ଯାଜପୁର: ସୋସିଆଲ ମିଡିଆରୁ ଖବର ପାଇ ଗାଁରେ ପହଞ୍ଚିଥିଲେ ସାଂସଦ । କିଛି ବାଟଗଲା ପରେ ସାଂସଦଙ୍କ ଗାଡି ଆଗକୁ ଗଡିଲାନି । ରାସ୍ତାର ଅବସ୍ଥା ଏମିତି ଥିଲା ଯେ ଗାଡିର ଡ୍ରାଇଭର ଗାଡିକୁ ଆଗକୁ ନେବାକୁ ସାହାସ ଜୁଟାଇପାରିନଥିଲେ । ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ । ରାସ୍ତା ଖରାପ ଯୋଗୁଁ ଗ୍ରାମବାସୀଙ୍କୁ ବାଟରେ ଦେଖାକରି ଫେରିଥିଲେ ଉଭୟ ସାଂସଦ ଓ ବିଧାୟକ । ଏହା କୌଣସି ଅପହଞ୍ଚ ଇଲାକାର କଥା ନୁହେଁ, ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୨୫ କିମି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ କୋରାଇ ବ୍ଲକର ଗୋଳେଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିଆ ଗ୍ରାମର ଦୁର୍ଦ୍ଦଶା । ଦିନେ ନୁହେଁ ମାସେ,ବର୍ଷ ବର୍ଷ ଧରି କାଦୁଅ ପାଣି ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନେ ପରିସ୍ଥିତି ସାଂଘାତିକ ହୋଇପଡେ ।
ସୂଚନା ଯେ ସୋସିଆଲ ମିଡିଆରୁ ଖବର ପାଇ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ତେଲିଆ ଗାଁରେ ପହଞ୍ଚିଥିଲେ । କିନ୍ତୁ ବର୍ଷା ଦିନେ ରାସ୍ତାର ଅବସ୍ଥା ଏପରି ଥିବ ବୋଲି ସାଂସଦଙ୍କ କଳ୍ପନାର ବାହାରେ ଥିଲା । ଗାଁ ଶେଷ ମୁଣ୍ଡକୁ ଯିବା ପାଇଁ ସାଂସଦଙ୍କର ଇଚ୍ଛା ଥିଲେ ମଧ୍ୟ ଗାଡିକୁ ଆଗକୁ ନେବାକୁ ଡ୍ରାଇଭର ସାହାସ ଜୁଟାଇ ପାରିନଥିଲେ । ଫେରି ଆସିଥିଲେ ସାଂସଦ । ନିଜେ ଦେଖିଲେ ରାସ୍ତା ବିନା କିଭଳି ଶୋଚନୀୟ ଗ୍ରାମର ସ୍ଥିତି । କିଭଳି ଭାବରେ ହୀନସ୍ତାରେ 71 ବର୍ଷ କଟାଇ ସାରିଲେଣି ଲୋକେ ।
ଗାଁରେ କୌଣସି ରୋଗୀ ପଡିଲେ ଦରକାର ପଡେ ଦୋଳା । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରେନି ଆମ୍ବୁଲାନ୍ସ । ଗାଁ ନାଳ ଉପରେ ପୋଲ ନଥିବାରୁ ଲୋକେ ବାଉଁଶ ପୋଲରେ ଯାତାୟତ କରୁଛନ୍ତି । ବାରମ୍ବାର ଗ୍ରାମବାସୀ ଏ ଅଫିସରୁ ସେ ଅଫିସ ଦୌଡିବାର ଫଳ କେବଳ ଫଳକଟିଏ ମିଳିଛି ସତ କିନ୍ତୁ କିଛି ଫଳ ମିଳିନି ।