ଓଡିଶା

odisha

By

Published : Jun 30, 2022, 3:19 PM IST

ETV Bharat / state

ସାଙ୍ଗ ହେବ ତ ଏମିତି: ବନ୍ଧୁତ୍ବର ସ୍ବପ୍ନକୁ କରୁଛନ୍ତି ପୂରଣ, ଉପାନ୍ତ ଅଞ୍ଚଳରେ ବାଣ୍ଟୁଛନ୍ତି ମାଗଣା ସେବା

ବଲାଙ୍ଗୀରର ଯୁବକ ସୂର୍ଯ୍ୟକାନ୍ତ ମହାପାତ୍ର ଜଣେ ପ୍ରକୃତ ବନ୍ଧୁ ଏବଂ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ସମାଜରେ ସୃଷ୍ଟି କରିଛନ୍ତି ଏକ ବଡ ଉଦାହରଣ । ଅଧିକ ପଢନ୍ତୁ

ଚାକିରିରୁ ସମୟ କାଡି ସମାଜ ସେବାରେ ବ୍ରତି ସୂର୍ଯ୍ୟକାନ୍ତ
ଚାକିରିରୁ ସମୟ କାଡି ସମାଜ ସେବାରେ ବ୍ରତି ସୂର୍ଯ୍ୟକାନ୍ତ

ବଲାଙ୍ଗୀର: ବନ୍ଧୁତ୍ବର ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି । ଜଣେ ବନ୍ଧୁ ନିଜ ବନ୍ଧୁ ପାଇଁ ବେଳେବେଳେ ଜୀବନ ଦେବା ଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ହେଲେ, ଜଣେ ନିଜର ପ୍ରିୟ ବନ୍ଧୁଙ୍କୁ ହରାଇବା ପରେ ତାଙ୍କର ସପ୍ନ ପୂରଣ କରିବା ପାଇଁ ବଲାଙ୍ଗୀରର ଜଣେ ବନ୍ଧୁ ଏବେ କରୁଛନ୍ତି ସମର୍ପିତ ସେବା । ବଲାଙ୍ଗୀରର ଯୁବକ ସୂର୍ଯ୍ୟକାନ୍ତ ମହାପାତ୍ର। ପେଶାରେ ଜଣେ ଡ଼ାକ୍ତର । ତେବେ ପଢା ସମୟରେ ତାଙ୍କର ବରଗଡ ଜିଲ୍ଲା ଘେଁସ ଗ୍ରାମର ସୌମ୍ୟରଞ୍ଜନ ଦେବତାଙ୍କ ସହ ଦେଖା ହୋଇଥିଲା । ତେବେ ଏ ଦୁଇ ଜଣଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା ଘନିଷ୍ଠ ବନ୍ଧୁତା ଏବଂ ଏମାନେ ଏକାସାଙ୍ଗରେ ପାଠ ପଢ଼ିବା ସହ ଡାକ୍ତରୀ ପଢ଼ିବା ପାଇଁ ମଧ୍ୟ ଚିନ୍ତା କରିଥିଲେ । ଦୁଇ ବନ୍ଧୁ ଅକ୍ଲାନ୍ତ ପରିଶ୍ରମ କରି ମେଡିକାଲ୍ ପ୍ରବେଶିକାରେ ସଫଳ ହୋଇ ପରବର୍ତ୍ତୀ ସମୟରେ ବୁର୍ଲା ମେଡିକାଲରେ ପାଠ ମଧ୍ୟ ପଢ଼ିଥିଲେ ।

