ଅନୁଗୋଳ:ଘଡିଆଳଙ୍କୁ ନେଇ ସାତକୋଶିଆରୁ ଆସିଲା ଖୁସି ଖବର । ପୁଣି ପାକୃତିକ ଆବଶସ୍ଥଳୀରେ ଜନ୍ମ ନେଲେ ଘଡ଼ିଆଳ । ଲଗାତାର ତିନି ବର୍ଷ ହେବ ଗଣ୍ଡରେ କୁମ୍ଭୀର ଅଣ୍ଡାରୁ ଜନ୍ମ ନେଇଛନ୍ତି ଛୁଆ । ଗତ ପାଞ୍ଚବର୍ଷ ହେବ ପ୍ରାକୃତିକ ଉପାୟରେ ଘଡ଼ିଆଳ ଛୁଆ ଜନ୍ମ ପାଇଁ ଚାଲିଥିବା ପ୍ରୟାସରେ ସଫଳ ହୋଇଛି ବନବିଭାଗ । ଗଣ୍ଡର ବଳଦ ମରା ନିକଟରେ କୁମ୍ଭୀର ଅଣ୍ଡାରୁ 30ରୁ ଅଧିକ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା । ଏନେଇ ଟ୍ବିଟ କରି ବିଭାଗକୁ ଶୁଭେଚ୍ଛା ଜଣାଇଛି ଜିଲ୍ଲା ପ୍ରଶାସନ।
ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡ ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ସ୍ୱତନ୍ତ୍ର ପରିଚିତ ଅର୍ଜନ କରିଛି । ଗଣ୍ଡରେ ଅର୍ଥାତ ପ୍ରକୃତିର ଏହି ଆବାସ ସ୍ଥଳୀରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ଅଣ୍ଡାରୁ ଛୁଆ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା’ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ଯାହାର ଭିଡ଼ିଓ ଜାରି କରିଛି ବନ ବିଭାଗ । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ ଘଡ଼ିଆଳ ଛୁଆ ଖେଳୁ ଥିବା ଦେଖିବାକୁ ମିଳିଛି । ଘଡ଼ିଆଳ ପ୍ରଜନନ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଚଲିଥିବା ବେଳେ ୨୦୨୧ ମସିହାରୁ ସଫଳତାର ସହ ଘଡ଼ିଆଳ ଛୁଆ ଜନ୍ମ ନେଉଛନ୍ତି । ଦୀର୍ଘ ୪୦ ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷବି ୨୮ ଅଣ୍ଡା ଫୁଟିଥିଲା।