ବୌଦ୍ଧ: ପାନୀୟ ଜଳ ମୁନ୍ଦାଏ ପାଇଁ ଯିବାକୁ ପଡୁଛି 7 କିଲୋମିଟରରୁ ଉର୍ଦ୍ଧ୍ବ ବାଟ । ପାଣି ପାଇଁ ଅଭିଯୋଗ କରିବାରୁ ଏବେ ଭିଟାମାଟି ଛାଡିବାକୁ କହିଲେଣି ବିଭାଗୀୟ ଅଧିକାରୀ । ଦିନ କିମ୍ବା ମାସ ନୁହେଁ, ବର୍ଷ ବର୍ଷ ହେଲା ପାନୀୟ ଜଳ ପାଇଁ ସଙ୍ଘର୍ଷ କରୁଛନ୍ତି ଗ୍ରାମବାସୀ । ଏନେଇ ସବୁଠାରେ ଗୁହାରୀ କରିଥିଲେ ମଧ୍ୟ ସତେ ଯେମିତି ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଘଟଣା ହେଉଛି ବୌଦ୍ଧ ଜିଲ୍ଲା ସାମ୍ପୋଚ ପଞ୍ଚାୟତ ବରଝୁଲି ଗ୍ରାମର ।
ପାନୀୟ ଜଳ ପାଇଁ ବର୍ଷ ବର୍ଷ ହେଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି ବରଝୁଲି ଗାଁର ଗ୍ରାମବାସୀ । ଗାଁରେ ରହିଛି ଅଠରଗୋଟି ନଳକୂପ, କିନ୍ତୁ ଏସବୁରୁ ଫ୍ଲୋରାଇଡ ପ୍ରବଳ ମାତ୍ରାରେ ବାହାରୁ ଥିବାରୁ ଏଗୁଡ଼ିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଛି । ଫଳରେ ଗାଁ ଲୋକେ 8ରୁ 10 କିଲୋମିଟର ଦୂରରୁ ପାଣି ଆଣି ଚଳୁଛନ୍ତି । ଗତ କିଛି ବର୍ଷ ପୂର୍ବରୁ ଟ୍ୟାଙ୍କର ଯୋଗେ ଗାଁକୁ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଗତ ଦୁଇ ବର୍ଷ ହେଲା ସେତକ ମଧ୍ୟ ମିଳୁନାହିଁ, ଓଲଟା ବିଭାଗୀୟ ଅଧିକାରୀ କହିଛନ୍ତି ଗାଁ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯିବାକୁ ।