ଓଡିଶା

odisha

By

Published : May 4, 2019, 7:43 PM IST

ETV Bharat / state

ବିଚ୍ଛିନ୍ନ କଲା ଫନି, ଯୋଡିଲା ହମ

ଫନିର ଭୟାଭୟତାକୁ ଦୃଷ୍ଟିରେ ରଖି ପୂର୍ବରୁ 2ଟି ହମ ରେଡିଓ ଟିମ ଓଡିଶା ଆସିବା ନେଇ ସ୍ଥିର ହୋଇଥିଲା । ପଶ୍ଚିମବଙ୍ଗ ଓ ହାଇଦ୍ରାବାଦରୁ 2ଟି 3 ଜଣିଆ ଟିମ ଓଡିଶା ଆସିଛନ୍ତି । ଏହି ରେଡିଓ ଯୋଗାଯୋଗ ୱାନ ଟୁ ୱାନ ନୁହେଁ ବରଂ ୱାନ ଟୁ ଅଲ ହୋଇଥାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ଫନିର ପ୍ରଭାବରେ ଛାରଖାର ହୋଇଯାଇଛି ଭୁବନେଶ୍ବର ଓ ପୁରୀ । ସବୁଆଡେ ଦେଖାଦେଇଛି ହାହାକାର । ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି । ସାଧାରଣ ଜନତା ତ ଦୂରର କଥା ସରକାରୀ ସ୍ତରରେ ଯୋଗାଯୋଗ କରିବା ଅସମ୍ଭବ ହୋଇପଡିଛି । ଟେଲିକମ ଓ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିବାରୁ ମୋବାଇଲ ନେଟୱାର୍କ ଓ ସାଟେଲାଇଟ୍‌ ମାଧ୍ୟମରେ ଯୋଗାଯୋଗ ସମ୍ଭବ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏପରି ପରିସ୍ଥିତିରେ ସାହାରା ପାଲଟିଛି ହମ ରେଡିଓ । ଫନି ଯୋଗାଯୋଗ ବିଚ୍ଛିନ୍ନ କରିଥିବାବେଳେ ପୁଣିଥରେ ସମ୍ପର୍କ ଯୋଡିଛି ହମ ରେଡିଓ । ଏହି ରେଡିଓ ସେଟଅପ ଯୋଗୁଁ ପ୍ରାୟ ୨୪ ଘଣ୍ଟା ପରେ ଯୋଗଯୋଗ ସ୍ଥାପନ ହୋଇଛି । ଯେତେବେଳେ ମୋବାଇଲ ନେଟୱାର୍କ ଓ ସାଟେଲାଇଟ୍ ମାଧ୍ୟମରେ ଯୋଗାଯୋଗ ବିଫଳ ହୁଏ, ସେତେବେଳେ ହମ ରେଡିଓର ବ୍ୟବହାର କରାଯାଏ ।

ଫନିର ଭୟାଭୟତାକୁ ଦୃଷ୍ଟିରେ ରଖି ପୂର୍ବରୁ 2ଟି ହମ ରେଡିଓ ଟିମ ଓଡିଶା ଆସିବା ନେଇ ସ୍ଥିର ହୋଇଥିଲା । ପଶ୍ଚିମବଙ୍ଗ ଓ ହାଇଦ୍ରାବାଦରୁ 2ଟି 3 ଜଣିଆ ଟିମ ଓଡିଶା ଆସିଛନ୍ତି । ତେବେ ଏହି ଟିମ ମଧ୍ୟ ଆସିବା ସମୟରେ ବାତ୍ୟାର ପ୍ରକୋପକୁ ସାମନା କରିଥିଲେ । ବାତ୍ୟା ଲାଗି କୌଣସି ଗାଡି ଏମାନଙ୍କୁ ଆଣିନଥିବାବେଳେ ନିଜ ଗାଡିରେ ଏମାନେ ଓଡିଶା ଆସିଥିଲେ ।

ଫନି ପରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ହାଇଦ୍ରାବାଦର ଏକ ଟିମ ଆସି ଭୁବନେଶ୍ବର ଓସଡମା ଅଫିସରେ ଗୋଟିଏ ସେଟଅପ ଏବଂ ପୁରୀ ସର୍କିଟ ହାଉସରେ ଆଉ ଏକ ହମ ରେଡିଓ ସେଟଅପ ବସାଯାଇ ଯୋଗାଯୋଗ କରାଯାଇଛି । ଏହା ଫଳରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାପାଳଙ୍କ ଅଫିସ ସହ ଭୁବନେଶ୍ବରରୁ ଯୋଗାଯୋଗ କରାଯାଇପାରିଛି । ରିଲିଫ ସାମଗ୍ରୀ ଯୋଗାଣ ଓ ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସୂଚନା ଲାଗି ଏହି ହମ ରେଡିଓ ଏବେ ରାଜ୍ୟ ସରକାରଙ୍କୁ ଅନେକ ସାହାଯ୍ୟ କରୁଛି ।