ସେହିପରି ଡାକ୍ତରୀ ପାଠ ପରେ ଦୁଇ ଜଣ କଳାହାଣ୍ଡି ଜିଲ୍ଲାରେ ଡ଼ାକ୍ତର ଭାବରେ ଚାକିରୀ ପାଇଥିଲେ। ଏବଂ କଳାହାଣ୍ଡିରେ ଲୋକଙ୍କ ସେବା କରିବା ପରେ ସେମାନେ ଉପାନ୍ତରେ ଥିବା ଗରିବ ଓ ଅସହାୟ ଲୋକେ ଚିକିତ୍ସାରୁ ବଞ୍ଚିତ ଥିବାବେଳେ ସେମାନଙ୍କର ସେବା କରିବା ପାଇଁ ଡ଼ାକ୍ତର ସୌମ୍ୟରଞ୍ଜନ ଦେବତା ତାଙ୍କ ସାଙ୍ଗ ସହ ଆଲୋଚନା କରି ଗାଁ ଗାଁ ଯାଇ ଲୋକଙ୍କ ସେବା ଆରମ୍ଭ କରିଥିଲେ । ହେଲେ ଏହି ଦୁଇ ବନ୍ଧୁଙ୍କ ବନ୍ଧୁତ୍ବକୁ ସତେ ଯେମିତି ଦଇବ ସହିଲା ନାହିଁ । ଡ଼ାକ୍ତର ସୌମ୍ୟରଞ୍ଜନ ଦେବତାଙ୍କ ଅଳ୍ପ ବୟସରେ କୌଣସି ଏକ ରୋଗରେ ବିୟୋଗ ହୋଇଯାଇଥିଲା ।

ଚାକିରିରୁ ସମୟ କାଡି ସମାଜ ସେବାରେ ବ୍ରତି ସୂର୍ଯ୍ୟକାନ୍ତ

ତେବେ ନିଜ ଘନିଷ୍ଠ ସାଙ୍ଗକୁ ହରାଇ ଡ଼ାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଭାଙ୍ଗି ପଡ଼ିଥିଲେ ସତ ହେଲେ ପରେ ସେ ନିଜ ସାଙ୍ଗଙ୍କ ସପ୍ନ ପୂରଣ କରିବାକୁ ଠାଣି ନେଇଥିଲେ । ତେବେ ସେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଡ଼ାକ୍ତରଖାନାରେ କାର୍ଯ୍ୟରତ ଥିବାବେଳେ ନିଜ ଆରପାରିରେ ଥିବା ବନ୍ଧୁଙ୍କ ପାଇଁ କରିଆସୁଛନ୍ତି ସମର୍ପିତ ସେବା । ଯେଉଁଥିରେ ସେ ଡ଼ାକ୍ତରଖାନା କାର୍ଯ୍ୟରୁ ବିରତି ପରେ ଉପାନ୍ତ ଗାଁ ଗଣ୍ଡାକୁ ଯାଇ ଗରିବ ଲୋକଙ୍କ ଚିକିତ୍ସା କରୁଛନ୍ତି । ତେବେ ଦୀର୍ଘ ତିନି ବର୍ଷ ହେବ ସେ ଦିନ ରାତି ଖରା ବର୍ଷା କିଛିକୁ ଖାତିର ନକରି ଗାଁ ଗଣ୍ଡାକୁ ଯାଇ ଲୋକଙ୍କ ଚିକିତ୍ସା କରୁଛନ୍ତି । ଏହାସହ ଲୋକଙ୍କୁ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରୁଛନ୍ତି । ନିଜ ଆରପାରିରେ ଥିବା ବନ୍ଧୁଙ୍କ ସ୍ବପ୍ନକୁ ସେ ପୂରଣ କରିବା ପାଇଁ ଦୃଢ ମନୋବଳ ସହ କାମ କରିବେ ବୋଲି କହିଛନ୍ତି । ସେହିପରି ସେ ଓଡ଼ିଶାରେ ଯେଉଁଠିକୁ ଯାଆନ୍ତୁ ନା କାହିଁକି ଏହିଭଳି ଲୋକଙ୍କ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବେ ବୋଲି କହିଛନ୍ତି । ତାଙ୍କ ସାଙ୍ଗକୁ ଏହିଭଳି ସେ ମନେ ରଖିବେ ବୋଲି କହିଛନ୍ତି ।

