ଭଦ୍ରକ: ସ୍ମାର୍ଟ ଯୁଗରେ ସ୍ମାର୍ଟ ପାଠପଢା ଶୈଳୀ । ଚାଟଶାଳୀରେ ଖେଳକୁଦ, ଗୀତ, ମନୋରଞ୍ଜନ ସହିତ ହେଉଛି ପାଠପଢା । ଶିକ୍ଷକ ଜଣକ ନିଜେ ଗୀତ ଗାଉଛନ୍ତି ଆଉ ପିଲାମାନେ ମଧ୍ୟ ତାଙ୍କ ପାଳି ଧରୁଛନ୍ତି । ପାଠପଢା ବେଳେ ପ୍ରାକ୍ଟିକାଲ ମାଧ୍ୟମରେ ବାସ୍ତବ ଜିନିଷକୁ ବୁଝାଉଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି ମାଗଣାରେ ଏଠାରେ ପିଲା ପାଠ ପଢୁଛନ୍ତି । ଏମିତି ଜଣେ ନିଆରା ଶିକ୍ଷକ ହେଉଛନ୍ତି ଜିଲ୍ଲାର ନାୟକାଣୀଡିହ ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳର ଶିକ୍ଷକ ଦୀପକ କୁମାର ଦାସ । ସେ ନିଜ ଛାତ୍ର ଜୀବନରେ ଅର୍ଥ ଅଭାବରୁ ପାଠପଢା ପାଇଁ ଯେଉଁ ସଂଘର୍ଷ କରିଛନ୍ତି, କେଉଁ ଛାତ୍ରଛାତ୍ରୀ ତାହା ଯେପରି ସାମ୍ନା କରିବେ ନାହିଁ ସେହି ଲକ୍ଷ୍ୟରେ ଦୀର୍ଘ 10 ବର୍ଷ ଧରି ନିଆରା ଶିକ୍ଷାଦାନ ପ୍ରଦାନ କରିଚାଲିଛନ୍ତି ଦୀପକ ସାର ।
ଦୀପକ ସାରଙ୍କ ଏଭଳି ଶିକ୍ଷାଦାନ ଶୈଳୀ କେବଳ ଛାତ୍ରଛାତ୍ରୀଙ୍କୁ ନୁହେଁ, ବରଂ ଅଭିଭାବକଙ୍କୁ ମଧ୍ୟ ପ୍ରଭାବିତ କରୁଛି । ତାଙ୍କ ଠାରୁ ପାଠ ପଢିଥିବା ଅନେକ ଛାତ୍ରଛାତ୍ରୀ ଏବେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ବେଳେ ଏନେଇ ଦୀପକ ସାର ବେଶ ଖୁସି ବ୍ୟକ୍ତ କରିଛନ୍ତି । ଜଣେ ଗରିବ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦୀପକ କୁମାର ଦାସ ତାଙ୍କ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି । ହେଲେ ଅନେକ ପରିଶ୍ରମ କରି ଆଜି ସେ ଜଣେ ମେଧାବୀ ଏମବିଏ ଛାତ୍ର ତଥା ଶିକ୍ଷକ ଭାବେ ସୁପରିଚିତ । ବର୍ତ୍ତମାନ ସେ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସନ୍ଥିଆ ଠାରେ ରହି 10 ବର୍ଷ ହେବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ତେବେ ତାଙ୍କର ଶିକ୍ଷାଦାନ ପଦ୍ଧତି ଅନ୍ୟମାନଙ୍କ ଠାରୁ ବେଶ ଭିନ୍ନ ।
ଏହା ମଧ୍ୟ ପଢନ୍ତୁ- ମିଶନ ଏକ-ଦୁଇ-ତିନି: ଶିକ୍ଷକଙ୍କ ଅଭିନବ ପ୍ରୟାସ, ମୋ ଘର କଳାପଟାରେ ପଢୁଛନ୍ତି ପିଲା
ଗୀତ ମାଧ୍ୟମରେ ପାଠ ପଢାଇବା, ବ୍ୟଙ୍ଗ କଥା, ଚିତ୍ର ଆଙ୍କି, କ୍ରୀଡା, ମନୋରଞ୍ଜନ, ଗୋଷ୍ଠୀ ପରୀକ୍ଷା କରିବା ମାଧ୍ୟମରେ ବିଜ୍ଞାନ, ଗଣିତ, ଭୂଗୋଳ, ଇଂରାଜୀ, ସାଧାରଣ ଜ୍ଞାନକୁ ଅତି ଚମତ୍କାର ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥାନ୍ତି । ଏହି ମାଧ୍ୟମରେ ପିଲାମାନେ ମଧ୍ୟ ଅତି ସହଜରେ ବୁଝି ପାରିବା ସହ ମନେ ରଖି ପାରନ୍ତି ବୋଲି କହିଛନ୍ତି । ବିଶେଷ କରି ସପ୍ତମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷା ପ୍ରଦାନ କରନ୍ତି । ତେବେ ଦୀପକ ସାରଙ୍କ ଜୀବନ ଥିଲା ଅତି ସଂଘର୍ଷମୟ । ସେହିପରି ଆଉ କେହି ଯେମିତି ସଂଘର୍ଷ ନକରନ୍ତି ଏ ନେଇ ସେ ପ୍ରୟାସ ଜାରି ରଖିଛନ୍ତି ।