ବ୍ରହ୍ମପୁର: କମାଲ କରି ଦେଖାଇଲେ ଓଡି଼ଆ ଝିଅ ମଧୁସ୍ମିତା ପାତ୍ର । ଆଫ୍ରିକା ମହାଦେଶର ୫ହଜାର ୮୯୫ମିଟର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ ଉଡାଇଲେ ତ୍ରିରଙ୍ଗା । ବ୍ରହ୍ମପୁର ସହର ଗୋସାଣି ନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଗତ ୧୨ ତାରିଖ ଦିନ ସକାଳ ୭.୦୫ରେ ଏଭଳି ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋକୁ ସଫଳତାର ସହ ଆରୋହଣ କରିବାରେ ସଫଳ ହୋଇଥିଲେ ।
ସୂଚନା ଅନୁଯାୟୀ, ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ହୋଇଥିବା ବେଳେ ସେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତରୋହଣ ସଂସ୍ଥା (HMI) ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଆରୋହଣ କରିଥିଲେ । ଏହାପରେ ଏଭଳି ସଫଳତାକୁ ନେଇ ମଧୁସ୍ମିତା ଏବଂ ତାଙ୍କ ପରିବାରବର୍ଗ ବେଶ ଖୁସି ଅନୁଭବ କରିଛନ୍ତି ।
ସୁଶ୍ରୀ ପାତ୍ର ଚଳିତମାସର ୧୦ ତାରିଖରେ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜାରୋ ଆରୋହଣରେ ବାହାରିଥିଲେ । ପ୍ରତ୍ୟେକଦିନ ପ୍ରାୟ ୫ ର ୭ ଘଣ୍ଟା ପାହାଡ ଚଢି, କ୍ୟାମ ଗୁଡିକରେ ରାତ୍ରିଯାପନ କରି ଶେଷରେ ଫେବୃୟାରୀ ୧୨ରେ ମଧୁସ୍ମିତା ବେସକ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ରାତ୍ର ୧୨ଟା ସମୟରେ ନିଜ ଗାଇଡ଼ ସହ ସେ କିଲିମାଞ୍ଜରୋର ଅନ୍ତିମ ଆରୋହଣରେ ବାହାରିଥିଲେ ।