ଓଡିଶା

odisha

ଆୟକର ବିଭାଗର ଚଢ଼ାଉକୁ ୪୮ ଘଣ୍ଟା, ତିନି ବ୍ୟବସାୟୀଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା

By

Published : Dec 23, 2022, 9:45 PM IST

ତିନି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ । ଚଢାଉ ୪୮ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ସମ୍ପତ୍ତିର ହୋଇପାରିନି ଆକଳନ । ଘରୁ ବାହାରୁଛି ପୁଳା ପୁଳା ଟଙ୍କା । ଅଧିକ ପଢନ୍ତୁ

Income Tax raids continuing in businessman house
Income Tax raids continuing in businessman house

Income Tax raids continuing in businessman house

କେନ୍ଦ୍ରାପଡା: ତାଳଚୁଆ ଥାନା ଅଧିନରେ ରହୁଥିବା ତିନିଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ(Income Tax Raid in Talachua)ର ଚଢ଼ାଉ । ଚଢାଉକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆକଳନ କରି ହେଉନାହିଁ ସମ୍ପତ୍ତି । ଗୋଟିଏ ପରେ ଗୋଟିଏ ସ୍ଥାନରୁ ବାହାରୁଛି ପୁଳା ପୁଳା ଟଙ୍କା। ଯାହା ଦେଖି ତାଜୁବ ଆୟକର ବିଭାଗ । ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ। ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ ହୋଇଛି ସେନେଇ ନେଇ କେହିବି ମୁହଁ ଖୋଲୁନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବଡ଼ି ଭୋରୁ ଆୟକର ବିଭାଗ କେନ୍ଦ୍ରାପଡାରେ ଏହି ତିନି ବ୍ୟବସାୟୀଙ୍କ ଘରେ ଚଢାଉ କରିଥିଲା । କିନ୍ତୁ ବର୍ତ୍ତମାନ ପ୍ରଯ୍ୟନ୍ତ ଚଢାଉ ଜାରି ରହିଛି । ରାଜନଗର ବ୍ଲକ ତାଳଚୁଆର ବ୍ୟବସାୟୀ ମଦନ ଦେବନାଥ, ଅମଲ ପ୍ରଧାନ ଓ ସୁଜୟ ମଣ୍ଡଳଙ୍କ ଘରେ ଏହି ଚଢ଼ାଉକୁ ବିତିଛି ଦୁଇଦିନ। ଘରେତ ଘରେ ଚାଉଳ ହାଣ୍ଡି, ବହି ରାକ୍‌, ଗଦି, ଅବ୍ୟବହୃତ କାଗଜ ପେଟିରୁ ମିଳୁଛି ପୁଳାପୁଳା ରଶି ବନ୍ଧା ଯାଇଥିବା ୨ହଜାର, ୫ଶହ, ୨ଶହ ଓ ଶହେ ଟଙ୍କିଆ ବଣ୍ଡଲ । ଏତେ ପରିମାଣରେ ଟଙ୍କା ଗଚ୍ଛିତ ଦେଖି ଆୟକର ବିଭାଗର ଆଖି ଖୋସି ହୋଇ ଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲାରେ ଏକାଧିକ ପ୍ଲଟ୍‌, ଟ୍ରଲର୍‌, ଟ୍ରକ୍‌, ସୌଖିନ୍ ଗାଡି, ମୂଲ୍ୟବାନ ଘରର ତାଲିକା ପ୍ରସ୍ତୁତ କରୁଛି ବିଭାଗ ।

ମଦନ ଦେବନାଥ

ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀ ମଦନ ଦେବନାଥଙ୍କ ପାଖରୁ ୧୪ଟି ଟୁ ଇନ୍‌ ୱାନ ଟ୍ରଲର ତାଲିକା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ତିନିକୋଟି ଟଙ୍କା । ଏହାଛଡା ମଦନ ଦେବନାଥ "ନିଗମ ମେରାଇନ"ନାମରେ ଚଳାଉଥିବା ସଂସ୍ଥା ନାମରେ ଗୋଟିଏ ୧୪ ଚକିଆ ଟ୍ରକ, ଦୁଇଟି ୧୨ ଚକିଆ, ଛଅଟି ୬ ଚକିଆ ଓ ଦଶଟି ୨ ଚକିଆ ଗାଡି ରହିଛି ବୋଲି ଆୟକର ବିଭାଗ ଜାଣିବାକୁ ପାଇଛି। ଖାଲି ସେତିକି ନୁହେଁ, ମଦନଙ୍କ ନାମରେ ଗୋଟିଏ ବରଫ କଳ ସମେତ ଧାମରା ପୋର୍ଟ, ଭୁବନେଶ୍ୱର, ବାଲେଶ୍ଵର ଓ ତାଳଚୁଆରେ ମୂଲ୍ୟବାନ ସମ୍ପତ୍ତି ରହିଛି । ଏଥିସହ ଗୋଟିଏ ଲ୍ୟାଣ୍ଡ ରୋଭର, ଫର୍ଚ୍ୟୁନର, ଜିପ୍‌, ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଦାମୀ ବାଇକ୍‌ ସମେତ ସେ ବାର୍ଷିକ ୪ଶହ କୋଟି ଟଙ୍କାର କାରବାର କରୁଥିବା ଜାଣିବାକୁ ପାଇଛି ଆୟକର ବିଭାଗ।

