ଓଡିଶା

odisha

By

Published : Nov 25, 2019, 11:11 PM IST

ETV Bharat / state

ପାଣି ପିଇବା ପାଇଁ ସ୍କୁଲରେ ବାଜୁଛି 3ଥର ଘଣ୍ଟି

ଝାରସୁଗୁଡା ସହର ମଧ୍ୟରେ ଥିବା ଜୟଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି 'ସମସ୍ତ ଛାତ୍ରଛାତ୍ରୀ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ' ଅଭିଯାନ । ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ପାଇଁ ପାଣି ପିଇବାକୁ ବାଜିବ 3 ଥର ଘଣ୍ଟି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ସ୍କୁଲରେ ପ୍ରାର୍ଥନା ଘଣ୍ଟି, ଖେଳ ଛୁଟି ଘଣ୍ଟି ଏବଂ ପରବର୍ତ୍ତୀ ଘଣ୍ଟି ବାଜୁଥିବା କଥା ଆପଣ ନିଶ୍ଚୟ ଶୁଣୁଥିବେ । ହେଲେ ପାଣି ପିଇବା ଘଣ୍ଟି ଆପଣ ପ୍ରଥମ ଥର ପାଇଁ ଶୁଣିବେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସ୍କୁଲରେ ପାଣି ପିଇବାକୁ ବାଜୁଛି ଘଣ୍ଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ସହର ମଧ୍ୟରେ ଥିବା ଜୟଲ୍ୟାଣ୍ଡ ପ୍ରାଥମିକ ବିଦ୍ୟାଳୟରେ । ଏହି ଘରୋଇ ବିଦ୍ୟାଳୟରେ 550ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଥିବାବେଳେ ଏମିତି ଏକ ଅଭିନବ ପଦକ୍ଷେପ ଝାରସୁଗୁଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

'ସମସ୍ତ ଛାତ୍ରଛାତ୍ରୀ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ' ଆରମ୍ଭ ହୋଇଥିବା ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ପାଇଁ ପାଣି ପିଇବାକୁ 3 ଥର ଘଣ୍ଟି ବାଜିବ । ଛାତ୍ରଛାତ୍ରୀ ଆଣିଥିବା ପାଣି ବୋତଲ କିମ୍ବା ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇପାରିବେ । ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଠିକ୍ ପରିମାଣର ପାଣି ପିଇଲେ ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ । ବିଦ୍ୟାର୍ଥୀମାନେ ପାଣି କମ୍‌ ପିଉଥିବାରୁ ଜଳାଭାବ, ଜ୍ବର ଓ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏସମସ୍ତ ରୋଗରୁ ସେମାନଙ୍କୁ ଦୂର ରଖିବା ପାଇଁ ପାଣି ପିଇବା ପ୍ରତି ସଚେତନ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଜୟଲ୍ୟାଣ୍ଡ ବିଦ୍ୟାଳୟ କର୍ତ୍ତୃପକ୍ଷ ।

ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହି ବିଦ୍ୟାଳୟରେ ଗତ 21 ତାରିଖରୁ ପାଣି ପିଇବା ଏହି ଅଭିଯାନ ଆରମ୍ଭ ହୋଇଛି । ଗତ ଗୁରୁବାର ଠାରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ପରେ ଦିନକୁ ୩ ଥର ପାଣି ପିଇବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବାଜୁଛି ଘଣ୍ଟି । ଏବେ ପାଣିର ଗୁରୁତ୍ବ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଏଭଳି ଅଭିଯାନ ଝାରସୁଗୁଡାରେ ପ୍ରଥମ । ପୂର୍ବରୁ ଅନ୍ୟ ରାଜ୍ୟରେ ଏଭଳି ବ୍ୟବସ୍ଥା ଥିବାବେଳେ ଏଭଳି ଅଭିନବ ପ୍ରୟାସ ଓଡିଶାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ କେବେ କଡ଼ାକଡ଼ି ଭାବରେ ଲାଗୁ ହେବ ତାହା ସମୟ କହିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details