ଯାଜପୁର: ଆର୍ଥିକ ସଙ୍କଟରେ ଜୁଝୁଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ପୁଞ୍ଜି ବିନିବେଶ ପାଇଁ କେନ୍ଦ୍ର ସରକାର ଚଳାଇଛନ୍ତି ପ୍ରସ୍ତୁତି । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମାନି କାରଖାନାର ପୁଞ୍ଜି ନିବେଶକାରୀ ସଂସ୍ଥା ମାନେ ମଧ୍ୟ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି । ତେବେ ନୀଳାଚଳ ଇସ୍ପାତ ଭଳି ରୁଗଣ ହୋଇ ପଡିରହିଥିବା ଶିଳ୍ପ ସଂସ୍ଥା ଗୁଡିକର ପୁନରୁଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରୀୟ ବଜେଟରେ 1ଲକ୍ଷ 75ହଜାର କୋଟି ଟଙ୍କା ପୁଞ୍ଜି ବିନିବେଶ ପାଇଁ ଘୋଷଣା କରାଯାଇଛି ।
କୋରୋନା ପ୍ରବେଶ କରିବା ଦିନ ଠାରୁ ଦୀର୍ଘ ପ୍ରାୟ 11ମାସ ହେବ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ କର୍ମଚାରୀ, ଠିକା ଶ୍ରମିକ ଓ ଠିକାଦାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ସେପଟେ କାରଖାନାର ଘରୋଇକରଣ ପାଇଁ ଅନେକ ରୁଚିପତ୍ର ଆସୁଥିବା ବେଳେ କାରଖାନାକୁ ରଣନୀତିକ ବିକ୍ରି କରିବାକୁ କେନ୍ଦ୍ର ସରକାର ମସୁଧା ଚଳାଇଛନ୍ତି । ମାତ୍ର କାରଖାନା ବିକ୍ରି ପରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା କେତେଦୂର ଲାଭବାନ ହେବ ତାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି ଶ୍ରମିକ କର୍ମଚାରୀ ଓ ବିସ୍ଥାପିତ ପରିବାର ।
ଯାଜପୁରର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ୍ କାରଖାନା (NINL) ପାଇଁ କେନ୍ଦ୍ର ସରକାରଙ୍କୁ ମିଳିଛି ଅନେକ ରୁଚିପତ୍ର । ଅନେକ ବିଡର ଏଥିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନକାନ୍ତ ପାଣ୍ଡେ ଟ୍ବିଟ କରି ସୂଚନା ଦେଇଛନ୍ତି । ଦୀପମ ଜାନୁଆରୀରେ NINLର ରଣନୀତିକ ବିକ୍ରି ପାଇଁ ପ୍ରାଥମିକ ବିଡ୍ ଆମନ୍ତ୍ରଣ କରିଥିଲା । ବିଡ୍ ଦାଖଲ ପାଇଁ ଶେଷ ତାରିଖ ଥିଲା ମାର୍ଚ୍ଚ 29 । ଏ ସମ୍ବନ୍ଧରେ ପାଣ୍ଡେ ଟ୍ବିଟରେ ଦର୍ଶାଇଛନ୍ତି ଯେ, NINLର ଘରୋଇକରଣ ପାଇଁ ଅନେକ ରୁଚିପତ୍ର ମିଳି ସାରିଛି । ପ୍ରକ୍ରିୟା ଏବେ ଦ୍ବିତୀୟ ପର୍ଯ୍ୟାୟକୁ ଆସିଛି । ନୀଳଚଳ ଇସ୍ପାତରେ 3 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଥିବା ବେଳେ ଆଉ ଆର୍ଥିକ ସଙ୍କଟ ଯୋଗୁଁ କମ୍ପାନୀ ସେମାନଙ୍କୁ ଦୀର୍ଘ ପ୍ରାୟ 11ମାସ ହେବ ଦରମା ମଧ୍ୟ ଦେଇପାରୁ ନାହିଁ । ଏଥିଲାଗି କର୍ମଚାରୀ ମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ତେବେ ପୁଞ୍ଜି ପ୍ରତ୍ୟାହାର ପରେ କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ ତାହା ଏବେ ଅନିଶ୍ଚିତ ହୋଇ ପଡିଛି । କାରଖାନା ପାଇଁ ବିସ୍ଥାପିତ ହୋଇଥିବା 640 ପରିବାର ସଦସ୍ୟ ମଧ୍ୟ ସେମାନଙ୍କର ଭାଗ୍ୟ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । ସେମାନେ କାରଖାନା ଘରୋଇକରଣକୁ ବିରୋଧ କରିବା ସହିତ ତୁରନ୍ତ ସରକାରଙ୍କ ନିଜସ୍ବ ଉଦ୍ୟମରେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ଜଣାଇଛନ୍ତି ।