ଓଡିଶା

odisha

By

Published : Jul 27, 2022, 4:45 PM IST

ETV Bharat / state

ଲାଞ୍ଚ ନ ଦେବାରୁ ମିଳିଲାନି ଟଙ୍କା: ୨୯ ବର୍ଷ ହେଲାଣି ଚିଠି ଲେଖୁଛନ୍ତି ବୃଦ୍ଧ ଠିକାଦାର

ଅଭାବ ଅନାଟନରେ ଦିନ କାଟୁଛନ୍ତି ସ୍ବାଭିମାନୀ ଠିକାଦାର । ଲାଞ୍ଚ ନ ଦେବାରୁ ବକେୟା ବିଲ୍ ମିଳିଲାନି । ୨୯ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୫୦ରୁ ଅଧିକ ଚିଠି ଲେଖିଥିଲେ ବି କାହାର ଦୃଷ୍ଟି ପଡୁନି । ପଢନ୍ତୁ ବିସ୍ତୃତରେ

ଲାଞ୍ଚ ନ ଦେବାରୁ ମିଳିଲାନି ଟଙ୍କା: ୨୯ ବର୍ଷ ହେଲାଣି ଚିଠି ଲେଖୁଛନ୍ତି ବୃଦ୍ଧ ଠିକାଦାର
ଲାଞ୍ଚ ନ ଦେବାରୁ ମିଳିଲାନି ଟଙ୍କା: ୨୯ ବର୍ଷ ହେଲାଣି ଚିଠି ଲେଖୁଛନ୍ତି ବୃଦ୍ଧ ଠିକାଦାର

କେନ୍ଦ୍ରାପଡା: ଲାଞ୍ଚ ନ ଦେବାରୁ ଟଙ୍କା ପାଇଲେନି ଠିକାଦାର । ୨୯ ବର୍ଷ କାଳ ବକେୟା ପ୍ରାପ୍ୟ ପାଇବା ପାଇଁ ସରକାର ଓ ବଡ ବଡ ଅଧିକାରୀଙ୍କୁ ଚିଠି ଲେଖୁଛନ୍ତି । କିନ୍ତୁ ବୟସ ଆସି ଅପରାହ୍ନରେ ପହଞ୍ଚି ଥିଲେ ହେଁ କେଉଁଠୁ ଜବାବ ଆସୁନି । ପ୍ରତ୍ୟେକ ମାସରେ ଭତ୍ତା ଟଙ୍କାରେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଚିଠି ଲେଖି ଏହାକୁ ରେଜିଷ୍ଟ୍ରି ପୋଷ୍ଟ କରୁଛନ୍ତି, ହେଲେ କେହି ସହୃଦୟତା ଦେଖାଉନାହାନ୍ତି । ଲାଞ୍ଚ ନ ଦେବାରୁ ୨୯ ବର୍ଷ ହେଲାଣି ନିଜ ବକେୟା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ନେଇ ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ପୁରୁଷୋତ୍ତମପୁର ଗାଁରୁ ।

