସାମଗ୍ରୀ, ସୁନା ଶଙ୍ଖା, ନଗଦ ୧୦ଟଙ୍କିଆ କଏନ ଓ ମାରଣାସ୍ତ୍ର ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।



ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 18, 2023, 6:57 PM IST

ABOUT THE AUTHOR

...view details