ଓଡିଶା

odisha

By

Published : Oct 22, 2022, 9:14 PM IST

ETV Bharat / state

Dhamnagar Politics : ଇତିହାସ ପୃଷ୍ଠାରେ କାହାର ଦମ କେତେ ?

ଉପନିର୍ବାଚନ (Dhamnagar ByPoll) ନେଇ ଧାମନଗରର ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଧାମନଗର ସର୍ବଦା ଚର୍ଚ୍ଚାରେ ରହିଆସିଛି । ରାଜନୈତିକ ଦୃଷ୍ଟି କୋଣରୁ ସବୁବେଳେ ଧାମନଗର ଗୁରୁତ୍ୱ ବହନ କରିଆସିଛି । ଧାମନଗର ବିଧାନସଭା ଆସନ ସୃଷ୍ଟି ହେବା ପରଠାରୁ ଏଯାବତ ଏଠାରେ 17 ଥର ନିର୍ବାଚନ ହୋଇସାରିଛି । ଅଧିକ ପଢନ୍ତୁ

Dhamnagar Politics : ଇତିହାସ ପୃଷ୍ଠାରେ କାହାର ଦମ କେତେ ?
Dhamnagar Politics : ଇତିହାସ ପୃଷ୍ଠାରେ କାହାର ଦମ କେତେ ?

ଭୁବନେଶ୍ବର: ଉପନିର୍ବାଚନ (Dhamnagar ByPoll) ନେଇ ଧାମନଗରର ରାଜନୈତିକ ପାଣିପାଗ ଉଷ୍ମ ହୋଇଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଧାମନଗର ସର୍ବଦା ଚର୍ଚ୍ଚାରେ ରହିଆସିଛି । ରାଜନୈତିକ ଦୃଷ୍ଟି କୋଣରୁ ସବୁବେଳେ ଧାମନଗର ଗୁରୁତ୍ୱ ବହନ କରିଆସିଛି । ଧାମନଗର ବିଧାନସଭା ଆସନ ସୃଷ୍ଟି ହେବା ପରଠାରୁ ଏଯାବତ ଏଠାରେ 17 ଥର ନିର୍ବାଚନ ହୋଇସାରିଛି । ଏଠାରୁ ବିଭିନ୍ନ ସମୟରେ 10 ଜଣ ନିର୍ବାଚିତ ହେବା ସହ ଅନ୍ୟୂନ 3 ଜଣ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ (Dhamnagar Assembly constituency) ସ୍ୱାଧୀନତା ପରେ 1951/52 ନିର୍ବାଚନ ପୂର୍ବରୁ ଗଠିତ ହୋଇଥିଲା । 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ 1937ରେ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନ ବେଳକୁ ଭଦ୍ରକର 2ଟି ଆସନ ଥିଲା । ପୂର୍ବ ଭଦ୍ରକ ଓ ପଶ୍ଚିମ ଭଦ୍ରକ । ପଶ୍ଚିମ ଭଦ୍ରକ ଆସନରୁ ସାଧାରଣ ବର୍ଗ ଓ ତଫସିଲଭୁକ୍ତ ଜାତିର 2 ଜଣ ନିର୍ବାଚିତ ହେଉଥିଲେ । ପୂର୍ବ ଭଦ୍ରକ ଆସନରୁ କଂଗ୍ରେସ ପ୍ରାର୍ଥୀ ଚକ୍ରଧର ବେହେରା ଓ ପଶ୍ଚିମ ଭଦ୍ରକ ଆସନରୁ ସାଧାରଣ ବର୍ଗର ପ୍ରାର୍ଥୀ ଭାବେ ଜଗନ୍ନାଥ ଦାସ ଓ ସଂରକ୍ଷିତ ବର୍ଗରୁ ନିଧି ଦାସ ନିର୍ବାଚିତ ହୋଇଥିଲେ ।

1946 ନିର୍ବାଚନରେ ପୂର୍ବ ଭଦ୍ରକ ଆସନରୁ ହରେକୃଷ୍ଣ ମହତାବ ବିଜୟୀ ହୋଇ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଧାମନଗର ପୂର୍ବ ଭଦ୍ରକ ଆସନର ଅନ୍ତର୍ଭୁକ୍ତ ଥିଲା । ପଶ୍ଚିମ ଭଦ୍ରକ ଯୁଗ୍ମ ଆସନରୁ ଭାଗବତ ସାହୁ ଓ ବୃନ୍ଦାବନ ଚନ୍ଦ୍ର ଦାସ ନିର୍ବାଚିତ ହୋଇଥିଲେ । 1951/52 ନିର୍ବାଚନରେ ଧାମନଗର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନୀଳମଣି ରାଉତରାୟ ବିଜୟୀ ହୋଇ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । 1957 ଓ 1961 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୂରଲୀଧର ଜେନା ଧାମନଗରରୁ ବିଜୟୀ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ 1967 ନିର୍ବାଚନରେ ତାଙ୍କ ପତ୍ନୀ ସତ୍ୟଭାମା ଦେଈ ମଧ୍ୟ ଏହି ଆସନରୁ ବିଜୟ ହୋଇଥିଲେ ।

1971, 1974, 1977 ଓ 1990 ବିଧାନସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ହୃଦାନନ୍ଦ ମଲ୍ଲିକ । 1990 ନିର୍ବାଚନର ଫଳାଫଳ ଘୋଷଣା ରାତିରେ ତାଙ୍କର ମୃତ୍ୟୁ ଘଟିଲା । ତାଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁତ୍ର ମାନସ ରଞ୍ଜନ ମଲ୍ଳିକ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଧାମନଗର ଆସନରୁ କଂଗ୍ରେସ ନେତା ଜଗନ୍ନାଥ ରାଉତ 1980, 1985 ଓ 1995ରେ ଜିଣିଥିଲେ । ତାଙ୍କ ଶେଷ ପାଳିରେ ମଧ୍ୟ ମନ୍ତ୍ରୀ ହୋଇଥିଲେ । 2000 ମସିହାରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ମନମୋହନ ସାମଲଙ୍କୁ ହରାଇ ମାନସ ସ୍ୱାଧୀନ ପ୍ରାର୍ଥୀ ଭାବେ ଏହି ଆସନରୁ ଜିଣିଥିଲେ । 2004ରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରି ମନମୋହନ ସାମଲ ବିଜେଡି-ବିଜେପି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।

2009 ରେ ଧାମନଗର ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରହିଲା । ବିଜେପିଠାରୁ ଅଲଗା ହୋଇ ଏକାକୀ ଲଢ଼ିଥିବା ବିଜେଡିର ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ନିର୍ବାଚନ ଜିତିଥିଲେ । 2014ରେ ଏହି ଆସନରୁ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ । 2009 ଓ 2014ରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ 2019ରେ ବିଜୟ ହୋଇଥିଲେ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ 4625 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ । ବିଷ୍ଣୁଙ୍କ ବିୟୋଗରେ ହେଉଥିବା ଉପନିର୍ବାଚନରେ 5 ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଅବନ୍ତୀ ଦାସଙ୍କୁ ଦଳୀୟ ଟିକେଟ ଦେଇଛି ବିଜେଡି । ପୂର୍ବରୁ ଥରେ ଲେଖାଏଁ ବିଜୟ ଓ ପରାଜୟର ସ୍ୱାଦ ଚାଖିଥିବା ରାଜେନ୍ଦ୍ର ଏଥର ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦୀ ସାଜିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details