ଓଡିଶା

odisha

By

Published : May 26, 2023, 11:32 AM IST

Updated : May 26, 2023, 2:29 PM IST

ETV Bharat / state

ଛତିଶଗଡ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା: ସିଲ୍‌ ନୁହେଁ ସବୁଦିନ ପାଇଁ ମୁଣ୍ଡଳୀ ଟୋଲ ଗେଟ ବନ୍ଦ ପାଇଁ ଦାବି

ପର୍ଯ୍ୟଟକଙ୍କୁ ମାରପିଟ୍ ଘଟଣା ପରେ ସବୁଦିନ ପାଇଁ ମୁଣ୍ଡଳୀ ଟୋଲ ଗେଟ୍ ବନ୍ଦ କରିବାକୁ ଦାବି । ଅଧିକ ପଢନ୍ତୁ

ମୁଣ୍ଡଳୀ ଟୋଲ ଗେଟ୍ ବନ୍ଦ କରିବାକୁ ଉଠିଲା ଦାବି
ମୁଣ୍ଡଳୀ ଟୋଲ ଗେଟ୍ ବନ୍ଦ କରିବାକୁ ଉଠିଲା ଦାବି

ଛତିଶଗଡ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା

କଟକ: ଛତିଶଗଡ ପର୍ଯ୍ୟଟକଙ୍କୁ ମାରପିଟ୍ ଘଟଣା ପରେ ମୁଣ୍ଡଳୀ ଟୋଲ ଗେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି । ଟୋଲ ଗେଟରେ ଗୁଣ୍ଡାରାଜ ବଢିଗଲାଣି । ତେଣୁ ଟୋଲ ଗେଟକୁ ସିଲ୍ ନୁହେଁ, ବରଂ ସବୁଦିନ ପାଇଁ ବନ୍ଦ କରାଯାଉ ବୋଲି ଏବେ ଦାବି ଉଠିଛି । ଏଠାରେ ଯାତ୍ରୀଙ୍କ ଠାରୁ ଅଧିକ ଟୋଲ ଟାକ୍ସ ଆଦାୟ କରାଯାଉଛି । ଟୋଲ୍ ଗେଟରେ ପାରି ହେବା ପାଇଁ ୩୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରି ଆକ୍ରମଣ ଘଟଣା କେବେବି ଗ୍ରହଣୀୟ ନୁହେଁ । ମାରପିଟ୍ ପରେ ପ୍ରଶାସନ ମୁଣ୍ଡଳୀ ଟୋଲ୍ ଗେଟକୁ ସିଲ୍ କରି ତଦନ୍ତ ଜାରି ରଖିଛି । ତେବେ ଗୁଣ୍ଡାରାଜ ବଢି ଯାଇଥିବାରୁ ମୁଣ୍ଡଳୀରେ ସବୁଦିନ ଲାଗି ଟୋଲ ଟ୍ୟାକ୍ସ ଆଦାୟ ବନ୍ଦ ହେଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ସଂଗଠନ ।

ମୁଣ୍ଡଳୀ ବ୍ୟାରେଜ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଯାତାୟତ କରୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ କଟକ ଆସୁଛନ୍ତି । ଟୋଲ ଆଦାୟ ନାଁରେ ଏପରି ଆକ୍ରମଣ କରିବା ଘଟଣାକୁ କେବେ ବି ସହଜରେ ଛଡାଯିବ ନାହିଁ । ଛତିଶଗଡ ପର୍ଯ୍ୟଟକଙ୍କୁ ମାରପିଟ୍ ଘଟଣା ଲୋକଲୋଚନକୁ ଆସିବା ପରେ ଏହି ରାସ୍ତା ଦେଇ ଯା'ଆସ କରୁଥିବା ଯାତ୍ରୀମାନେ ଏବଂ ବିଭିନ୍ନ ସଂଗଠନ ମୁଣ୍ଡଳୀ ଟୋଲ ଗେଟ୍ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଟୋଲ ଗେଟରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ୨ ଦନ ବିତି ଯାଇଥିଲେ ବି ଅଦ୍ୟାବିଧି କେବଳ ୪ ଜଣକୁ ଗିରଫ କରି ଚୁପ୍ ବସିଛି ଆଠଗଡ଼ ପୋଲିସ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

୧୯୯୬ ମସିହା ଠାରୁ ଆଜି ଯାଏଁ ମୁଣ୍ଡଳୀ ଟୋଲ ଗେଟ୍ ଜରିଆରେ ଟିକସ ଆଦାୟକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଆସୁଛନ୍ତି । ଏବେ ଏଠାରେ ଗୁଣ୍ଡାରାଜ ଘଟଣା ପଦାକୁ ଆସିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ଏହି ଟୋଲ ଗେଟକୁ ସବୁଦିନ ପାଇଁ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଟୋଲ ଗେଟ୍ ଉଠି ଯାଇଥିବା ବେଳେ OBCC(Odisha Bridge & Construction Corporation Limited Bhubaneswar) ପକ୍ଷରୁ କଟକ ଜିଲ୍ଲାରେ ଏହି ଗୋଟିଏ ସ୍ଥାନରୁ ଯାତ୍ରୀଙ୍କ ଠାରୁ ଜୋର ଜବରଦସ୍ତି ଅଧିକ ଟୋଲ୍ ଟାକ୍ସ ଆଦାୟ ହେଉଥିବାରୁ ଯାତ୍ରୀ ଅସନ୍ତୋଷ ଦେଖାଯାଇଛି ।

ଏହାମଧ୍ୟ ପଢନ୍ତୁ: ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ, କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ

ପ୍ରକାଶଥାଉ କି, ଛତିଶଗଡ ତୀର୍ଥଯାତ୍ରୀଙ୍କୁ ମାଡ ମାରିବା ଘଟଣର ତଦନ୍ତ କରାଯାଇ ଆଠଗଡ ପ୍ରଶାସନ ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ ଗେଟ୍ ସିଲ୍ କରିଥିଲା । ଏହାସହିତ ସମସ୍ତ ପର୍ଯ୍ୟଟକଙ୍କୁ ୨ଟି ଘରୋଇ ବସ୍ ଯୋଗେ ସେମାନଙ୍କ ଗାଁରେ ଛାଡିବା ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣାରେ ଆଠଗଡ ଥାନାରେ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଉଛି । ତେବେ ପର୍ଯ୍ୟଟକଙ୍କ ସହ ଏଭଳି ଅସଦାଚରଣ ଘଟଣା ରାଜ୍ୟକୁ ନିନ୍ଦିତ କରୁଛି । ଆଗାମୀ ଦିନରେ ଏହିଭଳି ଘଟଣା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, କଟକ

Last Updated : May 26, 2023, 2:29 PM IST

ABOUT THE AUTHOR

...view details