ଓଡିଶା

odisha

By

Published : May 16, 2020, 4:31 PM IST

ETV Bharat / state

ଜବରଦଖଲକାରୀ କବଜାରେ ଜମି, ହନ୍ତସନ୍ତ ହେଉଛନ୍ତି ଗ୍ରୀନକାର୍ଡଧାରୀ ଦମ୍ପତି

ଜବରଦଖଲକାରୀଙ୍କ କବଜାରେ ଜମି । ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରୀନକାର୍ଡଧାରୀ ଗରିବ ଦମ୍ପତି ।

green card land in debaghar district
ଜବରଦଖଲକାରୀ କବ୍ଜାରେ ଜମି

ଦେବଗଡ: ଜବରଦଖଲକାରୀଙ୍କ କବଜାରେ ଗ୍ରୀନକାର୍ଡଧାରୀ ଦମ୍ପତିଙ୍କ ରେକର୍ଡ ଜମି । ବର୍ଷେ କି ଦୁଇବର୍ଷ ନୁହେଁ ଆଜକୁ ଦୀର୍ଘ 21 ବର୍ଷ ହେଲା ଜବର ଦଖଲକାରୀଙ୍କ ଅକ୍ତିଆରରେ ଥିବା ନିଜ ରେକର୍ଡ ଜମିକୁ ଫେରି ପାଇବା ପାଇଁ ଅବିରତ ସଂଗ୍ରାମ କରି ଆସୁଛନ୍ତି ଟିଙ୍କବିର ଗାଁର ଗରିବ ଗ୍ରୀନକାର୍ଡଧାରୀ ଦମ୍ପତି ।

ଜବରଦଖଲକାରୀ କବ୍ଜାରେ ଜମି

ଦେବଗଡ଼ ଜିଲ୍ଲା ରିଆମାଳ ତହସିଲ ଅନ୍ତର୍ଗତ ଟିଙ୍କବିର ଗାଁରେ ବସବାସ କରନ୍ତି ସରୋଜ ସାହୁଙ୍କ ପରିବାର । ଗୋଟିଏ ସନ୍ତାନ ପରେ ସ୍ତ୍ରୀ ଭାନୁମତି ସାହୁ ଗତ 1997 ମସିହାରେ ପରିବାର ନିୟୋଜନ କରି ସରକାରଙ୍କ ଗ୍ରୀନକାର୍ଡ ( ସବୁଜ ପତ୍ରିକା ) ଯୋଜନାରେ ସାମିଲ ହୋଇଥିଲେ । ସେହି ସମୟରେ ଗ୍ରୀନକାର୍ଡଧାରୀଙ୍କୁ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରୋତ୍ସାହନ ସ୍ବରୂପ ଗୃହ ନିର୍ମାଣ ପାଇଁ 10 ଡିସମିଲ ଘରବାରି କିଶମ ଜମି ଯୋଗାଇ ଦିଆଯାଇଥିଲା । ହେଲେ ଗ୍ରୀନକାର୍ଡ ଧାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ରେକର୍ଡ ଜମିକୁ ଅଞ୍ଚଳର ଜଣେ ପ୍ରଭାବଶାଳୀ ଲୋକ ଜବରଦଖଲ କରି ନେଇଛନ୍ତି ।

ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତରା କରି ପ୍ରଭାବଶାଳୀ ବ୍ୟକ୍ତି ଜଣକ ଜମିକୁ ବେଆଇନ ଭାବେ ଦଖଲ କରିଥିବା ଅଭିଯୋଗ ହେଉଛି । ଜମିକୁ ଡିମାରକେସନ କରି ରେକର୍ଡଧାରୀ ପ୍ରଜାଙ୍କୁ ହସ୍ତାନ୍ତର କରାଯିବାକୁ ଆଜକୁ ଦୀର୍ଘ 21 ବର୍ଷ ହେଲା ଦମ୍ପତି ରିଆମାଳ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଦେବଗଡ଼ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଛନ୍ତି । ହେଲେ ଉକ୍ତ ଜମିର ଡିମାରକେସନ କରିବା ଓ ସମ୍ପୃକ୍ତ ଜବରଦଖଲ କାରୀଙ୍କୁ ସେଠାରୁ ଉଚ୍ଛେଦ କରିବା ଦିଗରେ ବିଭାଗୀୟ କତ୍ତୃପକ୍ଷଙ୍କ ତତ୍ପରତା ପ୍ରକାଶ ପାଉନାହିଁ । ଯାହାକି ବିଭାଗୀୟ କତ୍ତୃପକ୍ଷଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ମୁଣ୍ଡ ଗୁଞ୍ଜିବାକୁ ଏହି ଗରିବ ପରିବାର ପାଖରେ ଘର ଖଣ୍ଡିଏ ନାହିଁ । ଏ ସମ୍ପର୍କରେ ଆମେ ରିଆମାଳ ତହସିଲଦାର ବିମଳା ବିରୁଲିଙ୍କୁ ପଚାରିଥିଲୁ। ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିବା ସହିତ ସେ ଏଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଦେବଗଡରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ABOUT THE AUTHOR

...view details