ଲାଞ୍ଚ ନ ଦେବାକୁ ମିଳିଲାନି ଟଙ୍କା: ୨୯ ବର୍ଷ ହେଲାଣି ଚିଠି ଲେଖୁଛନ୍ତି ବୃଦ୍ଧ ଠିକାଦାର

ପୁରୁଷୋତ୍ତମପୁର ଗାଁର କାହ୍ନୁଚରଣ ଦାଶ । ଯୁବକ ସମୟରେ ପୈତୃକ ସମ୍ପତ୍ତି ବିକି ଭାଙ୍ଗି କାହ୍ନୁଚରଣ ସିଭିଲ କଣ୍ଟ୍ରାକ୍ଟର-ସି ଲାଇସେନ୍ସ ପ୍ରାପ୍ତ କରିଥିଲେ । ଇଚ୍ଛା ଥିଲା ଭଲ ଠିକାଦାର ହେବେ ଭଲ କାମ କରିବେ । 1991-92 ମସିହାରେ କାହ୍ନୁଚରଣ ସମ୍ବଲପୁର ରେଙ୍ଗାଲି ସ୍ଥିତ ସମଲ ୱାର୍କସ ଡିଭିଜନରେ 4 ଲକ୍ଷରୁ ଅଧିକ ଟଙ୍କାର ବିଲ୍ଡିଂ କାମ କରିଥିଲେ । ଏହି କାମ ପାଇଁ ତାଙ୍କୁ ମୋଟ ଚାରୋଟି ପର୍ଯ୍ୟାୟରେ ରନିଂ ବିଲ୍ ଭାବେ 3,92,046 ଟଙ୍କା ମିଳିଥିଲା । କାମ ସରିବା ପରେ ଫାଇନାଲ୍ ବିଲ୍‌ ଭାବେ ବାକି 95,764 ଟଙ୍କା ପାଇଁ ତାଙ୍କୁ ୫୦ ହଜାର ଲାଞ୍ଚ ମଗାଯାଇଥିଲା । ହେଲେ ଲାଞ୍ଚ ନ ଦେବାରୁ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ବାକି ଟଙ୍କା ଦେଇନଥିବା କାହ୍ନୁଚରଣ ଅଭିଯୋଗ କରିଛନ୍ତି । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ଲାଭ ହୋଇନଥିଲା । ସେହିଦିନ ଠାରୁ ବିଭିନ୍ନ ଅଧିକାରୀ ଓ ସରକାରଙ୍କୁ ୫୦ରୁ ଅଧିକ ଚିଠି ଲେଖି ନିଜର ପ୍ରାପ୍ୟ ମାଗୁଥିବା ବେଳେ ଅଦ୍ୟାବଧି କାହ୍ନୁଚରଣଙ୍କ ଫାଇନାଲ୍ ବିଲ ଦେବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ।

ଆଜି କାହ୍ନୁଚରଣ ରାଜ୍ୟ ସରକାରଙ୍କ ଦ୍ବାରା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତାଙ୍କ ସମୟର ଠିକାଦାର ଏବେ କାହିଁ କେତେ ଉର୍ଦ୍ଧ୍ବରେ । ନୀତି ଆଦର୍ଶ ସହିତ ସାଲିସ ନକରି ଏବଂ ନିଜର ସ୍ବାଭିମାନକୁ ଜଳାଞ୍ଜଳି ନଦେଇ ଲଞ୍ଚ ଦେଇନଥିବାରୁ ସେଦିନର ଠିକାଦାର କାହ୍ନୁଚରଣ ଏବେ ସର୍ବହରା ପାଲଟି ଯାଇଥିବା କୁହନ୍ତି ପତ୍ନୀ । ପ୍ରତ୍ୟେହ ପୂଜାପାଠ ଓ ଗୋସେବା କରି ଜୀବନ କାଟୁଥିବା କାହ୍ନୁଚରଣଙ୍କ ପ୍ରତ୍ୟେକ ମାସର ଭତ୍ତା ଟଙ୍କା ବିଭିନ୍ନ ସରକାରୀ କଳକୁ ଚିଠି ଲେଖି ରେଜିଷ୍ଟ୍ରି ପୋଷ୍ଟ ପାଇଁ ଖର୍ଚ୍ଚ ହୋଇଥାଏ । ଏମିତିକି ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ ସେଠାରୁ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଥିଲେ । କିନ୍ତୁ କିଛି ସୁଫଳ ମିଳିଲାନି । ଏପରିକି କାମରେ ଭୁଲ କରିବା ଏବଂ ବ୍ୟୟ ଅଟକଳ ଓ ପ୍ଲାନିଂ ଅନୁଯାୟୀ କାମ ହୋଇନଥିବା ଯୋଗୁଁ ଅବଶିଷ୍ଟ ପ୍ରାପ୍ୟ ଟଙ୍କା ବଦଳରେ ତାଙ୍କୁ ସ୍ବଳ୍ପ ଅର୍ଥ ନେଇ ଘଟଣାକୁ ରଫାଦଫା କରିବା ପାଇଁ ଚାପ ପଡୁଥିବା ମଧ୍ୟ କହିଛନ୍ତି ଦାଶ ଦମ୍ପତ୍ତି ।

ଏନେଇ ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର କହିଛନ୍ତି, '' ଆଇନ ଅନୁଯାୟୀ ଯେହେତୁ କାହ୍ନୁଚରଣ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ତେଣୁ ତାଙ୍କୁ ଅନ୍ୟୁନ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଆବଶ୍ୟକ" ।

ଦିନେ ରାଜ୍ୟ ସରକାରଙ୍କ ଠାରୁ ସି-କ୍ଲାସ କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରାପ୍ତ କରିଥିବା କାହ୍ନୁଚରଣ ଆଜି ଅଭାବ ଅନଟନରେ ଦିନ କାଟୁଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାଶ ଦମ୍ପତି ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details