କେନ୍ଦ୍ରାପଡା: ଲୋକଙ୍କୁ କଲବଲ କରୁଛି ମହଙ୍ଗା ମାଡ । ପନିପରିବା ଠାରୁ ଗ୍ୟାସ ଯାଏଁ ସବୁକିଛି ଦର ଆକାଶ ଛୁଆଁ ରହିଛି । ଯାହା ଏବେ ସ୍କୁଲ ପିଲାଙ୍କ ଖାଦ୍ୟ ଥାଳିକୁ ପ୍ରଭାବିତ କରିଛି । ଉଚ୍ଚ ବଜାର ଦର ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବାବଦରେ ଆସୁଥିବା ଅର୍ଥ କମ୍ ପଡୁଛି । ଏପରିସ୍ଥିତିରେ କିପରି ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଏବଂ ସ୍ବଂୟ ସହୟକ ଗୋଷ୍ଠୀ (ଏସଏଚଜି) । ଫଳସୂରୁପ, କମ୍ ଅନୁଦାନରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ତୁଲାଇବା ମୁସ୍କିଲ ହେଉଥିବାରୁ ସ୍ବୟଂ ସହୟକ ଗୋଷ୍ଠୀ ଏବେ ଏହି ଦାୟିତ୍ବ ଛାଡିବାକୁ ବସିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ 100 ଗ୍ରାମ ଚାଉଳ ସହ 5 ଟଙ୍କା 42 ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ 8 ଟଙ୍କା 10 ପଇସା ଆର୍ଥିକ ସହଯୋଗର ବ୍ୟବସ୍ଥା ରହିଛି । କିନ୍ତୁ ସେତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହୋଇଛି ।
୬-୧୪ ବର୍ଷର ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଲକ୍ଷ୍ୟରେ ୧୯୯୫ ମସିହାରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ ଯୋଜନା(MDM) । ଗତବର୍ଷ ଠାରୁ କୋଭିଡ ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇ ପାରୁନଥିଲେ । କେବଳ ମୁଣ୍ଡପିଛା ଚାଉଳ ଓ ପର୍ଯ୍ୟାୟକ୍ରମେ ପଇସା ଆସୁଥିବା ବେଳେ ଏଥିରୁ ସେତେବେଳେ ସୁଫଳ ପାଇପାରୁନଥିଲେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ । ଚଳିତ ବର୍ଷ ଶତ ପ୍ରତିଶତ ପାଠ୍ୟକ୍ରମ ସହ ବିଦ୍ୟାଳୟ ଚାଲିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରସ୍ତୁତ ହେଉଛି । କିନ୍ତୁ ବେଲଗାମ ବଜାର ଦର ଏବେ ସିଧାସଳଖ ପ୍ରଭାବ ପକାଇଛି ଛାତ୍ରଛାତ୍ରୀଙ୍କ ଖାଇବା ଥାଳିରେ।
କେନ୍ଦ୍ରାପଡ଼ା ବ୍ଲକ ସରସ୍ବତୀ ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଦୀର୍ଘ ୨୦୦୮ ମସିହାରୁ ରହିଥିବା ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଅଧୁନା ମହରଗ ବଜାର ଦରରେ ଛାତ୍ରଛାତ୍ରୀଙ୍କୁ କିପରି ପୌଷ୍ଟିକ ଆହାର ଯୋଗାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ଏବେ ଉଚ୍ଚ ବଜାର ଦର ଏବଂ କମ୍ ସରକାରୀ ଅନୁଦାନ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଛାଡିବାକୁ ବାଧ୍ୟ କରୁଛି ବୋଲି କହିଛନ୍ତି ।