ଯାଜପୁର: ବର୍ତ୍ତମାନ ସାରାବିଶ୍ବରେ କୋରୋନା ଆତଙ୍କ । ଆଉ କୋରୋନାର ହା ହା କାର ପାଇଁ ବିଶ୍ୱ ତଥା ଭାରତ ଏବେ ଲକଡାଉନ ସ୍ଥିତିରେ । ଏଭଳି ପରିସ୍ଥିତିରେ ଖାଇବାକୁ ପାଉ ନଥିବା ଗରିବ ଅସହାୟମାନଙ୍କୁ କିଛି ସ୍ବେଚ୍ଛାସେବୀ ଆହାର ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଉଛନ୍ତି । କିନ୍ତୁ ଯେଉଁ ଜାତିକୁ ଲୋକେ ଛୋଟ ନଜରରେ ଦେଖି ଟାହି ଟାପରା କରନ୍ତି, ଆଜି ସେମାନେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବସ୍ତିବାସିନ୍ଦାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେ ଆଉ କେହି ନୁହେଁ, ଯାଜପୁର ରୋଡ ଶାନ୍ତି ସେନାର କିନ୍ନର ସଂଘ ।
ଲକଡାଉନ କାରଣରୁ ଲୋକେ ନା ଘରେ ରହୁଛନ୍ତି ନା ନିଜ ଛୁଆଙ୍କୁ ଓଳିଏ ଖାଇବାକୁ ଦେଇପାରୁଛନ୍ତି । ଏଭଳି ସ୍ଥିତିରେ ଯାଜପୁର ବ୍ୟାସନଗର ଅଞ୍ଚଳ ଜଗନ୍ନାଥ ସାହି ବସ୍ତିରେ ରହୁଥିବା ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ଦାନା ଦେଇଛନ୍ତି ଏହି କିନ୍ନର ସମାଜ । କୋରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବା ପରଠାରୁ ନା ଏମାନେ କିଛି କାମ କରି ପାରୁଛନ୍ତି ନା କିଛି ରୋଜଗାର କରି ପାରୁଛନ୍ତି । ଯାହା ଫଳରେ ଏହି ବସ୍ତିବାସିନ୍ଦାଙ୍କୁ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଢୁଛି ।