ଓଡିଶା

odisha

By

Published : Jun 7, 2023, 10:56 AM IST

Updated : Jun 7, 2023, 1:50 PM IST

ETV Bharat / state

Train Tragedy: ଲାସ୍‌ର ପାହାଡ ତଳୁ 10 ବର୍ଷର ଦେବାଶିଷଙ୍କୁ ଖୋଜି ପାଇଲା ଭାଇ

ବାହାନଗା ଟ୍ରେନ ଦୁର୍ଘଟଣା । ଲାସ୍‌ର ପାହାଡ ତଳୁ ବାହାରିଲା ୧୦ ବର୍ଷର ନାବାଳକ । ଅଧିକ ପଢନ୍ତୁ

ଲାସ୍‌ର ପାହାଡ ତଳୁ ବାହାରିଲା ୧୦ ବର୍ଷର ଦେବାଶିଷ
ଲାସ୍‌ର ପାହାଡ ତଳୁ ବାହାରିଲା ୧୦ ବର୍ଷର ଦେବାଶିଷ

ବାଲେଶ୍ୱର:ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିବା ରେଳ ଦୁର୍ଘଟଣାର ଯନ୍ତ୍ରଣା ଏବେ ବି ଛାତି ଚିରି ପକାଉଛି । ସେହି କାଳ ରାତି ଅନେକ ସଂସାର ଉଚ୍ଛନ୍ନ କରିଦେଇଛି । ଦୁର୍ଘଟଣା ସମୟରେ ରକ୍ତରଞ୍ଜିତ ହୋଇଯାଇଥିଲା ବାହାନଗା ମାଟି । ଚାରିଆଡେ କୁଢ କୁଢ ମୃତଦେହ ଗଦା ହୋଇଯାଇଥିଲା । ଆଉ ସେହି ମୃତଦେହର ପାହାଡ ତଳେ ଚାପି ହୋଇ ରହିଥିଲା ଜଣେ ୧୦ ବର୍ଷର ପୁଅ, ଦେବାଶିଷ । ପିଲାଟି ଉପରେ ପ୍ରାୟ ୧୦ଟି ମୃତଦେହ ପଡିଥିଲା । ଅନେକ ଘଣ୍ଟା ଧରି ଦେବାଶିଷ ସେମିତି ଲାସ୍ ତଳେ ଦବି ହୋଇରହିଥିଲା । ଲାସ୍‌ର ପାହାଡ ତଳେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଶେଷରେ ମୃତଦେହକୁ ଆଡେଇ ଦେବାଶିଷକୁ ବାହାର କରିଥିଲେ ଦଶମ ଶ୍ରେଣୀରେ ପଢୁଥିବା ତାଙ୍କର ବଡ ଭାଇ ।

ଦୁର୍ଘଟଣାରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେ ମେଡିକାଲର ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ଏହି ୧୦ ବର୍ଷୀୟ ଦେବାଶିଷ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନାଫରାଇ ଅଞ୍ଚଳର ନିଳାମ୍ବର ପାତ୍ରଙ୍କ ସାନପୁଅ । ତାଙ୍କୁ ବଡ଼ଭାଇ ଶୁଭାଶିଷ ଯିଏ କି ଦଶମ ଶ୍ରେଣୀରେ ପଢୁଛନ୍ତି ସେ ହିଁ ଉଦ୍ଧାର କରିଥିଲେ । ତାଙ୍କର ପୁରା ପରିବାର ଏବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:'ପ୍ରଭୁ ରକ୍ଷା କର ଗୁହାରି କରୁଥାଏ, ଆଖି ଖୋଲିଲା ବେଳକୁ ବଞ୍ଚିଛି'

ଗତ ଶୁକ୍ରବାର ରାତିରେ ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣା ଶହ ଶହ ସଂସାର ଉଜାଡି ଦେଇଛି । କେତେ ଯେ ମାଆ କୋଳ ଖାଲି ହୋଇଯାଇଛି, ଆଉ କେତେ ସଧବାଙ୍କ ମଥାରୁ ସିନ୍ଦୁର ଲିଭି ଯାଇଛି । ଦୁନିଆ କ'ଣ ବୁଝିବା ଆଗରୁ ଅନେକ ଶିଶୁ ବାପାମାଆ ଛେଉଣ୍ଡ ହୋଇଯାଇଛନ୍ତି । ସେହି କାଳ ରାତିରେ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଯାତ୍ରୀମାନେ କିଏ କୁଆଡେ ଛିଟିକି ପଡ଼ିଥିଲେ । କିଛି ଯାତ୍ରୀ ରେଳ ବଗି ଭିତରେ ଫସି ରହି ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଥିବା ବେଳେ ଆଉ କିଛି ଯାତ୍ରୀ ବଗି ତଳେ ଚାପି ହୋଇ ଯାଇଥିଲେ ।

ସେହିଭଳି ୧୦ ବର୍ଷୀୟଙ୍କ ଦେବାଶିଷଙ୍କ ସହ ଟ୍ରେନରେ ଥିବା ତାଙ୍କ ବାପାମାଆ, ଭାଇ ମଧ୍ୟ ଦୂରକୁ ଛିଟିକି ହୋଇ ପଡିଥିଲେ । ଦେବାଶିଷଙ୍କ ଉପରେ ୧୦ ଜଣ ଲୋକ ପଡିଯାଇଥିଲେ । ସେ ସମସ୍ତଙ୍କର ଜୀବନ ଚାଲିଯାଇଥିଲା । ସମସ୍ତେ ମରି ସାରିଥିବା ଜାଣି ତଳେ ଚାପି ହୋଇରହିଥିବା ଏହି ନାବାଳକ ଖୁବ୍ ଡରି ଯାଇଥିଲେ । ମାତ୍ର ସୌଭାଗ୍ୟବଶତଃ ପିଲାଟିର ବଡ ଭାଇ ତାଙ୍କୁ ଉଦ୍ଧାର କରିଥିଲେ । ଓଡ଼ିଶା ଇତିହାସର ଏହି ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି । ୧୧୦୦ରୁ ଅଧିକ ଆହତ ହୋଇଥିବା ବେଳେ ଏବେ ୨୦୦ କମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 7, 2023, 1:50 PM IST

ABOUT THE AUTHOR

...view details