ବୌଦ୍ଧ:ଜୀବନ ସଂଘର୍ଷମୟ । ଅସହାୟ ଅବସ୍ଥାରେ ଗୋଟିଏ ପରିବାରର ୬ ପ୍ରାଣୀ । ଭିନ୍ନକ୍ଷମ ନାବାଳିକା ଝିଅର ଭତ୍ତା ଟଙ୍କାରେ ଚଳୁଛି ପରିବାର । ଅଭାବ ଅନଟନରେ ଜଙ୍ଗଲରେ ବିତୁଛି ଜୀବନ । ବୌଦ୍ଧ ବ୍ଲକର ବ୍ରାହ୍ମଣୀ ପାଲି ପଞ୍ଚାୟତ ଅନ୍ତର୍ଗତ ବାରକୋଡା ଗ୍ରାମର ଅରୁଣ ମଲ୍ଲିକଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁର୍ଭିଷହ ଜୀବନ ବିତାଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅସହାୟ ହିତାଧିକାରୀଙ୍କୁ ଚିହ୍ନଟ ପରେ ସହାୟତା ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବୌଦ୍ଧ ଜିଲ୍ଲାର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ବିକାଶର ଧାରା ଠିକରେ ପହଞ୍ଚି ପାରୁନାହିଁ । ବିଶେଷ ଭାବରେ ଏଭଳି ସ୍ଥାନରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ସରକାରୀ ସହାୟତାରୁ ବଞ୍ଚିତ ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ବାରକୋଡା ଗ୍ରାମର ଅରୁଣ ମଲ୍ଲିକଙ୍କ ପରିବାରରେ ୬ ପ୍ରାଣୀ ରୁହନ୍ତି । ଦୁଇ ଝିଅ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ କେବଳ ବଡ ଝିଅ ଚିହ୍ନଟ ହୋଇ ମାସିକ ପାଞ୍ଚ ଶହ ଟଙ୍କା ଭତ୍ତା ପାଉଛି ।
ସେପଟେ ଅରୁଣଙ୍କ ଦୁଇ ବୃଦ୍ଧ ପିତାମାତା ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗୁହାରି କରି କରି ବର୍ତ୍ତମାନ ଶଯ୍ୟାଶାୟୀ ହେଲେଣି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଫଳରେ ଗୋଟିଏ ବଖରା ଚାଳ ଘରେ ୬ ପ୍ରାଣୀଙ୍କ ବିତୁଛି ଜୀବନ । ଜଣେ ଭିନ୍ନକ୍ଷମ ଝିଅକୁ ମାସିକ ଭତ୍ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ମାତ୍ର ୫୦୦ ଟଙ୍କାରେ ଚଳିବା ସମୁଦ୍ରକୁ ସଙ୍ଖେ ପରି । ଓଳିଏ ଖାଇଲେ ଓଳିଏ ଓପାସ । ହେଲେ ଗତ କିଛି ମାସ ହେଲା ଅନଲାଇନ ସମସ୍ୟା ଯୋଗୁଁ ସେହି ଭତ୍ତା ମଧ୍ୟ ମିଳିପାରିନାହିଁ । ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅରୁଣ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ହିତାଧିକାରୀଙ୍କୁ ଚିହ୍ନଟ ପରେ ସହାୟତା ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।