କଟକ:ବହୁଚର୍ଚ୍ଚିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା । ଆସିଲା ରାଜଶ୍ରୀଙ୍କ ମୃତଦେହ ପାଖରୁ ଜବତ ହାତଲେଖା ଚିଠିର ଫିଙ୍ଗର ପ୍ରିଣ୍ଟ ରିପୋର୍ଟ । ଜଉମୁଦ ଲଫାପାରେ ଗୁରୁଡ଼ିଝାଟିଆ ପୋଲିସ ପାଖକୁ ଆସିଛି ରିପୋର୍ଟ । କିନ୍ତୁ ବର୍ତ୍ତମାନ ସୁଦ୍ଧା ରିପୋର୍ଟକୁ ପଢା ଯାଇନଥିବା ପୋଲିସ ସୂଚନା ଦେଇଛି । ରାଜଶ୍ରୀଙ୍କ ମୃତଦେହ ମିଳିବା ପରେ ତାଙ୍କ ଗାଡି ଡିକିରୁ ଜବତ ହୋଇଥିଲା ଏହି ହାତଲେଖା ଚିଠି । ଚିଠିରେ ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଟିମର କୋଚ ଓ ଓସିଏ ସଦସ୍ୟ ମାଣ୍ଡେଲାଙ୍କ ନାଁ ଉଲ୍ଲେଖ ଥିଲା । ତେବେ ଚିଠିଟିକୁ ଲେଖିଛି କିଏ, ରାଜଶ୍ରୀ ନା ଆଉ କିଏ ତାହା ବର୍ତ୍ତମାନ ସୁଦ୍ଧା ପ୍ରଶ୍ନବାଚୀ ହୋଇ ରହିଯାଇଛି । ଚିଠି ପଢାଯିବା ପରେ ତାହା ସ୍ପଷ୍ଟ ହେବ ।
ଗତ ଜାନୁଆରୀ 13 ତାରିଖରେ କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ଗୁରୁଡ଼ିଝାଟିଆ ନିକଟସ୍ଥ ଏକ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତ୍ୟଦେହ ଠାବ କରିଥିଲା ପୋଲିସ। । ଏହାପରେ ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଠିକ ପର ଦିନ ମହିଳା କ୍ରିକେଟରଙ୍କ ଡିକିରୁ ହତାଲେଖା ଚିଠି ଜବତ ହୋଇଥିଲା । ଉକ୍ତ ଚିଠିରେ ମହିଳା କ୍ରିକେଟରଙ୍କ ମୃତ୍ୟୁ ପଛରେ ଜଣେ ଓସିଏ କର୍ମକର୍ତ୍ତାଙ୍କ ହାତ ଥିବା ନେଇ ଉଲ୍ଲେଖ କରାଯାଇଥିଲା । ପ୍ରକୃତରେ ଏହି ଚିଠି ତାଙ୍କର ନା ଆଉ କାହା ଦ୍ବାରା ଲେଖାଯାଇଛି ସେନେଇ ପୋଲିସ ହ୍ୟାଣ୍ଡରାଇଟିଂ ଯାଞ୍ଚ ପାଇଁ ପଠାଇଥିଲା । ଯାହାର ରିପୋର୍ଟ ଏବେ ହସ୍ତଗତ ହୋଇଛି ।
ମୃତ୍ୟୁ ପୂର୍ବରୁ କଟକ ବଜ୍ରକବାଟିସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳୀ । ଟାଙ୍ଗୀ ସ୍ଥିତ ଏକ ଘରୋଇ କଲେଜରେ ଅଭ୍ୟାସ ଚାଲିଥିଲା । ମୋଟ ୩୯ ଜଣ ଖେଳାଳୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୨୫ ଜଣିଆ ଟିମରେ ଥିଲେ ରାଜଶ୍ରୀ । କିନ୍ତୁ ଅନ୍ତିମ ୧୬ ଜଣିଆ ଟିମରେ ତାଙ୍କୁ ମିଳି ନଥିଲା ସ୍ଥାନ । ଏହାପରେ ଗତ ଜାନୁୟାରୀ ୧୧ ଦିନ ତାରିଖ ଦିନ ବାପାଙ୍କୁ ଔଷଧ ଦେବାକୁ ଯାଉଛି କହି ନିଜ ସ୍କୁଟିରେ ବାହାରି ଥିଲେ ।