ଭୁବନେଶ୍ବର: ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ଆତଙ୍କ । ଏହାକୁ ମାତ ଦେବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏଣିକି ଘର ଘର ବୁଲି ଡେଙ୍ଗୁ ମଶା ଖୋଜି ବିଏମ୍ସି । ଘର ଭିତରେ ଓ ବାହାରେ ଯଦି ଡେଙ୍ଗୁ ମଶା ମିଳେ ବା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତେବେ ଫାଇନ ଗଣିବେ ଘର ମାଲିକ । ଅନ୍ୟପଟେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ର ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । ତେବେ ଏହାକୁ କଟାକ୍ଷ କରିଛି ବିଜେପି । ମେୟର ଯଦି ଭୁବନେଶ୍ଵର ସମ୍ଭାଳି ପାରୁନାହାନ୍ତି, ତେବେ ଗାଦି ଛାଡ଼ନ୍ତୁ ବୋଲି ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମଶା ମାରିବ ଡ୍ରୋନ, ଡେଙ୍ଗୁ ରୋକିବାକୁ ବିଏମ୍ସିର ପଦକ୍ଷେପ
ସେ କହିଛନ୍ତି, "ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍ ଉଡ଼ାଇଥିଲେ । ଏବେ ମେୟର ପୁଣି ଉଡ଼ାଇବେ କହୁଛନ୍ତି । ମହାନଗର ନିଗମରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିବାବେଳେ ଡ୍ରୋନ ଦ୍ବାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଟିକସଦାତାଙ୍କ ଅର୍ଥରେ ସେମାନଙ୍କର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପରିବର୍ତ୍ତେ ଡ୍ରୋନ ଉଡାଯିବା ଯୋଜନା ହେଉଛି ।" ଡ୍ରୋନ ବଦଳରେ ମେୟର୍ ରାଫେଲ ବିମାନ ଉଡ଼ାଇ ମଶା ବଂଶ ନିପାତ କରନ୍ତୁ ବୋଲି ତାଚ୍ଛଲ୍ୟ କରିଛନ୍ତି ସୁନୀତି । ବିଏମ୍ସି ଅଞ୍ଚଳରୁ ମେୟର ମଶା ଦୂର କରିବାକୁ ଅଞ୍ଚଳ ପରିଷ୍କାର କରାନ୍ତୁ ଏବଂ ନାଳ ନର୍ଦ୍ଦମାର ନିୟମିତ ସଫେଇ କରାନ୍ତୁ ବୋଲି ସେ କହିଛନ୍ତି । ସେପଟେ ବିଏମ୍ସି ମେୟର ଏବଂ କମିଶନରଙ୍କ କଥାରେ ତାଳମେଳ ରହୁନାହିଁ । ଭୋଟ ବେଳେ ଫାଙ୍କା ପ୍ରତିଶ୍ରୁତି ଦେଉଛନ୍ତି, ଜିତିଗଲା ପରେ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁନୀତି ।