ବ୍ରହ୍ମପୁର:ଶ୍ବଶୁର ଘରେ ଜୀବନ ହାରିଲେ ଡାକ୍ତର ଜ୍ବାଇଁ ! ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଶକ୍ତିନଗର ପ୍ରଥମ ଲାଇନରେ ରହୁଥିବା ପି.କେ ବ୍ରହ୍ମାଙ୍କ ଘରକୁ ତାଙ୍କ ଡାକ୍ତର ଜ୍ବାଇଁ ପୁଅ ଆସିଥିବା ବେଳେ ସୋମବାର ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ପରିବାର ବର୍ଗ କବାଟ ଭାଙ୍ଗି ଭିତରକୁ ପଶିଥିବା ବେଳେ ଡାକ୍ତର ସୁରେନ୍ଦ୍ର ନାଥ ରଥଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ସୁରେନ୍ଦ୍ରଙ୍କ ଘର ରାୟଗଡା ହୋଇଥିବା ବେଳେ, ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ମେଡ଼ିସିନ ବିଭାଗରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ । କିଭଳି ଏବଂ କେଉଁ ପରିସ୍ଥିତିରେ ଡାକ୍ତର ଜଣଙ୍କ ମୃତ୍ୟୁ ହୋଇଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଉକ୍ତ ଘରୁ ଗୋଟିଏ କଟୁରି ଓ ଚିରା ଯାଇଥିବା ଏକ ବେଡସିଟ ଜବତ କରିଛି । ପାରିବାରିକ କଳହରୁ ଡାକ୍ତର ସୁରେନ୍ଦ୍ର ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ..୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସ୍ଙ୍କୁ ଗଳା କାଟି ହତ୍ୟା, ମାମଲା ରୁଜୁ