ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ସପ୍ତାହେ ପୁରିବାକୁ ବସିଲାଣି । ହେଲେ ଏବେ ବି ସେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ପ୍ରତିଦିନ ତାଙ୍କ ସମ୍ପର୍କରେ ନୂଆ ନୂଆ ଖବର ବାହାରୁଛି । ନିକଟରେ ସେହିପରି ଏକ ଖବର ଭାଇରାଲ ହୋଇଛି ।
ତେବେ ଏଥିରେ ସୁଶାନ୍ତଙ୍କ ସହ ଅନ୍ୟ ଜଣେ ଦିବଙ୍ଗତ ଅଭିନେତା ଇର୍ଫାନ ଖାନଙ୍କ ନାମ ସାମିଲ ହୋଇଛି । ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଦେହାନ୍ତ ପରେ ତାଙ୍କୁ ନେଇ ଚାଲିଥିବା ଅନେକ ପ୍ରୋଜେକ୍ଟ ଏବେ ଖାଲି ପଡିଛି । ତୁମ୍ବାଡର ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀ ଇର୍ଫାନଙ୍କୁ ନେଇ ଏକ ଫିଲ୍ମ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ସେ ଗତ 5 ବର୍ଷ ହେବ ପ୍ରସ୍ତୁତି କରୁଥିଲେ । ଏପରିକି ସ୍କ୍ରିପ୍ଟ କାମ ମଧ୍ୟ ଚାଲିଥିଲା । ଏଥିରେ କୋରୋନା ଭାଇରସ ସମ୍ବନ୍ଧୀୟ କିଛି ଦୃଶ୍ୟ ମଧ୍ୟ ସାମିଲ ହୋଇଥାନ୍ତା । ତେବେ ଇର୍ଫାନଙ୍କ ଦେହାନ୍ତ ପରେ ଆନନ୍ଦଙ୍କୁ ବଡ ଝଟକା ଲାଗିଛି ।
ଖବର ଅନୁସାରେ ଯେତେବେଳେ ନିଜ ଶେଷ ସମୟ ଆସିଥିଲା ସେତେବେଳେ ଇର୍ଫାନ ଆନନ୍ଦଙ୍କୁ ତାଙ୍କ ସ୍ଥାନରେ ସୁଶାନ୍ତଙ୍କୁ ନେବାକୁ କହିଥିଲେ । ସୁଶାନ୍ତ ଏହି ଭୂମିକାକୁ ସଠିକ୍ ଭାବେ ତୁଲାଇପାରିବେ ବୋଲି ଇର୍ଫାନ କହିଥିଲେ । କ୍ୟାରେକ୍ଟରରେ ତାଙ୍କୁ ରିପ୍ଲେସ କରିବା ଭଳି ଯୋଗ୍ୟତା କେବଳ କେଦାରନାଥ ଷ୍ଟାରଙ୍କର ଥିବା ସେ କହିଥିଲେ । ଆନନ୍ଦ ଓ ସୁଶାନ୍ତ ମଧ୍ୟ ପରସ୍ପରର ଉତ୍ତମ ବନ୍ଧୁ । ଇର୍ଫାନଙ୍କ ପ୍ରସ୍ତାବ ଅନୁସାରେ ସୁଶାନ୍ତଙ୍କୁ ଅଫର ଦେଇଥିଲେ ଗାନ୍ଧୀ ।