ଓଡିଶା

odisha

By

Published : Jun 24, 2023, 7:22 AM IST

ETV Bharat / state

ACF death case: ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଅନ୍ତରୀଣ ସୁରକ୍ଷା

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫଓଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ACF death case
ACF death case

କଟକ:ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫଓଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି । ଜୁଲାଇ ୨୭ ତାରିଖ ଯାଏଁ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ନିମ୍ନ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସଂଗ୍ରାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ଏହି ମାମଲାର ବିଚାରକରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏହି ଅବଧି ମଧ୍ୟରେ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସୌମ୍ୟ ମୃତ୍ୟୁ ମାମଲାରେ ଉଭୟ ପ୍ରତିପକ୍ଷ ରାଜ୍ୟ ସରକାର ଓ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିବା ସହ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ତଳକୋର୍ଟରେ ଆବେଦନ କରିଥିଲେ । ତେବେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା, ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆବେଦନ, ରେକର୍ଡ଼ କରାଯାଇଥିବା ସାକ୍ଷୀଙ୍କ ବୟାନ ଓ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଥିଲେ । ତେବେ ତଳକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଡିଏଫଓ ଓ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

୨୦୨୧ ମସିହା, ଜୁଲାଇ ୧୨ ତାରିଖ ରାତିରେ ଫରେଷ୍ଟ କଲୋନୀ ସ୍ଥିତ ନିଜ ସରକାରୀ କ୍ବାର୍ଟର୍ସରେ ବନ ବିଭାଗରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ।ଏହାର ପରଦିନ ଅର୍ଥାତ ଜୁଲାଇ ୧୩ ତାରିଖରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଙ୍କ ବାପା ଅଭିରାମଙ୍କ ଏତଲାକୁ ଆଧାର କରି ପାରଳାଖେମୁଣ୍ଡି ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରିଥିଲେ । ତେବେ ୨୦୨୨ ମସିହାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ହତ୍ୟା ମାମଲାରୁ କ୍ଲିନଚିଟ ମିଳିଥିଲା । ଯାହାକୁ ନେଇ ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details