ଭଦ୍ରକ: ବନ୍ତ ଫ୍ଲିପ୍କାର୍ଟ୍ ହବ୍ରୁ ଟଙ୍କା ଚୋରି କରିବା ସହ ପାର୍ସଲ ଗୋଦାମରେ ନିଆଁ ଲଗାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ବନ୍ତ ଥାନା ପୋଲିସ । ବନ୍ତ ସଖିପାଟଣା ଛକରେ ଥିବା ଫ୍ଲିପ୍କାର୍ଟ୍ ହବ୍ରୁ ଗତ ରବିବାର ବିଳମ୍ବିତ ରାତିରେ କ୍ୟାସ୍ ବାକ୍ସରେ ଥିବା ନଗଦ ଟଙ୍କା ଚୋରି କରିନେବା ସହ ପାର୍ସଲ ଗୋଦାମରେ ନିଆଁ ଲଗାଇ ଦେଇଥିଲେ କମ୍ପାନୀର ୩ ଜଣ କର୍ମଚାରୀ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ବନ୍ତ ଥାନା ପୋଲିସ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ଟଙ୍କାକୁ ଜବତ କରିଛି ।
ସୂଚନା ଅନୁସାରେ ବନ୍ତ ବ୍ଲକ ଅନ୍ତର୍ଗତ ବନ୍ତ ଫ୍ଲିପ୍କାର୍ଟ୍ ହବ୍ରେ ଇନ୍ଚାର୍ଜ ଭାବେ କାର୍ଯ୍ୟ କରୁଥିବା ସିମୁଳିଆ ଅଞ୍ଚଳର ମନୋଜ କୁମାର ବାରିକ ପ୍ରତିଦିନ ଭଳି ହିସାବ ସାରି କ୍ୟାସ୍ ବାକ୍ସରେ ଟଙ୍କା ରଖିବା ପରେ କମ୍ପାନୀର ଅନ୍ୟ କର୍ମଚାରୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ବିଶ୍ବଜିତ୍ ମହାଳିକଙ୍କୁ ସବୁଦିନ ପରି ଚାବି ଦେଇ ଘରକୁ ଚାଲି ଯାଇଥିଲେ । ଏହି ସୁଯୋଗରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଶ୍ବଜିତ୍ କମ୍ପାନୀର ଅନ୍ୟ ୨ ଜଣ ଡେଲିଭରି ବୟ ବାଙ୍ଗୋରପଦୀ ଗ୍ରାମର ଅନିଲ ପରିଡା ଏବଂ ଜିତେନ୍ଦ୍ର ପୃଷ୍ଟିଙ୍କ ସହ ମିଶି କ୍ୟାସ୍ ବାକ୍ସରେ ଥିବା ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ଚୋରି କରିବା ପରେ ପାର୍ସଲ ଗୋଦାମରେ ନିଆଁ ଲଗାଇ ଦେଇ ଗୃହର ମୁଖ୍ୟ ସଟର୍ରେ ଚାବି ପକାଇ ଚାଲି ଯାଇଥିଲେ । ଏପରିକି ଗଲାବେଳେ ବାହାର କାନ୍ଥରେ ଏକ ଛୋଟ କଣା କରିଦେଇ ଯାଇଥିଲେ । ପରଦିନ ସକାଳେ ବିଶ୍ବଜିତ୍ ଅଫିସ ଘର ଖୋଲିବା ପରେ ଏହି ବିଷୟରେ ଇନ୍ଚାର୍ଜ ମନୋଜ କୁମାର ବାରିକଙ୍କୁ ଜଣାଇଥିଲେ ।