ତେବେ ଆଜିର ବ୍ୟସ୍ତବହୁଳ ତଥା ସ୍ବାର୍ଥବାଦୀ ସଂସାରରେ ପ୍ରକୃତ ବନ୍ଧୁ ଖୋଜି ପାଇବା ଅତି କଷ୍ଟକର । ସେପଟେ ସଚ୍ଚୋଟ ବନ୍ଧୁତ୍ବକୁ ନିଭାଇବା ମଧ୍ୟ ସମସ୍ତଙ୍କ ପକ୍ଷେ ସମ୍ଭବ ନାହିଁ । ହେଲେ, ଏହି ଯୁବ ଡ଼ାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ନିଜ ଆରପାରିରେ ଥିବା ବନ୍ଧୁଙ୍କ ସପ୍ନ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ସବୁଠି ଚର୍ଚ୍ଚା ହେଉଛି । ତେବେ ସେ ଉପାନ୍ତ ଅଞ୍ଚଳରେ ଜାରି ରଖିଥିବା ଚିକିତ୍ସା ପାଇଁ ତାଙ୍କୁ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ତାହାକୁ ତାଙ୍କର ଖାତିର ନାହିଁ । କିଛି ବଦାନ୍ୟ ଲୋକଙ୍କ ସାହାଯ୍ୟରେ ସେ ତାଙ୍କର ଏହି ସମର୍ପିତ ସେବା ଜାରି ରଖିଛନ୍ତି । ଯାହାପାଇଁ ସେ ନିଜ ମୃତ ବନ୍ଧୁଙ୍କ ନାଁରେ ଏକ ସଂଗଠନ ମଧ୍ୟ କରିଛନ୍ତି । ଏଥିରେ କିଛି ଯୁବକଙ୍କୁ ସାମିଲ କରି ସେମାନେ ଲୋକଙ୍କ ଠୁଁ ତଥା ବିଭିନ୍ନ କମ୍ପାନୀ ଠାରୁ ଔଷଧ ସଂଗ୍ରହ କରି ଗାଁ ଗାଁ ଯାଇ ଲୋକଙ୍କୁ ସେବା କରୁଛନ୍ତି । ବିଶେଷ କରି ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ଏମାନେ ଗୁରୁତ୍ଵ ଦେଇ ଲୋକଙ୍କ ପାଖକୁ ଯାଇ ତାଙ୍କର ଚିକିତ୍ସା କରୁଛନ୍ତି ।

ସେପଟେ ଗରିବ ଅସହାୟ ଲୋକ ଯେଉଁମାନେ ରୋଗ ଇତ୍ୟାଦି ପାଇଁ ଡ଼ାକ୍ତର ପାଖକୁ ପହଞ୍ଚି ନପାରି ଝଡା ଫୁଙ୍କାର ସାହାରା ନେଇ ଆସୁଥିଲେ, ଏବେ ସେମାନେ ଏହି ଡାକ୍ତରଙ୍କ ଯୋଗୁଁ ଘରେ ଚିକିତ୍ସା ପାଇ ଖୁସିରେ ଅଛନ୍ତି । ଡ଼ାକ୍ତରଙ୍କ ଏହି ମହତ୍ କାମ ପାଇଁ ତାଙ୍କୁ ସବୁଠି ପ୍ରଶଂସା ମଧ୍ୟ ଲୋକ କରୁଛନ୍ତି । ଆରପାରିରେ ଥିବା ବନ୍ଧୁଙ୍କ ପାଇଁ ଜଣେ ବନ୍ଧୁଙ୍କ ଏଭଳି ମନୋବୃତ୍ତି ଓ ପଦକ୍ଷେପ ନିହାତି ଭାବରେ ହୃଦୟସ୍ପର୍ଶୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details