ଭୁବନେଶ୍ବର:"କୃଷି ଓଡ଼ିଶା-୨୦୨୪" ଉଦଯାପିତ । ଆଜିର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କୃଷି ଓଡ଼ିଶା ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ବିତ କରିବ । କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ବୋଲି କହିଛନ୍ତି ।
ଏହାସହ ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କୃଷକମାନଙ୍କ ନିକଟରେ ସାମର୍ଥ୍ୟ ରହିଛି ବୋଲି କହିଛନ୍ତି । ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବା ଲାଗି ଆହ୍ଵାନ ଦେବା ସହ ନିଜ ଉତ୍ପାଦର ଭଲ ପ୍ୟାକେଜିଂ ଓ ମାର୍କେଟିଂ କରିବା ଉପରେ ଧ୍ୟାନ ଦେବାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କହିଛନ୍ତି । ଜନଜାତି ଅଞ୍ଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଯୋଗଦାନ ଢ଼େର ଅଧିକ ରହିଛି । ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ ସମ୍ଭବ ହେଉଛି । ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ତ୍ବରାନ୍ବିତ ହୋଇପାରିବ ଏବଂ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ରାଜ୍ୟପାଳ କହିଛନ୍ତି ।
ତେବେ ରାଜ୍ୟର ମିଶନ ଶକ୍ତି ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ମହିଳାମାନେ ଜୀବିକାର୍ଜନ ସହଆୟବୃଦ୍ଧି କରିପାରୁଛନ୍ତି । କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ‘କୃଷି ଓଡ଼ିଶା’ ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ଵିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ । "କୃଷି ଓଡ଼ିଶା" ରାଜ୍ୟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ନିବେଶ ସୁଯୋଗକୁ ପ୍ରଦର୍ଶିତ କରିଛି । ଓଡ଼ିଶା ଫସଲ ଉତ୍ପାଦନ ଏବଂ ଉତ୍ପାଦିକତାରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ କୃଷିକର୍ମଣ ପୁରସ୍କାର ପ୍ରାପ୍ତ ହେବା ରାଜ୍ୟ ପାଇଁ ତଥା କୃଷକଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟପାଳ କହିଥିଲେ ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ସବଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବା ମେଳା ବେଶ ସଫଳ ହୋଇଛି । ପ୍ରାୟ ୧୪୦୦କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ସହ ୫୦୦ କୋଟି ଟଙ୍କାର ସବସିଡି ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉତ୍ପାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ଚଳିତ ସବଡିଭିଜନସ୍ତରୀୟ କୃଷି ମେଳାର ସଫଳତା ଦୃଷ୍ଟିରୁ ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳାକୁ ବ୍ଲକ ସ୍ତରରେ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।