ହମ ରେଡିଓ ଟିମର ଜଣେ ଅଫିସର କହିଛନ୍ତି ଯେ ଏହି ହମ ରେଡିଓ ଅବା ଆମେଚ୍ୟୁର ରେଡିଓ ସେଟଅପ ଅତ୍ୟନ୍ତ ସହଜ ହୋଇଥିବାରୁ ଏହା ଅନେକ କାମରେ ଆସିଥାଏ । ଏହାର ସେଟଅପରେ କୌଣସି କଷ୍ଟସାଧ୍ୟ ତାର ବା ନେଟୱାର୍କର ସଂଯୋଗ ନଥାଏ । ଏହାର କୌଣସି ନେଟୱାର୍କ ଟାୱାର ବା ସର୍ଭର ଦ୍ବାରା ପରିଚାଳିତ ହୋଇନଥାଏ । ଏପରିକି ଏହା ରିଲେ ଷ୍ଟେସନ ଉପରେ ମଧ୍ୟ ନିର୍ଭର କରିନଥାଏ । ଏହାର ବାର୍ତ୍ତା ବା ସିଗନାଲ ସିଧାସଳଖ ଆଇନୋସ୍ପିୟରକୁ ଯାଇଥାଏ । ସେଠାରୁ ଏହା ଅନ୍ୟ ଏକ ଷ୍ଟେସନରେ ପହଞ୍ଚିଥାଏ ।

ଏହି ରେଡିଓ ଯୋଗାଯୋଗ ୱାନ ଟୁ ୱାନ ନୁହେଁ ବରଂ ୱାନ ଟୁ ଅଲ ବୋଲି ଅଫିସର ଜଣକ କହିଛନ୍ତି । ଏହାସହ ହୁଡ୍‌ହୁଡ୍‌ ଠାରୁ ଏହି ବାତ୍ୟା ଅତ୍ୟନ୍ତ ଭୟଙ୍କର ଥିବା ସେ କହିଛନ୍ତି । ତାଙ୍କ ରାଜ୍ୟ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ବାତ୍ୟା ପ୍ରଭାବିତ ଓଡିଶାକୁ ସାହାଯ୍ୟ କରିବା ଲାଗି ସେ ଅନୁରୋଧ କରିଛନ୍ତି । ହମ ରେଡିଓ ପାଇଁ ଯୋଗାଯୋଗ କ୍ଷେତ୍ରରେ ଓଡିଶାକୁ ଅନେକ ଲାଭ ମିଳିଛି । ବିଶେଷ କରି ଫନି ବାତ୍ୟା ପରେ ଆଜି ବିଭିନ୍ନ ଜିଲ୍ଲାର ବାତ୍ୟା ନିୟନ୍ତ୍ରଣ କକ୍ଷକୁ ଏହା ଅନେକ ସାହାଯ୍ୟ କରୁଛି ।

ଏହି ରେଡିଓ ସେଟଅପ ବନାଇବା ଅତ୍ୟନ୍ତ ସହଜ । ଏହାକୁ ସମସ୍ତେ ନିଜ ଘରେ ବା ଅଫିସରେ ବନାଇପାରିବେ । ବିଶେଷ କରି ବିପର୍ଯ୍ୟୟ ସମୟରେ ଏହାର ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ । ଯେତେବେଳେ ଅନ୍ୟ ସମସ୍ତ ମାଧ୍ୟମ ଫେଲ ମାରିଥାଏ ସେତେବେଳେ ଏହା ଦ୍ବାରା ଯୋଗାଯୋଗ ସମ୍ଭବ ହୋଇଥାଏ । ମୋବାଇଲ ଆସିବା ପୂର୍ବରୁ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ହମ ରେଡିଓ ଦ୍ବାରା ଯୋଗାଯୋଗ କରୁଥିଲେ । ଏବେ ମଧ୍ୟ ହଲିଉଡରେ ଫିଲ୍ମ ସୁଟିଂ ସେଟ୍‌ରେ ଏହାର ବ୍ୟବହାର ହୋଇଥାଏ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details