ଭୁବନେଶ୍ବର:କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର । ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିର୍ମାଣ ହେବ ନୂତନ OPD ଏବଂ IPD । ଏଥିପାଇଁ ଖର୍ଚ୍ଚ ହେବ ୧୨ କୋଟି ଟଙ୍କା । ରାଜ୍ୟ ସରକାର ୧୨ କୋଟି ୮୪ ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟ ଅଟକଳରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ OPD ଏବଂ IPD କୋଠାର ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ପ୍ରକଳ୍ପ ମଞ୍ଜୁରୀ ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ OPD ଏବଂ IPD କୋଠାର ନିର୍ମାଣ ହେବାକୁ ଥିବାବେଳେ ଏହାର ସିଭିଲ କାମ ପାଇଁ ୬ କୋଟି ୩୩ ଲକ୍ଷ ୫୭ ହଜାର ୭୩୭ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।
ଏହାସହ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବାହାର କାର୍ଯ୍ୟ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ ହୋଇଛି । ଏହାସହ ଅଗ୍ନି ସଂଯୋଗ ପାଇଁ ମଧ୍ୟ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ମଞ୍ଜୁର ହୋଇଛି । ସେହିପରି DG ପାଇଁ ୨୫ ଲକ୍ଷ ଟଙ୍କା, PHର ଫିଟିଂସ ପାଇଁ ୯୫ ଲକ୍ଷ ୩ ହଜାର ୬୬୦ ଟଙ୍କା ଏବଂ ଲିଫ୍ଟ ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ମଞ୍ଜୁରୀ ମିଳିଥିବା ଜଣାପଡିଛି ।