ଅମଲ ପ୍ରଧାନ

ଅମଲଙ୍କ ଆୟ ମଧ୍ୟ ମଦନଙ୍କଠାରୁ କମ ନୁହେଁ, ଅମଲଙ୍କର ଟୁ ଇନ୍‌ ୱାନ୍‌ ୫ଟି ଟ୍ରଲର ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ସାଢ଼େ ସାତକୋଟି ଟଙ୍କା ହେବ। ସେହିପରି ଅମଲଙ୍କ ନାମରେ ଦୁଇଟି ସାଧାରଣ ଟ୍ରଲର୍‌, ଗୋଟିଏ ବରଫ କଳ୍‌, ଗୋଟିଏ ପେଟ୍ରୋଲ୍‌ ପମ୍ପ, ତିନୋଟି ୬ ଚକିଆ ଆଇଚର ଗାଡି, ଦୁଇଟି ପିକ୍‌ଅପ୍‌ ଭ୍ୟାନ, ଦାମୀ ଏକ୍ସୟୁଭି ଗାଡି, ଗୋଟିଏ ଅଲ୍ଟୋ କାର୍‌ ସମେତ ଭୁବନେଶ୍ୱର, ବାଲେଶ୍ଵର, ତାଳଚୁଆ ଓ ପଟ୍ଟାମୁଣ୍ଡାଇରେ ଦାମୀ ଘର ରହିଥିବା ଜାଣି ଏହାର ତାଲିକା କରିଛି ଆୟକର ବିଭାଗ।

ସୁଜୟ ମଣ୍ଡଳ

ସେହିପରି ଅନ୍ୟଜଣେ ବ୍ୟବସାୟୀ ସୁଜୟ ମଣ୍ଡଳଙ୍କର ତିନିକୋଟି ଟଙ୍କା ମୂଲ୍ୟର ଦୁଇଟି ଟୁ ଇନ ୱାନ ଟ୍ରଲର, ଦୁଇଟି ସାଧାରଣ ଟ୍ରଲର,୩ଟି ବକ୍ସ ଆଇଚର ସହ ଗୋଟିଏ ସାଧାରଣ ଆଇଚର, ତାଳଚୁଆର ଭେକଟା ଓ ଧାମରା ପୋର୍ଟରେ ଦାମୀ ଘର ରହିଥିବା ଚଢ଼ାଉ ସମୟରେ ଜାଣିବାକୁ ପାଇଛି ଆୟକର ବିଭାଗ। ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହି ଏତେ ଟଙ୍କାର ମାଲିକ ହୋଇ ସୁଦ୍ଧା ସରକାରଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଏମାନଙ୍କ ଘରେ ଚଢ଼ାଉ କରିଥିଲା ଆୟକର ବିଭାଗ । ପଟ୍ଟାମୁଣ୍ଡାଇ ନଳିନିକାନ୍ତ ଜେନାଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ୬ଟି ଟିମ ରାଜ୍ୟର ୨୬ଟି ସ୍ଥାନରେ ସେମାନଙ୍କ ତଦନ୍ତ ଜାରି ରଖିଛନ୍ତି । ସେହିପରି ଏମାନଙ୍କ ନିକଟରୁ ସୁନା ଅଳଙ୍କାର, କମ୍ପ୍ୟୁଟର ହାର୍ଡ୍‌ ଡିସ୍କ୍‌, ଜମି ପଟ୍ଟା ସମେତ ସମସ୍ତ ବ୍ୟାଙ୍କ୍‌ର ପାସବୁକ୍‌ ଆୟକର ବିଭାଗ ଜବତ କରିଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details