ଯାଜପୁର:ହାତରେ ବହି ଖାତା ବଦଳରେ ପ୍ଲାକାର୍ଡ । ଶ୍ରେଣୀ ଗୃହ ଛାଡ଼ି ରାସ୍ତାରେ ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ଯାଜପୁର ସୁକିନ୍ଦା ବ୍ଲକ ବାହାବଳପୁର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାହାବଳପୁର ଅଞ୍ଚଳ କାନନେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟରେ ପାଠ ପଢ଼ିବାରେ ଅସମର୍ଥ ହେଉଛନ୍ତି । ବର୍ତ୍ତମାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ଏହାକୁ ସମର୍ଥନ ଦେଇଛନ୍ତି ।
ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହୋଇଛି । ପୂର୍ବରୁ ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ପିଲାଙ୍କ ପାଠପଢ଼ା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇ ସାରିଛି । ଏବେ ସ୍କୁଲ ଖୋଲିବା ପରେ ଶିକ୍ଷକ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ତୁରନ୍ତ ଏହି ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି ଦେବାକୁ ଛାତ୍ରଛାତ୍ରୀ ଶିକ୍ଷା ବିଭାଗ ନିକଟରେ ଦାବି ଜଣାଇଛନ୍ତି ।