ହାଇଦ୍ରାବାଦ:ଚଳିତ ଏସିଆ କପ ଟୁର୍ଣ୍ଣାମେଣ୍ଟରେ (Asia Cup 2022 ) ଆଜି ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ର ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ବିରାଟ ଖେଳିବେ ତାଙ୍କ କ୍ୟାରିୟରର ୧୦୦ତମ ଟି୨୦ ମ୍ୟାଚ (Virat Kohli 100th T20I Match) । ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଜୁଲାଇରେ ଇଂଲଣ୍ଡ ଗସ୍ତ ପରେ ବିଶ୍ରାମ ଦିଆଯାଇଥିଲା । ପ୍ରାୟ ଏସମାସରୁ ଅଧିକ ସମୟ ପରେ ଏସିଆ କପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ପାକିସ୍ତାନ ବିପକ୍ଷ ( India VS Pakistan) ହାଇଭୋଲଟେଜ ମ୍ୟାଚରେ କ୍ରିକେଟପ୍ରେମୀ ବିରାଟଙ୍କ ଠାରୁ ବଡ ଇଂନିସ ଆଶା ରଖିଛନ୍ତି ।
ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୨୦୧୦ ମସିହା ଜିମ୍ବାୱେ ବିପକ୍ଷରେ ହରାରେ ସ୍ପର୍ଟସ କ୍ଲବରେ ନିଜର ଟି୨୦ ଡେବ୍ୟୁ କରିଥିଲେ । ପ୍ରଥମ ଟି୨୦ ମ୍ୟାଚରେ ବିରାଟ କୋହଲି ୨୧ ବଲରୁ ୩ଟି ଚୌକା ଏବଂ ଗୋଟିଏ ଛକା ସହିତ ୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଭାରତ ଏହି ମ୍ୟାଚରେ ୬ ୱିକେଟରେ ଜିମ୍ବାୱେକୁ ହରାଇଥିଲା । ସେବେଠାରୁ ସେ ଅନ୍ତର୍ଜାତୀୟ ଟି୨୦ରେ ୯୯ଟି ମ୍ୟାଚ ଖେଳି ୩୩୦୮ ରନ ସଂଗ୍ରହ କରିଛନ୍ତି । ଟି-୨୦ ମ୍ୟାଚରେ ବିରାଟଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୪ ରନ ରହିଛି । ଏହି ଫର୍ମାଟର ଷ୍ଟ୍ରାଇକରେଟ୍ ୧୩୭.୬୬ ରହିଛି ।