କୋଲକାତା: ଆଜି କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଖେଳାଯାଉଛି ସବୁଠାରୁ ରୋମାଞ୍ଚକର ମୁକାବିଲା । ପଏଣ୍ଟ୍ସ ଟେବୁଲର ଦୁଇ ଶୀର୍ଷ ଦଳ ତଥା ସେମିଫାଇନାଲ୍ ଟିକେଟ୍ ହାସଲ କରି ସାରିଥିବା ଦୁଇ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଛି ହାଇପ୍ରୋଫାଇଲ ମ୍ୟାଚ୍ । ଗତ ଏକ ସପ୍ତାହ ଧରି ଏହି ବଡ଼ ମ୍ୟାଚ୍ ଟିକେଟ୍ ପାଇଁ ଟଣା ଓଟରା ଚାଲିଛି । ଏପରିକି ଏହି ମ୍ୟାଚ୍ ପାଇଁ ଟିକେଟ୍ କଳାବଜାରୀ ମାମଲା ମଧ୍ୟ ସାମ୍ନାକୁ ଆସିଛି । ତେବେ କେବଳ ଭାରତୀୟ ନୁହଁନ୍ତି, ବିଦେଶୀ ପ୍ରଶଂସକ ମଧ୍ୟ ଏହି କଳାବଜାରୀର ଶିକାର ହୋଇଛନ୍ତି । ମ୍ୟାଚ୍ ଦେଖିବା ପାଇଁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୩ ଜଣ ବନ୍ଧୁ ଉଚିତ ମୂଲ୍ୟ ଠାରୁ ୨୦ ଗୁଣ ଅଧିକ ମୂଲ୍ୟରେ ଟିକେଟ କିଣି ମ୍ୟାଚ୍ ଦେଖିବାକୁ ଆସି ଇଡେନ ଗାର୍ଡେନ୍ସରେ ପହଞ୍ଚିଛନ୍ତି । ସେମାନେ କିଛିଦିନ ପୂର୍ବରୁ ଏକ ବିଦେଶୀ ଘରୋଇ କମ୍ପାନୀରୁ ଅନ୍ଲାଇନ୍ ଟିକେଟ କିଣିଥିଲେ ।
ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକାର ଏହି ତିନି ବନ୍ଧୁ ଲଣ୍ଡନରେ ରୁହନ୍ତି । ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍ର ସେମିଫାଇନାଲରେ ପ୍ରବେଶ କରିସାରିଛି ଏବଂ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଦେଖି ପିଟର ଏବଂ ଜନ୍ ଲଣ୍ଡନରୁ କୋଲକାତା ଆସିଥିଲେ । ତାଙ୍କର ଅନ୍ୟ ଜଣେ ବନ୍ଧୁ ଆଜି (ରବିବାର) ଆସୁଛନ୍ତି । ତେବେ ପୂର୍ବରୁ ପିଟର ଓ ଜନ୍ ଶୁକ୍ରବାର କୋଲକାତାରେ ପହଞ୍ଚି ପାର୍କ ଷ୍ଟ୍ରିଟ୍ରେ ଥିବା ଏକ ହୋଟେଲରେ ରହିଥିଲେ । ଏହି ସମୟ ମଧ୍ୟରେ ସେମାନେ ମ୍ୟାଚ୍ ଟିକେଟ୍ ପାଇବାରେ କୌଣସି ସୁଯୋଗ ହାତଛଡ଼ା କରିନଥିଲେ ଏବଂ ବହୁ ଚେଷ୍ଟା ପରେ ଶେଷରେ ଟିକେଟ୍ ପାଇଥିଲେ । ତେବେ ସେମାନେ ଉଚିତ ମୂଲ୍ୟଠାରୁ ୨୦ ଗୁଣ ଅଧିକ ମୂଲ୍ୟରେ ଟିକେଟ କିଣି ମ୍ୟାଚ୍ ଦେଖିବାକୁ ଆସିଥିବା ପ୍ରକାଶ କରିଛନ୍ତି ।